ପୂର୍ବ ଲଦାଖରେ ଭାରତର ଦୀର୍ଘମିଆଦୀ ପ୍ରସ୍ତୁତି: ଚୀନ୍ର ମୁକାବିଲା ପାଇଁ ବିଶାଳ ଯୋଜନା
ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଥମି ଯାଇଥିବା ସେନା ପ୍ରତ୍ୟାହାର ଯୋଜନାକୁ ଭାରତ ପୁଣି ଥରେ ପ୍ରତିପକ୍ଷ ଚୀନ୍ ସହ ଆଗେଇନେବାକୁ ଚାହୁଛି। ଅପରପକ୍ଷେ, ଆଗକୁ ଶୀତଋତୁ ଆସୁଥିବାରୁ ସେହି ଇଲାକାରେ ଦୀର୍ଘମିଆଦୀ ଶୀତପ୍ରସ୍ତୁତି ପାଇଁ ମଧ୍ୟ ଭାରତୀୟ ସେନା ନିବୁଜ ଆଶ୍ରୟସ୍ଥଳୀ ନିର୍ମାଣ ସହ ବିଦେଶୀ ତଥା ସ୍ବଦେଶୀ ଶୀତବସ୍ତ୍ର ଆମଦାନି କରିବାର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁନାହିଁ। ଗତ ରବିବାର ଭାରତର ୧୪ କର୍ପସ କମାଣ୍ଡର ଲେ. ଜେନେରାଲ୍ ହରିନ୍ଦର ସିଂହ ଏବଂ ଚୀନ୍ର ଦକ୍ଷିଣ ଜିଞ୍ଜିଆଙ୍ଗ ସାମରିକ ଜିଲ୍ଲା ମୁଖ୍ୟ ମେ. ଜେନେରାଲ ଲିଉ ଲିନ୍ଙ୍କ ମଧ୍ୟରେ ଅନୁଷ୍ଠିତ ପଞ୍ଚମ ପର୍ଯ୍ୟାୟ ସାମରିକ ସ୍ତରୀୟ ଆଲୋଚନା ବେଳେ ଭାରତ ପାଙ୍ଗଙ୍ଗ ସୋ ହ୍ରଦ ଏବଂ ଗୋଗ୍ରାର ୧୪ ନଂ ପାଟ୍ରୋଲିଂ ପଏଣ୍ଟ୍ ଇଲାକାରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ପୁରୁଣା ଦାବିକୁ ଦୋହରାଇଥିଲା। ତେବେ ଏଥିପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଦୁଇଦେଶର ରାଜନୈତିକ ସ୍ତରୀୟ କଥାବାର୍ତ୍ତା ପରେ ବାସ୍ତବ ରୂପ ନେବ ବୋଲି କୁହାଯାଇଛି। ଏଣେ ଫିଙ୍ଗର ପଏଣ୍ଟ୍ ୪ରୁ ଫିଙ୍ଗର ପଏଣ୍ଟ୍ ୮ (ପାଙ୍ଗଙ୍ଗ ସୋ ହ୍ରଦଠାରୁ ପାର୍ବତ୍ୟାଞ୍ଚଳ) ଯାଏ ଦୀର୍ଘ ୮ କିମି ଅଞ୍ଚଳ ଗତ ମେ’ ମାସରୁ ଚୀନୀ ସେନା ଦଖଲରେ ରହିଥିବାରୁ ତାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ସେଠାରୁ ଚୀନୀ ସେନା ଆଦୌ ପଛଘୁଞ୍ଚା ଦେଉନଥିବାରୁ ଭାରତ ନିଜକୁ ତଦନୁସାରେ ପ୍ରସ୍ତୁତ କରି ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା ଆପଣେଇବାକୁ ବାଧ୍ୟ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କ୍ରମରେ ଭାରତ ପୂର୍ବ ଲଦାଖର ବିଭିନ୍ନ ଘାଟିରେ ନିୟୋଜିତ କରିଥିବା ୩୦ ହଜାର ସୈନିକଙ୍କ ପାଇଁ ଆବଶ୍ୟକ ଖାଦ୍ୟ, ଆନୁଷଙ୍ଗିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ଶୀତବସ୍ତ୍ର ଆଦି ଠୁଳ କରିଚାଲିଛି। ଏପରିକି ଯବାନମାନଙ୍କ ରହଣି ପାଇଁ ନିବୁଜ ଶିବିର ମଧ୍ୟ ନିର୍ମାଣ ଚାଲିଥିବା ଜାଣିବାକୁ ମିଳିଛି। ସେଗୁଡ଼ିକ ମଧ୍ୟରେ ପ୍ରି-ଫେବ୍ରିକେଟେଡ୍ କୁଡ଼ିଆ, ମେରୁ ଅଞ୍ଚଳୀୟ ତମ୍ବୁ ଏବଂ ବିଶାଳ କଣ୍ଟେନର ଆଦି ରହିଛି। ଏହି ଅତ୍ୟୁଚ୍ଚ ଇଲାକା ପାଉଁ ଏବେଠାରୁ ଆବଶ୍ୟକ ପରିମାଣର ଡିଜେଲ, କିରୋସିନି ଏବଂ ବିମାନ ତୈଳ ଆଦି ପରିବହନ ହୋଇଚାଲିଛି। ସେହିପରି ସେନାବାହିନୀ ପକ୍ଷରୁ ବିଦେଶରୁ ସ୍ବତନ୍ତ୍ର ଧରଣର ଶୀତପୋଷାକ, ବରଫ ଚଷମା, ବହୁସ୍ତରୀୟ ଗ୍ଲୋଭ୍ସ ଏବଂ ମୋଜା ଆଦି ଆମଦାନି ପାଇଁ ବରାଦ କରାଯାଇଛି। ଅପରପକ୍ଷେ, ବିଯୁକ୍ତ ୩୦ରୁ ୩୫ ଡିଗ୍ରି ସେଣ୍ଟିଗ୍ରେଡ୍ ତାପମାତ୍ରା ସମ୍ଭାଳିପାରୁଥିବା କିଛି ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଦେଶ ଭିତରୁ ମଗାଯାଇଥିବା ବେଳେ ଆହୁରି ଅଧିକ ଥଣ୍ଡା ସହନଶୀଳ ଟ୍ରାଉଜର, ଜ୍ୟାକେଟ ଏବଂ ସ୍ଲିପିଂ ବ୍ୟାଗ୍ ଆଦି ସ୍ବିଜରଲାଣ୍ଡ୍, ଜର୍ମାନୀ ଏବ ଇଟାଲିରୁ ମଗାଯାଇଛି। ଏପରିକି ସମ୍ଭାବ୍ୟ ସାମରିକ ସ୍ଥିତିର ମୁକାବିଲା ପାଇଁ ଆମେରିକା, ଫ୍ରାନ୍ସ, ରୁଷିଆ ଏବଂ ଇସ୍ରାଏଲ ଆଦି ଦେଶରୁ ଜରୁରୀକାଳୀନ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ମଧ୍ୟ କଥାବାର୍ତ୍ତା ଜାରି ରହିଛି। ସୁତରାଂ ୧୯୬୨ ଶୀତଋତୁ ପରି ଚୀନୀ ସେନାର ଔଦ୍ଧତ୍ୟକୁ ଉଚିତ ଜବାବ ଦେବା ଲାଗି ଭାରତୀୟ ସେନା ପୂରା ଦମ୍ରେ ନିଜକୁ ପ୍ରସ୍ତୁତ କରୁଥିବା ସ୍ପଷ୍ଟ ହୋଇଛି।