ମହାବଳ ଗଣନାରେ ଭାରତର ଗିନିସ୍‌ ବିଶ୍ବ ରେକର୍ଡ

ନୂଆଦିଲ୍ଲୀ: ବନ୍ୟଜନ୍ତୁ ସର୍ବେକ୍ଷଣରେ ଏଯାଏ ସର୍ବାଧିକ ବ୍ୟାଘ୍ର କ୍ୟାମେରାରେ ଠାବ କରାଯିବାର ମାନ୍ୟତା ଭାରତ ହାସଲ କରିଛି। ୨୦୧୮ ମସିହା ବ୍ୟାଘ୍ର ଗଣନାରେ ଏଥିପାଇଁ ଭାରତ ବିଶ୍ବ ଗିନିସ୍ ରେକର୍ଡରେ ସ୍ଥାନ ପାଇଛି। ୨୦୧୮-୧୯ରେ ବ୍ୟାଘ୍ରଗଣନାର ଏହି ଚତୁର୍ଥ ସଂସ୍କରଣ ସମ୍ବଳ ଏବଂ ତଥ୍ୟ ଦୃଷ୍ଟିରୁ ଏ ଯାଏ ସବୁଠୁ ବ୍ୟାପକ ଥିଲା ବୋଲି ବିଶ୍ବ ଗିନିସ୍ ରେକର୍ଡ ପକ୍ଷରୁ କୁହାଯାଇଛି। ସୂଚନାଥାଉ କି, ବାଘମାନଙ୍କର ଗତିବିଧି ଲକ୍ଷ୍ୟ କରିବା ପାଇଁ ଭାରତର ମୋଟ ୧,୨୧,୩୩୭ ବର୍ଗ କିମି ପରିମିତ ୧୪୧ଟି ବିଭିନ୍ନ ଅଞ୍ଚଳର ୨୬,୮୩୮ଟି ସ୍ଥାନରେ କ୍ୟାମେରା ଖଞ୍ଚାଯାଇଥିଲା। ତାହା ଦ୍ଵାରା ମୋଟ ୩,୪୮,୫୮,୬୨୩ଟି ବନ୍ୟଜନ୍ତୁ ଫଟୋ ଉତ୍ତୋଳନ କରାଯାଇଥିବା ବେଳେ ସେଥିରୁ ୭୬,୬୫୧ଟି ମହାବଳ ବାଘର ଓ ୫୧,୭୭୭ଟି ଚିତାବାଘର ଏବଂ ବାକି ଫଟୋ ତକ ସ୍ଥାନୀୟ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ବୋଲି ଜଣାଯାଇଛି।

ସେହିପରି ମୋଟ ମହାବଳ ଫଟୋରୁ ସେମାନଙ୍କ ପଟା ପଟା ଚିହ୍ନ ଭିତ୍ତିରେ ତାହା ୨,୪୬୧(ଶାବକଙ୍କୁ ଛାଡ଼ି)ଟି ବାଘଙ୍କର ବୋଲି ଜଣାଯାଇଛି। ସେହିପରି ଏହି ବ୍ୟାଘ୍ରଗଣନା ପାଇଁ ପାଦଚିହ୍ନ ଠାବ ପ୍ରକ୍ରିୟାରେ ମଧ୍ୟ ୫,୨୨,୯୯୬ କିମି ପଥରେ ମଳ ଓ ଶିକାର ସ୍ଥଳ ଉଦ୍ଦେଶ୍ୟରେ ୩,୧୭,୯୫୮ ସଂଖ୍ୟକ ସ୍ଥାନକୁ ଅନୁଧ୍ୟାନ କରାଯାଇଥିଲା। ତେବେ ଏହି ସର୍ବେକ୍ଷଣର ସକାରାତ୍ମକ ଫଳାଫଳ ହେଲା, ଭାରତରେ ବ୍ୟାଘ୍ର ସଂଖ୍ୟା ୨୦୧୪ରୁ ୨୦୧୮ ମଧ୍ୟରେ ପାଖାପାଖି ଏକ ତୃତୀୟାଂଶ ବଢ଼ିଛି। ମୋଟାମୋଟି ଭାବେ ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ମିଳିତ ଭାବେ ସର୍ବାଧିକ ୧୪୯୨ଟି ବାଘ ରହିଛନ୍ତି।

ସମ୍ବନ୍ଧିତ ଖବର