ରୁଷକୁ ଡ୍ରୋନ ଦେଇଛୁ, କିନ୍ତୁ କ୍ଷେପଣାସ୍ତ୍ର ଦେଇନୁ : ଇରାନ

ତେହେରାନ :  ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷକୁ ଡ୍ରୋନ ଓ କ୍ଷେପଣାସ୍ତ୍ର ଯୋଗାଇବାକୁ ନେଇ ଇରାନକୁ ସାରା ବିଶ୍ବରେ ସମାଲୋଚନା କରାଯାଉଥିବାବେଳେ ମୁହଁ ଖୋଲିଛି ଇରାନ ।

ରୁଷକୁ ଡ୍ରୋନ ଯୋଗାଇଦିଆଯାଉଥିବା କଥା ଇରାନ ପକ୍ଷରୁ ସ୍ବୀକାର କରାଯାଇଛି । କିନ୍ତୁ ଇରାନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏସବୁ ଡ୍ରୋନ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପୂର୍ବରୁ ଯୋଗାଇ ଦିଆଯାଇଥିଲା । ଆହୁରି ମଧ୍ୟ ରୁଷକୁ କୌଣସି କ୍ଷେପଣାସ୍ତ୍ର ଦିଆଯାଇ ନାହିଁ ।

ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମିର ଅବଦୁଲ୍ଲାହିଆନ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର କିଛି ମାସ ପୂର୍ବରୁ ଡ୍ରୋନ ଦିଆଯାଇଥିଲା ।

ରୁଷକୁ ଡ୍ରୋନ ଯୋଗାଣ ଅଭିଯୋଗକୁ ପୂର୍ବରୁ ଇରାନ ଅସ୍ବୀକାର କରାଯାଉଥିଲା । ପ୍ରଥମ ଥର ପାଇଁ ଇରାନ ଏହାକୁ ସ୍ବୀକାର କରିଛି ।

ସୂଚନାଯୋଗ୍ୟ ଯେ ଇରାନ ପକ୍ଷରୁ ରୁଷକୁ କାମିକାଜି ଓ ସାହେଦ୍-୧୩୬ ଲଢୁଆ ଡ୍ରୋନ ଯୋଗାଇ ଦିଆଯାଇଛି । ଏସବୁ ଡ୍ରୋନ ବ୍ୟବହାର କରି ରୁଷ ୟୁକ୍ରେନର ବ୍ୟାପକ କ୍ଷତି କରିଚାଲିଛି ।

ରୁଷକୁ କ୍ଷେପଣାସ୍ତ୍ର ଓ ଆଉ କେତେକ ଡ୍ରୋନ ଯୋଗାଣ ନେଇ ଗତ ଅକ୍ଟୋବର ୬ ତାରିଖରେ ଇରାନର ଉପରାଷ୍ଟ୍ରପତି ମହମ୍ମଦ ମୁଖବୀରଙ୍କ ମସ୍କୋ ଗସ୍ତ କାଳରେ ନିଷ୍ପତ୍ତି ନିଆଯାଇଥିଲା । ଉପରାଷ୍ଟ୍ରପତିଙ୍କ ସହ ଇରାନର ରିଭୋଲ୍ୟୁସନାରୀ ଗାର୍ଡସର ଦୁଇ ଜଣ ବରିଷ୍ଠ ଅଧିକାରୀ ଓ ଇରାନର ଜାତୀୟ ସୁରକ୍ଷା ପରିଷଦର ଜଣେ ଅଧିକାରୀ ମସ୍କୋ ଗସ୍ତ କରିଥିଲେ ।

 

 

ସମ୍ବନ୍ଧିତ ଖବର