୨୮ରେ ଆସିବେ ଇଭାଙ୍କା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ ଆସନ୍ତା ୨୮ ତାରିଖରେ ଭାରତ ଆସୁଛନ୍ତି। ହାଇଦ୍ରାବାଦ୍‌ର ଇଣ୍ଟରନ୍ୟାସନାଲ କନଭେନସନ୍‌ ସେଣ୍ଟରରେ ଆୟୋଜିତ ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀରେ ଯୋଗଦେବାକୁ ଆସୁଥିବା ଇଭାଙ୍କାଙ୍କ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି।

ସହରର ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନିକଟରେ ତେଲେଙ୍ଗାନାର ନକ୍ସଲ ନିରୋଧ ଦଳ ଏବଂ ଆତଙ୍କବାଦ ପ୍ରତିହତ ଦଳ ସଜାଗ ରହିବେ। ପୁଲିସ କର୍ମୀମାନେ ଖାକି ପୋଷାକରେ ନରହି କଳା ସୁଟ୍‌ ପିନ୍ଧିବେ। ସେହିପରି କମାଣ୍ଡୋମାନେ ଋଷ୍‌ନିର୍ମିତ ଡ୍ରାଗୁନୋବ ସ୍ନାଇପର ରାଇଫଲ ଧରିବେ। ସାଜସଜା ପାଇଁ ଥାଇଲାଣ୍ଡ୍‌ର ବ୍ୟାଙ୍ଗକକ୍‌, ଇଣ୍ଡୋନେସିଆ ଏବଂ ବେଙ୍ଗାଲୁରୁରୁ ଫୁଲ ଅଣାଯାଉଛି। ବିଭିନ୍ନ ତାଜ୍‌ ହୋଟେଲ୍‌ର ପ୍ରମୁଖ ରୋଷେୟାମାନେ ଖାଦ୍ୟ ପ୍ରସ୍ତୁତ କରିବେ। ତାଜ୍‌ ଫଲକନୁମା ପ୍ରାସାଦରେ ଇଭାଙ୍କାଙ୍କ ରାତ୍ରିଭୋଜନ ପାଇଁ ସୁନା-ରୁପା ଥାଳି ସୁସଜ୍ଜିତ ହୋଇ ରହିଛି। ଇଭାଙ୍କାଙ୍କ ସଡ଼କ ପଥରେ ଗସ୍ତ ବେଳେ ତାଙ୍କ ସୁରକ୍ଷା ପାଇଁ ଆମେରିକାରୁ ୩ଟି ବିସ୍ଫୋରକ ନିରୋଧୀ ଲିମୋସିନ୍‌ କାର୍‌ ଆସି ଭାରତରେ ପହଞ୍ଚିଛି।

ଗତ ମଙ୍ଗଳବାର ଆମେରିକୀୟ ଗୁଇନ୍ଦା ସେବା ଅଧିକାରୀ ଏବଂ ଭାରତର କେନ୍ଦ୍ର ଗୃହ ମନ୍ତ୍ରାଳୟ, ର(ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ଵିଙ୍ଗ୍‌), ଏସ୍‌ପିଜି, ଆଇବି, ଇଣ୍ଟେଲିଜେନ୍ସ ସିକ୍ୟୁରିଟି ଓ୍ଵିଙ୍ଗ୍‌ ଏବଂ ସ୍ପେସାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ମିଳିତ ଭାବେ ସୁରକ୍ଷା ସଂକ୍ରାନ୍ତ ଆଲୋଚନା କରିଥିଲେ। ଇଭାଙ୍କା ଆମେରିକାରୁ ଆସି ସମଶାବାଦ୍‌ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସଡ଼କପଥରେ କଡ଼ା ସୁରକ୍ଷାରେ େଓ୍ଵଷ୍ଟିନ୍‌ ହୋଟେଲ୍‌ ଯିବେ। ସେଠାରେ ଅଳ୍ପ ସମୟ ରହଣି ପରେ ହାଇଦ୍ରାବାଦ୍‌ର ଇଣ୍ଟରନ୍ୟାସନାଲ କନଭେନସନ୍‌ ସେଣ୍ଟରରେ ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀରେ ଯୋଗ ଦେବେ। ଏହାପରେ ସେ ରାତ୍ରିଭୋଜନ ପାଇଁ ଫଲକନୁମା ପ୍ରାସାଦରେ ପହଞ୍ଚିବେ। ଆସନ୍ତା ୨୫ରୁ ସମସ୍ତ କାର୍ଯ୍ୟର ଦାୟିତ୍ୱ ପୁଲିସ ହାତରେ ହିଁ ରହିବ।

ସମ୍ବନ୍ଧିତ ଖବର