ଲୋକସଭାରେ ଓଡ଼ିଶା ପ୍ରସଙ୍ଗ

ଇନଲାଣ୍ଡ୍‌ ଭେସେଲ୍‌ ବିଲ୍‌କୁ ବିଜେଡିର ସମର୍ଥନ
ନୂଆଦିଲ୍ଲୀ : ପ୍ରବଳ ହଟ୍ଟଗୋଳ ମଧ୍ୟରେ ସୋମବାର ରାଜ୍ୟସଭାରେ ପାରିତ ହୋଇଛି ‘ଇନଲେଣ୍ଡ ଭେସେଲ୍‌ ବିଲ୍‌’-୨୦୨୧। ଏହି ବିଲ୍‌କୁ ସମର୍ଥନ କରିଛି ବିଜୁ ଜନତା ଦଳ (ବିଜେଡି)।

ରାଜ୍ୟସଭାରେ ଏହି ବିଲ୍‌ର ବିତର୍କରେ ଭାଗ ନେଇଥିଲେ ଦଳର ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଥିଲେ, ଦେଶ ଭିତରେ ଭାରତ ନୌ ପରିବହନର ଉପଯୋଗ ବହୁତ କମ କରୁଛି। ଆମେରିକା ଭଳି ଦେଶରେ ୨୧ ପ୍ରତିଶତ ଜଳପଥରେ ମାଲ ପରିବହନ ହେଉଛି। ତେଣୁ ସେହି ଦୃଷ୍ଟିରୁ ଭାରତରେ ନୌ ପରିବହନର ବିକାଶ କରିବାକୁ ପଡ଼ିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ। ଓଡିଶା ପରିପ୍ରେକ୍ଷୀରେ ମଧ୍ୟ ଅନେକ ସୁଯୋଗ ରହିଛି, ଯାହାକୁ କେନ୍ଦ୍ର ସରକାରଙ୍କୁ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲୋ। ସେ ବିଲ୍‌କୁ ସ୍ବାଗତ କରିବା ସହ ବିଲରେ ଥିବା ପେନାଲ୍ଟି ବ୍ୟବସ୍ଥାକୁ ମଧ୍ୟ ଶ୍ରୀ ଆଚାର୍ଯ୍ୟ ଯୁକ୍ତିଯୁକ୍ତ ବୋଲି କହିଥିଲେ।

ପୋଲାଭରମ ପ୍ରସଙ୍ଗରେ ପ୍ରଶ୍ନକୁ ଏଡ଼ାଇଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ
ଆଜି ରାଜ୍ୟସଭାର ପ୍ରଶ୍ନକାଳରେ ପୋଲାଭରମ ପ୍ରକଳ୍ପ ସମ୍ବନ୍ଧିତ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରକୁ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନଥିବା ଦର୍ଶାଇ ଏଡ଼ାଇ ଦେଇଥିଲେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ପ୍ରସନ୍ନ ଆଚାର୍ଯ୍ୟଙ୍କର ପ୍ରଶ୍ନ ଥିଲା, ଏହି ପ୍ରକଳ୍ପ ଦ୍ବାରା କେତେ ସଂଖ୍ୟକ ଲୋକ ପ୍ରଭାବିତ ହେବେ, ସେଥି ମଧ୍ୟରୁ କେତେ ଜଣ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଲୋକଙ୍କ ଜମି ଜଳମଗ୍ନ ହେବ। ଏଥିସହିତ କେନ୍ଦ୍ର ସରକାର ଓଡ଼ିଶାରେ ପୋଲାଭରମ ପ୍ରକଳ୍ପ ଯୋଗୁ ପ୍ରଭାବିତ ଲୋକମାନଙ୍କ ଥଇଥାନ ଓ ପୁର୍ନବାସ ପାଇଁ ସ୍ବତନ୍ତ୍ର ପ୍ୟାକେଜ ପ୍ରସ୍ତୁତ କରିଛନ୍ତି କି। ପିଇସିଏ ଆଇନ ଅର୍ନ୍ତଗତ ସେ ସବୁ ଅଂଚଳରେ ଗ୍ରାମସଭାର ଆୟୋଜନ କରାଯାଇଛି କି, ଯଦି କରାଯାଇଛି ତାହାହେଲେ ଓଡ଼ିଶା ଗାଆଁଗୁଡିକର ଥଇଥାନ ଓ ପୁର୍ନବାସକୁ ନେଇ ମତାମତ ନିଆଯାଇଛି କି ନାହିଁ ସେ ନେଇ ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଉତ୍ତର ଲୋଡ଼ିଥିଲେ। କେନ୍ଦ୍ରମନ୍ତ୍ରୀ ଉତ୍ତରରେ କହିଥିଲେ, ସାଂସଦ ଯେଉଁ ଚିନ୍ତାବ୍ୟକ୍ତ କରୁଛନ୍ତି ପ୍ରାରମ୍ଭିକ ଅଧ୍ୟୟନର ଆଧାରରୁ ଏହା ଜଳମଗ୍ନର ବିଷୟ, ଯାହାର ଓଡ଼ିଶାରେ ସମ୍ଭାବନା ରହଛି। ତେବେ ଏ ନେଇ ଓଡ଼ିଶା ସରକାରଙ୍କ ଦ୍ବାରା ଦାଖଲ ଏକ ମାମଲା ପ୍ରାରମ୍ଭରୁ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଓଡିଶା, ଛତିଶଗଡ଼ ଓ ତେଲେଙ୍ଗାନା ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇଛି। ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଏ ନେଇ କୌଣସି ପ୍ରକାର ଟିପଣୀ କରିବା ଉଚିତ ହେବ ନାହିଁ ବୋଲି କହି କେନ୍ଦ୍ରମନ୍ତ୍ରୀ ସିଧାସଳଖ ଉତ୍ତର ଦେଇନଥିଲେ।

‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ରେ ୬୯ କୋଟି ହିତାଧିକାରୀ ସାମିଲ
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ), ୨୦୧୩ ଅନ୍ତର୍ଗତ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ଯୋଜନାରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୮୬.୭ ପ୍ରତିଶତ ଅର୍ଥାତ ୬୯ କୋଟି ହିତାଧିକାରୀ ସାମିଲ ହୋଇଛନ୍ତି। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁବାସ ଚନ୍ଦ୍ର ସିଂହ ଓ କଂଗ୍ରେସ ସାଂସଦ କପିଲ ସିବଲଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ମାମଲା, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଂଜନା ଜ୍ୟୋତି। ଜୁଲାଇ ୨୦୨୧ରେ ଏହି ବ୍ୟବସ୍ଥା ଲାଗୁ କରିବାରେ ଦିଲ୍ଲୀ ହେଉଛି ସଦ୍ୟତମ ତଥା ବ୍ୟବସ୍ଥାକୁ ଲାଗୁ କରିନଥିବା ଛତିଶଗଡ଼, ଆସାମ ଓ ପଶ୍ଚିମବଙ୍ଗକୁ ମନ୍ତ୍ରାଳୟ ପରାମର୍ଶ ଦେଇ ଆସୁଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି।

ଖଣିଜ ପାଣ୍ଠି: ଓଡିଶାରେ ଗତ ଆର୍ଥିକ ବର୍ଷରେ ବ୍ୟୟ ୬୦୯୪.୪୬ କୋଟି
ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍) ଅନ୍ତର୍ଗତ ଓଡ଼ିଶାର ୩୦ଟି ଜିଲ୍ଲାରେ ଚଳିତ ବର୍ଷ ମାର୍ଚ୍ଚ ୨୦୨୧ ସୁଦ୍ଧା ୬୦୯୪.୪୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

୨୦୨୦ରେ ୩୦ ଜିଲ୍ଲାରେ ଖର୍ଚ୍ଚ ରାଶିର ପରିମାଣ ୩୪୫୫.୧୨ କୋଟି ଟଙ୍କାଥିଲା ବେଳେ ୨୦୧୯ରେ ୩୦ ଜିଲ୍ଲାରେ ଖର୍ଚ୍ଚ ହୋଇଥିଲା ୧୩୯୦.୬୫ କୋଟି ଟଙ୍କା। ଚଳିତ ବର୍ଷ ମାର୍ଚ୍ଚ ୨୦୨୧ ସୁଦ୍ଧା ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୨୨୦୧.୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସର୍ବନିମ୍ନ ୦.୦୩ କୋଟି ଟଙ୍କା ନୂଆପଡା ଜିଲ୍ଲାରେ ଖର୍ଚ୍ଚ କରାଯାଇଛି। ଅପରପକ୍ଷେ, କଟକ,ଦେବଗଡ଼, ନୟାଗଡ଼ ଓ ସୋନପୁର ଜିଲ୍ଲାରେ କୌଣସି ଅର୍ଥ ଖର୍ଚ୍ଚ କରାଯାଇନାହିଁ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ମମତା ମହନ୍ତଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

