ଭାରତ-ପାକ୍‌ ଯୁଦ୍ଧର ମହାନାୟକ ସାମ୍‌ ମାନେକ୍‌ସା

ଇନ୍ଦିରା ପଚାରିଥିଲେ, ଆପଣ କ’ଣ କ୍ଷମତା ଦଖଲ ଚାହୁଛନ୍ତି

ନୂଆଦିଲ୍ଲୀ: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ମହାନାୟକ ସାମ୍‌ ମାନେକ୍‌ସା ଏଭଳି ଜଣେ ସାମରିକ ଅଧିକାରୀ ଥିଲେ, ଯାହାଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରିବାର ସାହସ କେହି କରିପାରୁନଥିଲେ। ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ରୋକ୍‌ଠୋକ ଉତ୍ତର ଦେଉଥିଲେ ଏବଂ ଯୁଦ୍ଧ ନୀତି ସଂପର୍କରେ ତାଙ୍କର ଯୋଜନା ସମସ୍ତଙ୍କୁ ଚମତ୍କୃତ କରିଥିଲା। ପାକିସ୍ତାନ ସହ ଆଗୁଆ ଯୁଦ୍ଧ ପାଇଁ ଇନ୍ଦିରାଙ୍କ ନିର୍ଦ୍ଦେଶକୁ ମାନେକ୍‌ସା ବିରୋଧ କରି କହିଥିଲେ- ଏବେ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ନୁହେଁ, ଆପଣ କ’ଣ ପରାଜୟ ଦେଖିବାକୁ ଚାହିବେ ? ଏହାପରେ ଇନ୍ଦରା ଗାନ୍ଧି ତାଙ୍କୁ ପ୍ରସ୍ତୁତି ପାଇଁ କିଛି ମାସ ସମୟ ଦେଇଥିଲେ। ଡିସେମ୍ବର ୧୯୭୧ରେ ଯେତେବେ‌ଳେ ଭାରତ ପାକିସ୍ତାନ ଯୁଦ୍ଧ ହୋଇଥିଲା, ସେତେବେଳେ ମାନେକ୍‌ସା ଭାରତକୁ ଏକ ଶ୍ରେଷ୍ଠ ବିଜୟ ଉପହାର ଦେଇଥିଲେ।

ନିଜର ବୀରତା ଓ ଅପୂର୍ବ ସାହସିକତା ପାଇଁ ସାମ୍‌ ମାନେକ୍‌ସା ଅନେକ ସମ୍ମାନର ଅଧିକାରୀ। ୧୯୭୨ରେ ତାଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା। ଏହା ପୂର୍ବରୁ ସେ ପଦ୍ମ ଭୂଷଣରେ ମଧ୍ୟ ସମ୍ମାନିତ ହୋଇଥିଲେ। ୧୯୭୩ରେ ତାଙ୍କୁ ଫିଲ୍‌ଡ ମାର୍ସଲ ପଦ ମିଳିଥିଲା। ୨୭ ଜୁନ୍‌ ୨୦୦୮ରେ ସାମ୍‌ ମାନେକ୍‌ସା ପରଲୋକ ଗମନ କରିଥିଲେ। ସାମ୍‌ ମାନେକ୍‌ସାଙ୍କ ଜନ୍ମ ୩ ଏପ୍ରିଲ ୧୯୧୪ରେ ଅମୃତସରରେ ହୋଇଥିଲା। ବାଲ୍ୟକାଳରୁ ହିଁ ସେ ତାଙ୍କର ଭୟଶୂନ୍ୟ ଓ ସାହସିକ କାର୍ଯ୍ୟ ପାଇଁ ସାମ୍‌ ବାହାଦୁର୍‌ ଭାବେ ପରିଚିତ ଥିଲେ। ଭାରତୀୟ ସେନାରେ ସାମ୍‌ ମାନେକ୍‌ସା ଏକମାତ୍ର ଅଧିକାରୀ ଥିଲେ ଯିଏ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ନ ମାନିବାର ସାହସ ରଖୁଥିଲେ। ଇନ୍ଦିରା ଗାନ୍ଧି ଚାହୁଥିଲେ ପାକିସ୍ତାନ ସହିତ ଯୁଦ୍ଧ ମାର୍ଚ ମାସରେ କରିବା ପାଇଁ, କିନ୍ତୁ ମାନେକ୍‌ସା ଏଥିପାଇଁ ସେନା ପ୍ରସ୍ତୁତ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଏଥିରେ ଇନ୍ଦିରା କ୍ଷୁବ୍ଧ ହୋଇଥିଲେ ମଧ୍ୟ ମାନେକ୍‌ସାଙ୍କୁ ପ୍ରସ୍ତୁତି ଚୂଡ଼ାନ୍ତ କରିବା ପାଇଁ ଅଧିକ ସମୟ ଦେଇଥିଲେ। ବାଂଲାଦେଶ ଯୁଦ୍ଧରେ ଭାରତକୁ ମିଳିଥିବା ବିଜୟ ପାଇଁ ସାମ୍‌ ମାନେକ୍‌ସା ଯଥେଷ୍ଟ ଲୋକପ୍ରିୟ ହୋଇପାରିଥିଲେ। ଏହି ସମୟରେ ଖବର ପ୍ରଚାରିତ ହେଲା ଯେ ସେ କୁଆଡ଼େ ସାମରିକ ଶକ୍ତି ବଳରେ କ୍ଷମତା ଦଖଲ କରିବାକୁ ଚାହୁଛନ୍ତି। ସେତେବେଳେ ଇନ୍ଦିରା ତାଙ୍କୁ ଡକାଇ ପଚାରିଥିଲେ-‘ ଆମେ ଶୁଣୁଛୁ, ଆପଣ ସାମରିକ ଶକ୍ତିରେ କ୍ଷମତା ଦଖଲ କରିବାକୁ ଚାହୁଛନ୍ତି, ଏହା କ’ଣ ସତ ? ସାମ୍‌ ମାନେକ୍‌ସାଙ୍କ ଜବାବ ଥିଲା- ‘ଆପଣଙ୍କୁ କ’ଣ ଲାଗୁଛି ? ଆପଣ ମତେ ଏତେ ଅସମର୍ଥ ବିଚାରିଛନ୍ତି ଯେ ମୁଁ ଏହି କାମ ମଧ୍ୟ କରିପାରି ନାହିଁ। ଦେଖନ୍ତୁ ପ୍ରଧାନମନ୍ତ୍ରୀ, ଆମ ଦୁଇ ଜଣଙ୍କ ମଧ୍ୟରେ କିଛି ତ ସମାନତା ନିଶ୍ଚିତ ଅଛି। ଆମ ଦୁଇ ଜଣଙ୍କର ନାକ ଲମ୍ବା, କିନ୍ତୁ ମୋ ନାକ ଆପଣଙ୍କ ଠାରୁ ଅଧିକ ଲମ୍ବା। ଏଭଳି ଲୋକ ନିଜ କାମରେ ଅନ୍ୟର ହସ୍ତକ୍ଷେପ ପସନ୍ଦ କରନ୍ତି ନାହିଁ। ଯେତେଦିନ ପର୍ଯ୍ୟନ୍ତ ଆପଣ ମତେ ମୋର କାମ କରିବାରେ ସ୍ବାଧୀନତା ଦେବେ, ସେ ସମୟ ପର୍ଯ୍ୟନ୍ତ ମୁଁ ଆପଣଙ୍କ କାମରେ ମୁଣ୍ଡ ପୂରାଇବି ନାହିଁ।’

ସମ୍ବନ୍ଧିତ ଖବର