ରାଫେଲ୍‌ ଭାରତକୁ ଅପ୍ରତିଦ୍ବନ୍ଦ୍ବୀ କରିବ, ମଙ୍ଗଳବାର ହସ୍ତାନ୍ତର ହେବ ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ

ପ୍ୟାରିସ୍‌, : ଆସନ୍ତା ମଙ୍ଗଳବାର ଭାରତକୁ ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ ଫ୍ରାନ୍ସ ହସ୍ତାନ୍ତର କରିବ। ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନ କରି ପା‌ରୁଥିବା ରାଫେଲ୍‌ ଭାରତକୁ ଅପ୍ରତିଦ୍ବନ୍ଦ୍ବୀ କରିବା ସହ ଶତୃ ଶିବିରରେ କମ୍ପନ ସୃଷ୍ଟି କରିବ। ଭାରତକୁ ପ୍ରଥମ ରାଫେଲ୍‌ ଜେଟ୍‌ ହସ୍ତାନ୍ତର କରିବା ପୂର୍ବରୁ ୟୁରୋପୀୟ କ୍ଷେପଣାସ୍ତ୍ର ନିର୍ମାଣକାରୀ ସଂସ୍ଥା ‘ଏମ୍‌ବିଡିଏ’ ଏଭଳି ମତ ରଖିଛି। ରାଫେଲ୍‌ ବିମାନ ମେଟଏର ଓ ସ୍କାପ୍‌ କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ରଖିଥିବାରୁ ଏହା ଭାରତର ଶତୃ ଶିବିରରେ ଆତଙ୍କ ସୃଷ୍ଟି କରିବ ବୋଲି ନିର୍ମାଣକାରୀ ସଂସ୍ଥା କହିଛି। ଆକାଶରୁ ଆକାଶକୁ ମାରକ କ୍ଷମତା ଥିବା ମେଟଏର୍‌ ମିଜାଇଲ୍‌ ଏବଂ ସ୍କାପ୍‌ କ୍ରୁଜ୍‌ ମିଜାଇଲ୍‌ ପ୍ୟାକେଜ୍‌ ଥିବା ୩୬ଟି ରାଫେଲ୍‌ ଜେଟ୍‌କୁ ଭାରତ ପାଇଁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି। ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବହନ କରି ପାରୁଥିବା ରାଫେଲ୍‌ ଭାରତର ଶକ୍ତି ବୃଦ୍ଧି କରିବା ସହ ଚୀନ୍‌ ଏବଂ ପାକିସ୍ତାନ ସୀମାରେ ଏବେ ଭାରତର ସ୍ଥିତି ଅତ୍ୟନ୍ତ ସୁଦୃଢ଼ ହେବ। ଆସନ୍ତା ମଙ୍ଗଳବାର ଦିନ ପ୍ୟାରିସ୍‌ର ବାୟୁସେନା ଘାଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ ଗ୍ରହଣ କରିବେ। ଚୁକ୍ତିନାମା ସ୍ବାକ୍ଷର ହେବାର ତିନି ବର୍ଷ ପରେ ଭାରତ ଏହାର ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ ହାସଲ କରିବାକୁ ଯାଉଛି। ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାଣକାରୀ ସଂସ୍ଥା ଡାସଲ୍‌ଟ ଆଭିଏସନ୍‌ ଦ୍ବାରା ପ୍ରସ୍ତୁତ ରାଫେଲ୍‌ ଜେଟ୍‌ ଭାରତୀୟ ବାୟୁସେନାର ଶକ୍ତିକୁ ଯଥେଷ୍ଟ ବଢ଼ାଇବ ବୋଲି ନବ ନିଯୁକ୍ତ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭାଦୋରିଆ କହିଛନ୍ତି।

ଦଶହରାରେ ଫ୍ରାନ୍‌ସରେ ଶସ୍ତ୍ର ପୂଜା କରିବେ ରାଜନାଥ

ପ୍ୟାରିସ୍‌ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚଳିତବର୍ଷ ଦଶହରା ପୂଜାରେ ‘ଶସ୍ତ୍ର ପୂଜା’ ଫ୍ରାନ୍‌ସରେ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଶସ୍ତ୍ର ପୂଜା ହେଉଛି ହିନ୍ଦୁମାନଙ୍କର ଏକ ପାରମ୍ପରିକ ପୂଜା, ଯାହା ଦଶହରା ଦିନ ପାଳିତ ହୋଇଥାଏ ଏବଂ ଏହି ପୂଜାରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଥାଏ। ଅକ୍ଟୋବର ୮ ତାରିଖରେ ଭାରତ ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ ଗ୍ରହଣ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ଫ୍ରାନ୍‌ସ ଗସ୍ତ କରିଛନ୍ତି। ରାଜନାଥ ପ୍ରତିବର୍ଷ ଦଶହରାରେ ଶସ୍ତ୍ର ପୂଜା କରିଥାନ୍ତି। ଏ ବର୍ଷ ସେ ଫ୍ରାନ୍‌ସରେ ଥିବାରୁ ସେଠାରେ ଏହି ପୂଜା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର