ଆଇଏନ୍‌ଏକ୍ସ ମିଡିଆ ମାମଲା : ଚିଦମ୍ବରମ୍‌ଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତିହାର ଜେଲ୍‌ରେ ଜେରା କରିବା ପରେ ଗିରଫ କରିଛି। ତିନି ଜଣିଆ ଇଡି ଟିମ୍‌ ଦୁଇ ଘଣ୍ଟା ଧରି ତିହାର ଜେଲ୍‌ ପରିସରରେ ଚିଦମ୍ବରମ୍‌ଙ୍କୁ ପଚରା ଉଚରା କରିବା ପରେ ଗିରଫ କରିଛନ୍ତି। ପ୍ରିଭେନ୍‌ସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ଏକ ଅପରାଧିକ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଗତକାଲି ସିବିଆଇ କୋର୍ଟ ଚିଦମ୍ବରମ୍‌ଙ୍କୁ ପଚରା ଉଚରା କରିବା ପରେ ଆବଶ୍ୟକ ପଡ଼ିଲେ ଗିରଫ କରିବାକୁ ଅନୁମତି ଦେଇଥିଲେ। ଇଡିର ତିନି ଜଣିଆ ଟିମ୍‌ ଆଜି ପୂର୍ବାହ୍ନ ୮.୧୫ରେ ଜେଲ୍‌ ପରିସରରେ ପହଞ୍ଚିବା ପରେ ଦୁଇ ଘଣ୍ଟା ଧରି ଚିଦମ୍ବରମ୍‌ଙ୍କୁ ପଚରାଉଚରା କରିଥିଲେ। ଚିଦମ୍ବରମ୍‌ଙ୍କ ପତ୍ନୀ ଓ ପୁତ୍ର ମଧ୍ୟ ଜେଲ୍‌ ପରିସରରେ ଉପସ୍ଥିତ ଥିଲେ। ତେବେ ଇଡିର ତଦନ୍ତ ପ୍ରକ୍ରିୟା ଏକ ପ୍ରହସନ ବୋଲି ଚିଦମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦମ୍ବରମ କହିଛନ୍ତି।

ଘଟଣାକ୍ରମ

୧୫ ମେ ୨୦୧୭: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ ଏବଂ ପୁତ୍ର କାର୍ତ୍ତି ଚିଦମ୍ବରମ୍‌ଙ୍କ ବିରୋଧରେ ସିବିଆଇ ଏତଲା ଦାଏର କଲା।
୨୮ ଫେବ୍ରୁଆରି ୨୦୧୮: କାର୍ତ୍ତି ଚିଦମ୍ବରମ୍‌ଙ୍କୁ ଚେନ୍ନାଇ ବିମାନବନ୍ଦରରୁ ଗିରଫ କଲା ସିବିଆଇ।
୨୫ ଜୁଲାଇ ୨୦୧୮: ପି. ଚିଦମ୍ବରମ୍‌ଙ୍କ ଆଗୁଆ ଜାମିନ୍‌ ମଞ୍ଜୁର କଲେ ଦିଲ୍ଲୀ ହାଇକୋର୍ଟ।
୧୧ ଅକ୍ଟୋବର ୨୦୧୮: କାର୍ତ୍ତି ଚିଦମ୍ବରମ୍‌ଙ୍କ ସମ୍ପତ୍ତି ଜବତ କଲା ଇଡି।
୨୯ ମେ ୨୦୧୯: କାର୍ତ୍ତିଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ।
୨୦ ଅଗଷ୍ଟ ୨୦୧୯: ପି. ଚିଦମ୍ବରମ୍‌ଙ୍କ ଜାମିନ୍‌ ଆବେଦନ ନାମଞ୍ଜୁର କଲେ ଦିଲ୍ଲୀ ହାଇକୋର୍ଟ।
୨୧ ଅଗଷ୍ଟ ୨୦୧୯: ଚିଦମ୍ବରମ୍‌ଙ୍କୁ ଗିରଫ କଲା ସିବିଆଇ।
୧୬ ଅକ୍ଟୋବର ୨୦୧୯: ଇଡି ଦ୍ବାରା ଗିରଫ ହେଲେ ଚିଦମ୍ବରମ।

ସମ୍ବନ୍ଧିତ ଖବର