ଭାରତ-ଚୀନ୍‌ ସୀମା‌ ବିବାଦ, ସବୁକିଛି ନିୟନ୍ତ୍ରଣାଧୀନ ରହିଛି: ସେନାମୁଖ୍ୟ

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରବଣେ ଆଜି ଭାରତ-ଚୀନ୍‌ ସୀମା ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି। ନରବଣେ କହିଛନ୍ତି ଭାରତ-ଚୀନ୍‌ ସୀମା ସଂଲଗ୍ନ ସମ୍ପୂର୍ଣ୍ଣ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ତେବେ ସବୁ ସମସ୍ୟାର ସମାଧାନ ଦ୍ବିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ନରବଣେ ଆଶା ପ୍ରକଟ କରିଛନ୍ତି। ଚୀନ୍‌ ସହ ବିଭିନ୍ନ ପର୍ଯ୍ୟାୟରେ କଥାବାର୍ତ୍ତା ଜାରି ରହିଛି। କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଶେଷ ହୋଇଛି। ଆଗକୁ ମଧ୍ୟ କଥାବାର୍ତ୍ତା ଜାରି ରହିବ। ତେବେ ସୀମା ନିକଟରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ନରବଣେ ନିଶ୍ଚିତ କରାଇଛନ୍ତି। ନର‌ବଣେ କହିଛନ୍ତି, ଗତ ଶୁକ୍ରବାର ରାଜନାଥ ସିଂହ ପୂର୍ବ ଲଦାଖ୍‌ରେ ସାମଗ୍ରିକ ସାମରିକ ପ୍ରସ୍ତୁତି ସହ ସିକ୍କିମ, ଉତ୍ତରାଖଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଏଲ୍‌ଏସି ନିକଟସ୍ଥ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନମାନଙ୍କର ସ୍ଥିତି ସମୀକ୍ଷା କରିଥିଲେ। ବୈଠକରେ ସିଡିଏସ୍‌ ରାୱତ , ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଏବଂ ବାୟୁସେନା ମୁଖ୍ୟ ଆର୍‌କେଏସ୍‌ ଭଦୋରିଆ ଉପସ୍ଥିତ ଥିଲେ। ଏହି ସମୀକ୍ଷା ବୈଠକରେ ସେନାମୁଖ୍ୟ ନରବଣେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପୁର୍ବ ଲଦାଖ୍‌ରେ ବିସ୍ତୃତ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ। ତେବେ ଉଭୟ ପକ୍ଷ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାପାଇଁ ରାଜନାଥ ଏହି ସମୀକ୍ଷା ବୈଠକରେ ଶୀର୍ଷ ସାମରିକ ଅଧିକାରୀମାନଙ୍କୁ କହିଥିଲେ।

ସମ୍ବନ୍ଧିତ ଖବର