ଭୁବନେଶ୍ୱର ଓ ଜାହିରଙ୍କ ଦ୍ୱିତୀୟ ପାଳି ଆରମ୍ଭ

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ କ୍ରିକେଟର୍‌ଙ୍କ ପାଇଁ ଥିଲା ଶୁଭ ଦିନ। ଦୁଇ ଦ୍ରୁତ ବୋଲର (ଜାହିର ଖାନ୍‌ (ପୂର୍ବତନ) ଓ ଭୁବନେଶ୍ୱର କୁମାର (ବର୍ତମାନର) ଗୁରୁବାର ନିଜ ନିଜର ବାନ୍ଧବୀଙ୍କୁ ବିବାହ କରି ଦ୍ୱିତୀୟ ପାଳି ଆରମ୍ଭ କରିଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ଭୁବନେଶ୍ୱର କୁମାର ତାଙ୍କ ବାନ୍ଧବୀ ନୂପୁର ନାଗର ଏବଂ ଜାହିର ଖାନ୍‌ ବଲିଉଡ୍‌ ଅଭିନେତ୍ରୀ ସାଗରିକା ଘାଟ୍‌ଗେଙ୍କ ସହ ବିବାହ ଭଳି ପବିତ୍ର ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜାହିର ମୁମ୍ବାଇରେ ସାଗରିକାଙ୍କ ସହ କୋର୍ଟ ମ୍ୟାରେଜ୍‌ କରିଥିଲା ବେଳେ ଭୁବନେଶ୍ୱର-ନୂପୁରଙ୍କ ବିବାହ ମୀରଟ୍‌ରେ ସଂପନ୍ନ ହୋଇଛି। ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମରେ ନିଜ ନିଜର ପରିବାର ସଦସ୍ୟଙ୍କ ସହିତ ଅଳ୍ପ ସଂଖ୍ୟକ ସଂପର୍କିୟଙ୍କ ଉପସ୍ଥିତ ଥିଲେ। ଜାହିରଙ୍କ କୋର୍ଟ ମ୍ୟାରେଜ୍‌ ବେଳେ ନିକଟରେ ଅବସର ନେଇଥିବା ସାଥୀ ବାମହାତୀ ଦ୍ରୁତ ବୋଲର ଆଶିଷ ନେହେରା ଉପସ୍ଥିତ ଥିଲେ। କୋର୍ଟ ମ୍ୟାରେଜ୍‌ ପରେ ଜାହିର କେନ୍ଦ୍ରୀୟ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ରାତିରେ ଏକ ଭୋଜିର ଆୟୋଜନ କରିଥିଲେ। ସୋମବାର ନବ ଦମ୍ପତ୍ତି ତାଜ୍‌ ହୋଟେଲରେ ସମସ୍ତ ବନ୍ଧୁ, ପ୍ରଶଂସକ, ସାଥୀ ଖେଳାଳି ଓ ବଲିଉଡ୍‌ ତାରକାଙ୍କ ପାଇଁ ବଡ଼ ଧରଣର ଭୋଜିର ଆୟୋଜନ କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର କୁମାରଙ୍କ ଦୁଇଟି ବିବାହ ଭୋଜି ଆସନ୍ତା ୨୬ ଓ ୩୦ ତାରିଖରେ ଯଥାକ୍ରମେ ବୁଲାନ୍ଦ୍‌ସହର ଓ ଦିଲ୍ଲୀରେ ଆୟୋଜନ କରାଯିବ। ଏଠାରେ ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବା ପରେ ବିବାହ ପାଇଁ ଭୁବନେଶ୍ୱର କୁମାର ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି। ତେବେ ପ୍ରଥମ ଟେଷ୍ଟରେ ୮ ଓ୍ଵିକେଟ୍‌ ଦଖଲ କରି ସେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।

ସମ୍ବନ୍ଧିତ ଖବର