କରୋନା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ମାମଲା: ୧୦ ଦିନରେ ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନେଇ ଦାଖଲ ଦୁଇଟି ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି ଆଜି ସୁପ୍ରିମ କୋର୍ଟ କରିଛନ୍ତି। ୧୦ ଦିନ ମଧ୍ୟରେ ଏହାର ଜବାବ ରଖିବା ପାଇଁ ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ଗୌରବ କୁମାର ବନସଲ୍‌ ଏବଂ ରିପକ୍ କନସଲ୍‌ଙ୍କ ଦ୍ବାରା ଏହି ପିଆଇଏଲ୍‌ ଦାଖଲ ହୋଇଛି। ମାମଲାର ଶୁଣାଣି ବିଚାରପତି ଅଶୋକ ଭୂଷଣ ଏବଂ ଏମ୍‌ ଆର୍‌ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କରି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟିଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ୩ ଲକ୍ଷରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହେଲାଣି ବୋଲି ସାଧାରଣରେ ହିସାବ ଦିଆଯାଉଛି। କିନ୍ତୁ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ହୃଦଘାତ, ଫୁସଫୁସ ସମସ୍ୟା କିମ୍ବା ଅନ୍ୟ ଜଟିଳ ରୋଗ ସଂପର୍କରେ ଉଲ୍ଲେଖ କରାଯାଉଛି। ଫଳରେ ଏସବୁ ବ୍ୟକ୍ତିମାନେ ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପାଇବା ସମ୍ଭବ ହେବନାହିଁ। ଲୋକମାନେ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥାଇ ପାରନ୍ତି। କିନ୍ତୁ ଏହା କରୋନାରୁ ଆରମ୍ଭ ହୋଇଛି ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଜାତୀୟ ବିପର୍ଯ୍ୟୟରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ ନେଇ ଗୃହ ମନ୍ତ୍ରଳାୟ ନେଇ ୨୦୧୫ ଏପ୍ରିଲ ୮ ତାରିଖରେ ବିଜ୍ଞପ୍ତି ଜାରି କରିଛି। ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ଏହା ଦିଆଯିବ। କରୋନା ଏହି ଆଇନ ଅଧୀନରେ ମହାମାରୀ ଭାବେ ଘୋଷଣା ହୋଇଛି। ତେଣୁ କରୋନାରେ ମୃତବ୍ୟକ୍ତିଙ୍କ ସଂପର୍କୀୟଙ୍କୁ ସହାୟତା ଦିଆଯିବା ଆବଶ୍ୟକ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ତେବେ ଏ ସଂପର୍କିତ ସମସ୍ତ କାଗକପତ୍ର ଯୋଗାଡ଼ କରିବା ଲାଗି ଅତିରିକ୍ତ ସଲିସିଟର ଜେନେରାଲ ସମୟ ମାଗିବାକୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ୧୦ ଦିନ ସମୟ ଦେଇଛନ୍ତି। ଆସନ୍ତା ମାସ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।।

ସମ୍ବନ୍ଧିତ ଖବର