ପାଖାପାଖି ବସିଲେ, କଥା ହେଲେନି

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଅନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ବୈଠକ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ପାଖାପାଖି ପ୍ରାୟ ୩୫ ମିନିଟ୍‌ କାଳ ବସିଥିଲେ। କିନ୍ତୁ କେହି କାହା ସହ କଥା ହୋଇ ନଥିଲେ। ଆଜି ବିଜ୍ଞାନ ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ପ୍ରମୁଖ ଯୋଗଦେଇଥିଲେ। ସୁଯୋଗ କ୍ରମେ ନବାନଙ୍କ ପାଖ ଆସନରେ ଡ. ରମଣ ସିଂହ ବସିଥିଲେ। ଉଭୟ ପରସ୍ପରକୁ ନମସ୍କାର ଜଣାଇ ହାଲକା ହସିଥିଲେ। ମାତ୍ର କେହି କାହାକୁ କିଛି କହିନଥିଲେ। ଏପରିକି ଦୀର୍ଘ ୩୫ ମିନିଟ୍‌ କାଳ ଏପରି ବସିବା ପରେ ନବୀନଙ୍କ ପାଳି ପଡ଼ିବାରୁ ସେ ବକ୍ତବ୍ୟ ରଖିସାରି ବୈଠକରୁ ସିଧା ନିଜ ବାସଭବନକୁ ଫେରି ଆସିଥିଲେ। ଅପରପକ୍ଷେ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତୀନ ଗଡ଼କରିଙ୍କ ସହ ମହାନଦୀ ପ୍ରସଙ୍ଗରେ ନବୀନ ଅଲଗା ଆଲୋଚନା କରିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ମାତ୍ର ଗଡ଼କରି ବୈଠକରେ ଅନୁପସ୍ଥିତ ଥିବାରୁ ତାହା ହୋଇପାରିନଥିଲା। ତେବେ ରମଣସିଂହଙ୍କ ସହ କଥାବାର୍ତା ହୋଇଛି କି ବୋଲି ସାମ୍ବାଦିକ ପ୍ରଶ୍ନ କରିବାରୁ ନବୀନ କହିଥିଲେ ଯେ ବୈଠକରେ ମହାନଦୀ ପ୍ରସଙ୍ଗରେ ସେ ତାଙ୍କର ଆଭିମୁଖ୍ୟ ସ୍ୱଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର