ଭାରତରେ ଆଇଏସ୍‌ ଶାଖା: ୟୁପି, ପଂଜାବରେ ଏନ୍‌ଆଇଏ ଚଢ଼ଉ, ୪ ଅଟକ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା‌ (ଏନ୍‌ଆଇଏ) ଆଜି ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ପଞ୍ଜାବ‌ରେ ସନ୍ଦିଗ୍ଧ ଆଇଏସ୍‌ ଶାଖାର ଉପସ୍ଥିତି ନେଇ ୮ ଟି ସ୍ଥାନରେ ଚଢ଼ଉ କରିଛି। ପଶ୍ଚିମ ଉତ୍ତରପ୍ରଦେଶର ୪ଟି ଜିଲ୍ଲାରେ ଚଢ଼ଉ କରି ଆଜି ୪ ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଭାରତରେ ଆଇଏସ୍‌ର ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦେବା ପାଇଁ ଏମାନେ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗତ ୧୨ ତାରିଖରେ ହାପୁର୍‌ରୁ ୨୪ ବର୍ଷୀୟ ମହମ୍ମଦ ଅବ୍‌ସର ଗିରଫ ହେବାର ୫ ଦିନ ପରେ ଆଜି ପୁଣିଥରେ ଏନ୍‌ଆଇଏ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। ତେବେ ଗତ ବର୍ଷ ଡିସେମ୍ବର ୨୬ରୁ ଏଯାବତ୍‌ ଏନ୍‌ଆଇଏ ୧୨ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ଏବଂ ଉତ୍ତର ଭାରତର ବିଭିନ୍ନ ଅଂଚଳରେ ରାଜନେତା ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଟା‌ର୍ଗେଟ୍‌ କରି ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀ ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିବା ଜଣାପଡ଼ିବାପରେ ଏନ୍‌ଆଇଏ ପକ୍ଷରୁ ଚଢ଼ଉ ଅଭିଯାନ ଆରମ୍ଭ ହୋଇଥିଲା। ତେବେ ଆଇଏସ୍‌ ଶାଖା ହରକତ୍-ଉଲ୍‌-ହର୍ବ-ଏ-ଇସଲାମ୍‌ର ଅଂଶବିଶେଷ ଥିବା କିଛି ଗିରଫ ସଦସ୍ୟଙ୍କୁ ଜେରା ସମୟରେ ମିଳିଥିବା ସୂଚନା ଆଧାରରେ ଏନ୍‌ଆଇଏ ଆଜି ଚଢ଼ଉ କରିଛି। ଏନ୍‌ଆଇଏ ଦ୍ବାରା ପୂର୍ବରୁ ହୋଇଥିବା ଚଢ଼ଉ ସମୟରେ ଷ୍ଟିଲ୍‌ କଣ୍ଟେନର, ୯୧ଟି ମୋବାଇଲ୍ ଫୋନ୍‌, ୧୩୪ଟି ସିମ୍‌ କାର୍ଡ, ୩ଟି ଲ୍ୟାପଟପ୍‌, ବିସ୍ଫୋରକ, ଛୁରୀ, ଖଣ୍ଡା ଆଦି ଜବତ ହୋଇଥିଲା।

ସମ୍ବନ୍ଧିତ ଖବର