ଭାରତରେ ଜନସଂଖ୍ୟା ବଢ଼ିଚାଲିଛି: ପ୍ରତିବର୍ଷ ୭୮ଟି ଦେଶର ମୋଟ ଜନସଂଖ୍ୟାଠାରୁ ଅଧିକ ଶିଶୁ ଜନ୍ମ ହେଉଛନ୍ତି

ଚୀନ୍‌ରେ କମୁଛି ଜନସଂଖ୍ୟା, ଜାତିସଂଘ କହିଥିଲା ୨୦୨୩ରେ ଭାରତ ଚୀନ୍‌କୁ ଟପିବ

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ଜନବହୁଳ ଦେଶ ହେଉଛି ଚୀନ୍ କିନ୍ତୁ କିଛି ମାସ ପରେ ଭାରତ ଚୀନ୍‌ର ଏହି ରେକର୍ଡ ଭାଙ୍ଗିବାକୁ ଯାଉଛି। ଭାରତରେ ଜନସଂଖ୍ୟା କ୍ରମାଗତ ବଢ଼ିବଢ଼ି ଚାଲିଛି। କେନ୍ଦ୍ରର ରିପୋର୍ଟ ଅନୁସାରେ ଭାରତରେ ପ୍ରତିବର୍ଷ ୭୮ଟି ଦେଶର ମୋଟ ଜନସଂଖ୍ୟା ମିଶିଲେ ଯେତିକି ହେବ ସେତିକି ଛୁଆ ଜନ୍ମ ହେଉଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ୨.୦୩ କୋଟିରୁ ଅଧିକ ପିଲା ଜନ୍ମ ହୋଇଛନ୍ତି, ଅର୍ଥତ୍ ପ୍ରତିଦିନ ହାରାହାରି ୫୬ ହଜାର ପିଲା ଜନ୍ମ ହୋଇଛନ୍ତି। ଏହା ପୂର୍ବରୁ ୨୦୨୦-୨୧ରେ ୨ କୋଟିରୁ ଅଧିକ ପିଲା ଜନ୍ମ ହୋଇଥିଲେ। ଅର୍ଥାତ୍ ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ୧.୩୨ ଲକ୍ଷ ଅଧିକ ସନ୍ତାନ ଜନ୍ମ ହୋଇଛନ୍ତି।

ଚୀନ୍‌ରେ କମୁଛି ଜନସଂଖ୍ୟା
ଚୀନ୍‌ର ସରକାରୀ ହିସାବ ଅନୁସାରେ ୨୦୨୨ରେ ଜନସଂଖ୍ୟାରେ ୬୦ ଲକ୍ଷ କମି ଯାଇଛି। ଚୀନ୍‌ର ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ ପକ୍ଷରୁ ନିକଟରେ ଜନସଂଖ୍ୟା ସମ୍ବନ୍ଧୀୟ ରିପୋର୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ୨୦୨୨ ଶେଷ ସୁଦ୍ଧା ଜନସଖ୍ୟା କମି ୧୪୧.୧୮ କୋଟି ହୋଇଛି, ଯେତେବେଳେ କି ୨୦୨୧ ଶେଷ ସୁଦ୍ଧା ଜନସଂଖ୍ୟା ଥିଲା ୧୪୧.୨୬ କୋଟି। ୧୯୬୧ ପରେ ପ୍ରଥମ ଥର ପାଇଁ ଚୀନ୍‌ର ଜନସଂଖ୍ୟାରେ ହ୍ରାସ ଘଟିଛି।

ଜାତିସଂଘ କହିଥିଲା ୨୦୨୩ରେ ଭାରତ ଚୀନ୍‌କୁ ଟପିବ
ଜାତିସଂଘ ଗତବର୍ଷ ନିଜ ରିପୋର୍ଟରେ ଦାବି କରିଥିଲା ଯେ, ୨୦୨୩ରେ ଭାରତର ଜନସଂଖ୍ୟା ଚୀନ୍‌ଠାରୁ ଅଧିକ ହେବ। ତେବେ କିଛି ରିପୋର୍ଟ ଅନୁସାରେ, ଭାରତର ଜନସଂଖ୍ୟା ଚୀନ୍‌ଠାରୁ ଅଧିକ ହୋଇସାରିଲାଣି। ଭାରତରେ ଜନ୍ମହାର ବୃଦ୍ଧିକୁ ଏହାର କାରଣ ବୋଲି କୁହାଯାଉଛି। ଜାତିସଂଘର ଅନୁମାନ, ଭାରତରେ ପ୍ରତିବର୍ଷ ପ୍ରାୟ ଅଢ଼େଇ କୋଟି ପିଲା ଜନ୍ମ ହେଉଛନ୍ତି। ଚୀନ୍‌ରେ ଭାରତ ତୁଳନାରେ ଅଧା ପିଲା ଜନ୍ମ ହେଉଛନ୍ତି। ୨୦୨୨ରେ ଚୀନ୍‌ରେ ୯୫ ଲକ୍ଷ ପିଲା ଜନ୍ମ ହୋଇଥିଲେ।

ଭାରତରେ ଜନସଂଖ୍ୟା ବୃଦ୍ଧିର ତିନି ପ୍ରମୁଖ କାରଣ
ଭାରତରେ ଜନସଂଖ୍ୟା ବୃଦ୍ଧିର ତିନୋଟି ମୁଖ୍ୟ କାରଣ ରହିଛି: ପ୍ରଥମ- ଶିଶୁ (୧ ବର୍ଷରୁ କମ୍) ମୃତ୍ୟୁହାର ହ୍ରାସ, ଦ୍ବିତୀୟ- ନବଜାତ (୨୮ ଦିନ ବା କମ୍ ଦିନର ଶିଶୁ) ମୃତ୍ୟୁହାରରେ ହ୍ରାସ ଏବଂ ତୃତୀୟ- ୫ ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁହାର ହ୍ରାସ।

ସମ୍ବନ୍ଧିତ ଖବର