ୟୁରୋପରେ ଆଇଏସ୍‌ର ଆକ୍ରମଣ ଯୋଜନା

ଲଣ୍ଡନ: ୨୦୧୫ରେ ପାରିସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୩୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ଆତ୍ମଘାତୀ ଆକ୍ରମଣ ରଚିଥିଲା ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ୍‌ ଅଫ୍‌ ଇରାକ ଆଣ୍ଡ ସିରିଆ (ଆଇଏସ୍‌ଆଇଏସ୍‌)। ସେହିଭଳି ବଡ ଧରଣର ଆକ୍ରମଣ ସାରା ୟୁରୋପ ମହାଦେଶରେ ରଚିବାକୁ ଆଇଏସଆଇଏସ୍ ଯୋଜନା କରୁଥିବା ଜବତ ହୋଇଥିବା ଦସ୍ତାବିଜରୁ ଜଣାପଡିଛି। ସୂଚନା ମୁତାବକ, ସିରିଆରେ ଏହା ମୂଳପେ‌ାଛ ହୋଇଯାଇଥିଲେ ମଧ୍ୟ ଅନ୍ୟ ଅଞ୍ଚଳରେ ଏବେବି ଆଇଏସ୍‌ଆଇଏସ୍‌ ନିଜ ଆତଙ୍କବାଦୀ ନେଟୱାର୍କ ପୂର୍ବ ଭଳି ପରିଚାଳନା କରୁଛି। ଆତଙ୍କବାଦୀଙ୍କୁ ବିଭିନ୍ନ ଦେଶର ସୀମାପାର କରାଇବା, ପାଣ୍ଠି ଯୋଗାଇବା, ହତ୍ୟା, ବ୍ୟାଙ୍କଲୁଟ, ଗାଡି ଧକ୍କା କରି ଦୁର୍ଘଟଣା ଏବଂ କମ୍ପ୍ୟୁଟର ହ୍ୟାକ୍‌ ଇତ୍ୟାଦି କାର୍ଯ୍ୟକଳାପରେ ତାଲିମ ଦେଉଥିବା ଜଣାପଡିଛି। ଗତବର୍ଷ ସିରିଆରେ ହୋଇଥିବା ଶେଷ ସଂଘର୍ଷ ବେଳେ ଆଇଏସ୍‌ଆଇଏସ୍‌ ଛାଡିଯାଇଥିବା କମ୍ପ୍ୟୁଟର ହାର୍ଡ ଡିସ୍କରୁ ଏଭଳି ସାଙ୍ଘାତିକ ତଥ୍ୟ ସବୁ ମିଳିଛି।। ଆତଙ୍କବାଦୀଙ୍କ ଯୋଜନା ବିଷୟରେ ସୂଚନା ଦେଇଛି ‘ସଣ୍ଡେ ଟାଇମ୍‌ସ’। ଉଦ୍ଧାର ହୋଇଥିବା ଦସ୍ତାବିଜରେ ୨୦୧୫ ପ୍ୟାରିସ ଗଣହତ୍ୟା ଏବଂ ୨୦୧୭ ମନହଟ୍ଟନ ଆକ୍ରମଣ ଉଲ୍ଲେଖ ଥିବାରୁ ସେହିଭଳି ଆକ୍ରମଣ ୟୁରୋପରେ ହେବା ଆଶଙ୍କା ପ୍ରକାଶ ପାଇଛି। ଏହି ନେଟୱାର୍କର ଗୋଟିଏ ସେଲ୍‌ ରୁଷିଆରେ ଥିବା ବେଳେ ଅନ୍ୟ ଦୁଇଟି ଜର୍ମାନୀରେ କାର୍ଯ୍ୟକ୍ଷମ ଅଛି। ଅନ୍ୟ ଗୋଟିଏ ସେଲ୍‌ ଉତ୍ତରପୂର୍ବ ସିରିଆରେ କରିବାକୁ ଯୋଜନା କରୁଛି ଏହି ସଂଗଠନ।

ସମ୍ବନ୍ଧିତ ଖବର