କଳାକାର ସହାୟତା ଯୋଜନାରେ ମାସିକ ଦିଆଯାଉଛି ୧୨୦୦ ଟଙ୍କା
ରାଜ୍ୟ ସରକାର ‘ଆର୍ଟିଷ୍ଟ ଫେଡେରେସନ’ ଯୋଜନା ଅନ୍ତର୍ଗତ ୧.୫ ଲକ୍ଷ କଳାକାରଙ୍କୁ ଚିହ୍ନଟ କରି ନାମାଙ୍କିତ କରିଛନ୍ତି। ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନ୍ତର୍ଗତ ବିଭିନ୍ନ ବର୍ଗର ୩୫ ହଜାର କଳାକାରଙ୍କୁ ପ୍ରତି ମାସରେ ୧୨୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଆଜି ଲୋକସଭାରେ କୋଭିଡ-୧୯ କାରଣରୁ ଓଡ଼ିଶାରେ ରୋଜଗାର ହରାଇଥିବା କଳାକାରଙ୍କ ସଂମ୍ବନ୍ଧରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ବାରା ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ରାଜ୍ୟ ସରକାରଙ୍କ ପ୍ରାପ୍ତ ତଥ୍ୟ ଆଧାରରେ ଅବଗତ କରାଇଥିଲେ କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତୀ ରାମେଶ୍ବର ତେଲି।

ବାଲେଶ୍ବରରେ ପ୍ଲାଷ୍ଟିକ୍‌ ପାର୍କ ପ୍ରତିଷ୍ଠା ପାଇଁ ପ୍ରତାପ ଷଡ଼ଙ୍ଗୀଙ୍କ ଦାବି
ବାଲେଶ୍ବରରେ ପ୍ଲାଷ୍ଟିକ୍‌ ପାର୍କ ସ୍ଥାପନ କରିବା ପାଇଁ ଆଜି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଲୋକସଭାରେ ଦାବି କରିଛନ୍ତି। ଲୋକସଭାରେ ଧାରା ୩୭୭ ଅନ୍ତର୍ଗତ ଏହି ପ୍ରସଙ୍ଗକୁ ସେ ଆଜି ଲୋକସଭାରେ ଉଠାଇଥିଲୋ ସେ କହିଥିଲେ, ଉତ୍ତର ଓଡ଼ିଶାର ବାଲେଶ୍ବରରେ ଅନେକ ପ୍ଲାଷ୍ଟିକ୍‌ ଓ ସମ୍ବନ୍ଧିତ ଉଦ୍ୟୋଗ ରହିଛି। ଉତ୍ତର ଓଡ଼ିଶା ଚାମ୍ବର ଆଣ୍ଡ୍‌ କମର୍ସ ଦ୍ବାରା ଗୋଟିଏ ଆକଳନ କରି କୁହାଯାଇଥିଲା, ଶହେରୁ ଅଧିକ ପ୍ଲାଷ୍ଟିକ୍‌ ଏମ୍‌ଏସ୍‌ଏମ୍‌ଇ ବାଲେଶ୍ବରରେ କାର୍ଯ୍ୟ କରୁଛି। ଆଗକୁ ଏହି ଅଂଚଳରେ ପ୍ଲାଷ୍ଟିକ୍‌ ଉଦ୍ୟୋଗ ଦ୍ବାରା ଆର୍ଥିକ ବିକାଶର ବହୁତ ସମ୍ଭାବନା ରହିଥିବାରୁ ବାଲେଶ୍ବରରେ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ବିଚାର କରନ୍ତୁ ବୋଲି ସାଂସଦ ଷଡ଼ଙ୍ଗୀ ଦାବି କରିଥିଲେ।

ସମ୍ବନ୍ଧିତ ଖବର