ଅନଲାଇନ ଜୁଆ ଖେଳର ପ୍ରଚାର କରୁଥିବା ବିଜ୍ଞାପନ ବନ୍ଦ କରିବାକୁ ସୂଚନା ପ୍ରସାରଣ ମନ୍ତ୍ରାଳୟର ପରାମର୍ଶ

• ଭାରତୀୟ ଦର୍ଶକଙ୍କ ଉଦ୍ଦେଶ୍ୟରେ ଅନଲାଇନ ଓ ସାମାଜିକ ଗଣମାଧ୍ୟମରେ ଅନଲାଇନ ଜୁଆ ଖେଳ ବିଜ୍ଞାପନ ପ୍ରଦର୍ଶିତ ହେବ ନାହିଁ
• ଜୁଆ ପାଇଁ ଉପଭୋକ୍ତାଙ୍କ ଉପରେ ଗମ୍ଭୀର ଆର୍ଥିକ ଓ ସାମାଜିକ ପ୍ରଭାବ ପଡ଼ୁଛି

ନୂଆଦିଲ୍ଲୀ: ଅନଲାଇନ ଜୁଆ ଖେଳ ପରିଚାଳନା କରୁଥିବା ପ୍ଲାଟଫର୍ମ ସମ୍ପର୍କରେ ପ୍ରଚାର ଓ ପ୍ରସାର କରୁଥିବା ବିଜ୍ଞାପନ ବନ୍ଦ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଦେଶର ସବୁ ଛାପା, ବୈଦ୍ୟୁତିକ ଏବଂ ଡିଜିଟାଲ ଗଣମାଧ୍ୟମ ଉଦ୍ଦେଶ୍ୟରେ ମନ୍ତ୍ରାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି। ବର୍ତ୍ତମାନ ସମୟରେ ବିଭିନ୍ନ ଛାପା, ବୈଦ୍ୟୁତିକ, ସାମାଜିକ ଓ ଅନଲାଇନ ଗଣମାଧ୍ୟମରେ ଅନଲାଇନ ବେଟିଂ (ଜୁଆ ଖେଳ) ପରିଚାଳନା କରୁଥିବା ୱେବସାଇଟ/ପ୍ଲାଟଫର୍ମ ସମ୍ପର୍କରେ ସଂଖ୍ୟାଧିକ ବିଜ୍ଞାପନର ପ୍ରଚାରପ୍ରସାର କରାଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।

ଦେଶର ଅଧିକାଂଶ ଭାଗରେ ଜୁଆ ଖେଳ ଓ ସଟ୍ଟାବାଜିକୁ ବେଆଇନ ଘୋଷଣା କରାଯାଇଛି। ଏହା ସାଧାରଣ ଉପଭୋକ୍ତା, ବିଶେଷ କରି ଯୁବବର୍ଗ ଏବଂ ପିଲାମାନଙ୍କ ଉପରେ ଗମ୍ଭୀର ଆର୍ଥିକ ଓ ସାମାଜିକ ପ୍ରଭାବ ପକାଇଥାଏ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ ଅନଲାଇନ ଜୁଆ ଖେଳ ସମ୍ପର୍କରେ ପ୍ରସାରିତ ହେଉଥିବା ବିଜ୍ଞାପନ ଏହି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ଭଳି ପ୍ରଭାବ ପକାଉଛି। ଅନଲାଇନ ବେଟିଂ ଉପରେ ଏହି ବିଜ୍ଞାପନଗୁଡ଼ିକ ବିଭ୍ରାନ୍ତିକର ଏବଂ ଏଥିରେ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ର ନିୟମକୁ ଉଲ୍ଲଙ୍ଘନ କରାଯାଉଛି। ଏହାବ୍ୟତୀତ କେବୁଲ ଟେଲିଭିଜନ ନେଟୱର୍କ ନିୟନ୍ତ୍ରଣ ଆଇନ, ୧୯୯୫ ଅଧୀନରେ ଧାର୍ଯ୍ୟ ବିଜ୍ଞାପନ ସଂହିତାକୁ ମଧ୍ୟ ଏସବୁ ବିଜ୍ଞାପନରେ ପାଳନ କରାଯାଉନାହିଁ। ଅନୁରୂପ ଭାବେ ପ୍ରେସ କାଉନସିଲ ଆଇନ ୧୯୭୮ ଅଧୀନରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ସାମ୍ବାଦିକ ଆଚରଣ ସଂହିତା ଅଧୀନରେ ବିଜ୍ଞାପନ ମାନଦଣ୍ଡକୁ ମଧ୍ୟ ଏପରି ବିଜ୍ଞାପନରେ ଉଲ୍ଲଙ୍ଘନ କରାଯାଉଥିବା ମନ୍ତ୍ରାଳୟର ମାର୍ଗଦର୍ଶିକାରେ କୁହାଯାଇଛି।

ବ୍ୟାପକ ଜନହିତରେ ଏହି ମାର୍ଗଦର୍ଶିକା ଜାରି କରାଯାଇଛି ଏବଂ ଅନଲାଇନ ବେଟିଂ ପ୍ଲାଟଫର୍ମର ବିଜ୍ଞାପନ ପ୍ରସାରଣ ଠାରୁ ଦୂରେଇ ରହିବା ଲାଗି ଛାପା, ବୈଦ୍ୟୁତିକ ଗଣମାଧ୍ୟମକୁ ଏଥିରେ ପରାମର୍ଶ ଦିଆଯାଇଛି। ଭାରତରେ ଏବଂ ଭାରତୀୟ ଦର୍ଶକଙ୍କ ଉଦ୍ଦେଶ୍ୟରେ ଏପରି ବିଜ୍ଞାପନ ପ୍ରଚାରପ୍ରସାର ନକରିବା ଲାଗି ଅନଲାଇନ ବିଜ୍ଞାପନ ମଧ୍ୟସ୍ଥ (ଇଣ୍ଟରମିଡିଆରିଜ) ଏବଂ ପ୍ରକାଶକଙ୍କ ସମେତ ଅନଲାଇନ ଓ ସାମାଜିକ ଗଣମାଧ୍ୟମକୁ ମଧ୍ୟ ମାର୍ଗଦର୍ଶିକାରେ ପରାମର୍ଶ ଦିଆଯାଇଛି।

ଏଥିପୂର୍ବରୁ ଅନଲାଇନ ଗେମିଂର ବିଜ୍ଞାପନ କ୍ଷେତ୍ରରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ)ର ମାର୍ଗଦର୍ଶିକା ଅନୁସରଣ କରିବା ଲାଗି ୪ ଡିସେମ୍ବର, ୨୦୨୦ରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଅନଲାଇନ ଗେମିଂର ଛାପା ଏବଂ ଅଡିଓ-ଭିଜୁଆଲ ବିଜ୍ଞାପନ ପ୍ରସାରଣ ପାଇଁ କ’ଣ କରିବା ଉଚିତ୍‌ ଏବଂ କ’ଣ ନକରିବା ଉଚିତ୍‌ ତାହା ଏହି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର