ଗୋଟିଏ ଥରରେ ୩୬ ଉପଗ୍ରହ ଛାଡ଼ିବ ଇସ୍ରୋ, ରବିବାର ଶ୍ରୀହରିକୋଟାରୁ ହେବ ଉତକ୍ଷେପଣ

ବେଙ୍ଗାଲୁରୁ : ଭାରତର ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆସନ୍ତା ରବିବାର ଦିନ ୩୬ଟି ଓ୍ବାନଓ୍ବେବ୍ ଇଣ୍ଟରନେଟ୍ ସାଟେଲାଇଟ୍ ମହାକାଶକୁ ଛାଡ଼ିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏଲଭିଏମ୩ ରକେଟ ମାଧ୍ୟମରେ ଏସବୁ ଉପଗ୍ରହଣକୁ ଛଡ଼ାଯିବ । ଏହି ଐତିହାସିକ ଉତକ୍ଷେପଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି ।

ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚପ୍ୟାଡରୁ ମାର୍ଚ୍ଚ ୨୬ ତାରିଖ ରାତି ୯ଟାରେ ଏଲଭିଏମ୩-ଏମ୩/ ଓ୍ବାନଓ୍ବେବ୍ ଇଣ୍ଡିଆ-୨ ମିଶନ ଅନୁଷ୍ଠିତ ହେବ। ଓ୍ଵାନ୍ ୱେବ୍ ର ଏହା ୧୮ତମ ଲଞ୍ଚ୍ ହେବ। କମ୍ପାନୀ ଏପର୍ଯ୍ୟନ୍ତ ୫୮୨ଟି ଉପଗ୍ରହ ଉତକ୍ଷେପଣ କରିସାରିଛି । ନିକଟରେ ମାର୍ଚ୍ଚ ୯ ତାରିଖରେ ଏଲନ ମସ୍କଙ୍କ କମ୍ପାନି ସ୍ପେସ୍ ଏକ୍ସର ଫାଲକନ୍-୯ ରକେଟ୍ ୪୦ଟି ଓ୍ବାନଓ୍ବେବ ଉପଗ୍ରହକୁ ନିଜ କକ୍ଷପଥକୁ ନେଇ ଯାଇଥିଲା।

ଯଦି ଏହି ଉତକ୍ଷେପଣ ସଫଳ ହୁଏ ତେବେ ବ୍ରିଟେନର ଓ୍ବାନଓ୍ବେବ୍ ମହାକାଶରେ ଥିବା ୬୦୦ରୁ ଅଧିକ ଉପଗ୍ରହର ନେଟଓ୍ବାର୍କକୁ ସମ୍ପୂର୍ଣ୍ଣ କରିବ। ଏଗୁଡ଼ିକ ହେଉଛି ପୃଥିବୀର ନିମ୍ନ କକ୍ଷପଥ ବିଶିଷ୍ଟ ଉପଗ୍ରହ, ଯାହା ମାଧ୍ୟମରେ ୱାନ୍ ୱେବ୍ ବିଶ୍ୱର ଦେଶମାନଙ୍କରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ବିସ୍ତାର କରିବାକୁ ଚାହୁଁଛି। ଏୟାରଟେଲର ମୂଳ କମ୍ପାନି ଭାରତୀ ଏଣ୍ଟରପ୍ରାଇଜେସ୍ ମଧ୍ୟ ୱାନୱେବରେ ନିବେଶ କରିଛି ।

ଭାରତ ସରକାର ଇସ୍ରୋର ବାଣିଜ୍ୟିକ ଶାଖା ଭାବରେ ଏନଏସଆଇଏଲ ଗଠନ କରିଛନ୍ତି । ଏନ୍ଏସ୍ଆଇଏଲ୍ ଓ୍ବାନଓ୍ବେବ୍ ସହ ୧୦୦୦ କୋଟି ରୁ ଅଧିକ ଟଙ୍କାର ଚୁକ୍ତି କରିଥିଲା, ଯାହା ଅଧୀନରେ ୭୨ଟି ଉପଗ୍ରହ କୁ ଦୁଇଥର ମହାକାଶକୁ ପଠାଯିବାର ଥିଲା। ଗତ ବର୍ଷ ଅକ୍ଟୋବର ମାସରେ ଶ୍ରୀହରିକୋଟାରୁ ୩୬ଟି ଓ୍ବାନଓ୍ବେବ୍ ଉପଗ୍ରହ ଉତକ୍ଷେପଣ କରାଯାଇଥିଲା ।

ସମ୍ବନ୍ଧିତ ଖବର