ସେବେ ଜେଜେମା, ଆଜି ନାତିଙ୍କ ପାଳି

ନୂଆଦିଲ୍ଲୀ: ଗତକାଲି ପର୍ଯ୍ୟନ୍ତ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କର ଆଜି ଲୋକସଭାର ସଦସ୍ୟତା ବାତିଲ ହୋଇଯାଇଛି । ତେବେ ଗାନ୍ଧୀ ପରିବାରରେ କେବଳ ରାହୁଲ ଗାନ୍ଧୀ ନୁହେଁ, ପୂର୍ବରୁ ତାଙ୍କୁ ଜେଜେ ମା ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡିଥିଲା | କୋର୍ଟଙ୍କ ନିର୍ଦ୍ଦେଶ ପରେ ରାହୁଲ ଗାନ୍ଧୀଙ୍କ ଜେଜେମା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସଦସ୍ୟତା ମଧ୍ୟ ବାତିଲ କରାଯାଇଥିଲା। ଏହା ୧୯୭୧ ମସିହାର କଥା | ଯେତେବେଳେ ଇନ୍ଦିରା ଗାନ୍ଧୀ ରାଏବରେଲିରୁ ନିର୍ବାଚନ ଲଢୁଥିଲେ | ଇନ୍ଦିରାଙ୍କ ସାମ୍ନାରେ ୟୁନାଇଟେଡ୍ ସୋସିଆଲିଷ୍ଟ ପାର୍ଟିର ରାଜନାରାୟଣ ପ୍ରାର୍ଥୀ ଭାବେ ଥିଲେ। ତାଙ୍କ ବିଜୟକୁ ନେଇ ରାଜନାରାୟଣ ଅତ୍ୟନ୍ତ ଆତ୍ମବିଶ୍ୱାସୀ ଥିଲେ। ଫଳାଫଳ ପୂର୍ବରୁ ମଧ୍ୟ ସେ ଏକ ବିଜୟ ରାଲି କରିଥିଲେ, କିନ୍ତୁ ଯେତେବେଳେ ନିର୍ବାଚନ ଫଳାଫଳ ଆସିଲା, ରାଜନାରାୟଣ ୧ ଲକ୍ଷରୁ ଅଧିକ ଭୋଟରେ ହାରିଯାଇଥିଲେ। ଏହା ପରେ ରାଜନାରାୟଣ ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲେ। ସେଠାରେ ସେ ଇନ୍ଦିରା ନିର୍ବାଚନରେ ​​ଜିତିବା ପାଇଁ ସରକାରୀ କଳର ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରିଥିଲେ |

ଏବାବଦରେ ବିଚାର କରି ୧୨ ଜୁନ୍ ୧୯୭୫ରେ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ବାତିଲ କରିବା ସହିତ ୬ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଥିଲେ। ଆହ୍ଲାବାଦ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଇନ୍ଦିରା ଗାନ୍ଧୀ ସୁପ୍ରିମକୋର୍ଟ ଯାଇଥିଲେ। ସେଠାରୁ ଯଦିଓ ସେ ଆଶ୍ବସ୍ତି ପାଇଥିଲେ, କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ଯଦିଓ ଅନୁମତି ଦେଇଥିଲେ କିନ୍ତୁ ସଂସଦରେ ଭୋଟ୍ ଦେବାକୁ ମନା କରିଦେଇଥିଲେ | ଜୁନ ୨୪ରେ ସୁପ୍ରିମକୋର୍ଟ ଏହି ରାୟ ଦେଇଥିବାବେଳେ ୨୫ ଜୁନ୍ ୧୯୭୫ରେ ଇନ୍ଦିରା ଗାନ୍ଧୀ ଏମର୍ଜେନ୍ସି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର