ନିଜ ରିଭଲଭରରୁ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କଲେ ଉତ୍ତରପ୍ରଦେଶ ଏଟିଏସ୍‌ର ଏଏସ୍‌ପି ରାଜେଶ ସାହାନୀ; ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌)ର ଅତିରିକ୍ତ ପୁଲିସ୍‌ ଅଧୀକ୍ଷକ (ଏଏସ୍‌ପି) ରାଜେଶ ସାହାନୀ ଆଜି (ମଙ୍ଗଳବାର) ସନ୍ଦେହଜନକ ପରିସ୍ଥିତରେ ମୁତ୍ୟୁବରଣ କରିବା ଏବଂ ତାଙ୍କର ମୃତ ଦେହ ଏଟିଏସ୍‌ କାର୍ଯ୍ୟାଳୟ ପରିସରରୁ ମିଳିବା ଘଟଣା ଏବେ ସମଗ୍ର ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ସକାଳୁ ଲକ୍ଷ୍ନୌର ଗୋମତି ନଗର ପୁଲିସ୍‌ ଥାନା ନିକଟରେ ଥିବା ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କାର୍ଡର କାର୍ଯ୍ୟାଳୟ ପରିସର ମଧ୍ୟରୁ ଏଟିଏସ୍‌ର ଏଏସ୍‌ପି ଥିବା ରାଜେଶ ସାହାନୀଙ୍କ ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା। ପ୍ରାଥମିକ ତଦନ୍ତ ପରେ ପୁଲିସ୍‌ ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି କହିଛି। ଏଏସ୍‌ପି ସାହାନୀ ତାଙ୍କ ନିଜ ସର୍ଭିସ୍‌ ରିଭଲଭରରୁ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି ବୋଲି ଉତ୍ତରପ୍ରଦେଶ ପୁଲିସ୍‌ କହିଛି। ତେବେ, ତାଙ୍କ ଆତ୍ମହତ୍ୟାର କାରଣ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ। ସେହିପରି ପୁଲିସ୍‌ ତାଙ୍କ ନିକଟରୁ ମଧ୍ୟ କୌଣସି ପ୍ରକାରର ‘ସୁଇସାଇଡାଲ୍‌ ନୋଟ୍‌’ ପାଇ ନାହିଁ। ଏହି ପରିପ୍ରେକ୍ଷୀରେ ଏଏସ୍‌ପି ସାହାନୀଙ୍କ ଆତ୍ମହତ୍ୟା ପଛର କାରଣ ଅସ୍ପଷ୍ଟ ଥିବାବେଳେ ଏହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୪ ଜୁଲାଇରୁ ରାଜେଶ ସାହାନୀ ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ ଏଏସ୍‌ପି ଭାବେ ନିଯୁକ୍ତ ହୋଇ କାର୍ଯ୍ୟ କରି ଆସୁଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମହାରାଷ୍ଟ୍ର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡର ମୁଖ୍ୟ ହିମାଂଶୁ ରାୟ ଗତ ମାସରେ ମଧ୍ୟ ନିଜ ସର୍ଭିସ୍‌ ରିଭଲଭରରୁ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର