ଭାରତର ସର୍ବକନିଷ୍ଠ ପ୍ରତ୍ୟଙ୍ଗଦାତ୍ରୀ ଧନିଷ୍ଠା, ମରିବା ଆଗରୁ ପାଞ୍ଚଟି ଜୀବନ ବଞ୍ଚାଇଲେ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ରୋହିଣୀ ଅଞ୍ଚଳର ୨୦ ମାସ ବୟସ୍କା ଧନିଷ୍ଠା ଭଲରେ ପଦେ କଥା କହିବା ଆଗରୁ ସିନା ଆରପାରିକୁ ଚାଲିଗଲେ, ହେଲେ ଦେଶର ସର୍ବକନିଷ୍ଠ ପ୍ରତ୍ୟଙ୍ଗଦାତ୍ରୀ ହେବାର ଗୌରବ ତାଙ୍କୁ ଚିର ଦିନ ପାଇଁ ଅମର କରି ରଖିଥିବ। ତାଙ୍କର ହୃତ୍‌ପିଣ୍ଡ, ଯକୃତ୍‌, ଦୁଇଟିଯାକ ବୃକକ୍‌ ଓ ଆଖି ପିତୁଳା ଏବେ ଅନ୍ୟ ପାଞ୍ଚ ଜଣଙ୍କୁ ନୂତନ ଜୀବନ ଦେଇପାରିଛି। ସୂଚନାନୁଯାୟୀ, କୌଣସି କାରଣରୁ ନିଜ ଘରର ବାଲକୋନିରୁ ତଳକୁ ଖସିପଡ଼ିଥିବା ଧନିଷ୍ଠାଙ୍କୁ କୋମା ଅବସ୍ଥାରେ ଗତ ୮ ତାରିଖରେ ସ୍ଥାନୀୟ ଗଙ୍ଗାରାମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଯାବତୀୟ ଉନ୍ନତ ଚିକିତ୍ସା ସତ୍ତ୍ବେ ଡାକ୍ତରମାନେ ତାଙ୍କୁ ଗତ ୧୧ ତାରିଖରେ ‘ମସ୍ତିଷ୍କ ମୃତ’ ଘୋଷଣା କରିଥିଲେ। ତେବେ ତାଙ୍କ ଦୟାଳୁ ପିତା ଆଶିଷ କୁମାର ଓ ମାତା ବବିତା ଝିଅର ଅପ୍ରତ୍ୟାଶିତ ମୃତ୍ୟୁ ପରି ଅପୂରଣୀୟ କ୍ଷତି ସତ୍ତ୍ବେ ତାହାର ସକ୍ରିୟ ପ୍ରତ୍ୟଙ୍ଗଗୁଡ଼ିକୁ ଅନ୍ୟମାନଙ୍କୁ ଦାନ କରି ଆଦର୍ଶ ସୃଷ୍ଟି କରିବା ପାଇଁ ଇଚ୍ଛା କରିଥିଲେ। ତଦନୁସାରେ ହସ୍ପିଟାଲ ପକ୍ଷରୁ ସଂପୃକ୍ତ ପ୍ରତ୍ୟଙ୍ଗଗୁଡ଼ିକୁ କଢ଼ାଯାଇ ଅନ୍ୟମାନଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା। ଧନିଷ୍ଠାଙ୍କ ପିତା ଆଶିଷଙ୍କ କହିବାନୁସାରେ, ହସ୍ପିଟାଲ୍‌ରେ ସେମାନଙ୍କ ରହଣି କାଳ ଭିତରେ ସେମାନେ ଏପରି ଅନେକ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ଯେଉଁମାନେ କୌଣସି ନା କୌଣସି ପ୍ରତ୍ୟଙ୍ଗ ପାଇବା ପାଇଁ ଅକ୍ଳାନ୍ତ ଉଦ୍ୟମ ଚଳାଇଥାନ୍ତି। ତେବେ ଝିଅର ଏପରି ପ୍ରତ୍ୟଙ୍ଗ ଦାନ କରି ସେମାନେ ନିଜ ଝିଅକୁ ଜୀବନ୍ତ ଅବସ୍ଥାରେ ଅନ୍ୟ ଶରୀରରେ ଦେଖିପାରିବା ସହ ପ୍ରତ୍ୟଙ୍ଗ ଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିପାରିବେ।

ସମ୍ବନ୍ଧିତ ଖବର