ଆଜି ଆସୁଛନ୍ତି ଟ୍ରମ୍ପଙ୍କ ଝିଅ ଇଭାଙ୍କା

ନୂଆଦିଲ୍ଲୀ/ହାଇଦ୍ରାବାଦ : ପ୍ରଥମ ଥର ଲାଗି ଦକ୍ଷିଣ ଏସିଆରେ ବିଶ୍ୱ ଉଦ୍ୟୋଗ ସମ୍ମିଳନୀ (ଜିଇଏସ୍‌) ଆୟୋଜିତ ହେଉଛି। ହାଇଦ୍ରାବାଦ୍‌ରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀ ମଙ୍ଗଳବାର ଆରମ୍ଭ ହୋଇ ୩୦ ତାରିଖରେ ସରିବ। ଆମେରିକା ଏବଂ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଜିଇଏସ୍‌ର ଏହି ଅଷ୍ଟମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ। ଏଥିରେ ପ୍ରାୟ ୧୫୦ଟି ଦେଶରୁ ଉଦ୍ୟୋଗୀ, ନିବେଶକ ଏବଂ ସହଯୋଗୀମାନେ ଯୋଗଦେଉଥିବା ବେଳେ ଆମେରିକାକୁ ପ୍ରତିନିଧିତ୍ୱ କରିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌।

ଚଳିତ ଥରର ବିଷୟବସ୍ତୁ ରହିଛି – ‘ପ୍ରଥମେ ମହିଳା, ସମସ୍ତଙ୍କ ସମୃଦ୍ଧି’ ଏବଂ ପ୍ରଥମ ଥର ଲାଗି ଏଥିରେ ସର୍ବାଧିକ ୫୨.୨ ପ୍ରତିଶତ ମହିଳା ଅଂଶଗ୍ରହଣ କରୁଛନ୍ତି। ଏପରିକି ଆଫଗାନିସ୍ତାନ, ସାଉଦି ଆରବ ଏବଂ ଇସ୍ରାଏଲ ସମେତ ୧୦ରୁ ଅଧିକ ମୁସ୍‌ଲିମ ରାଷ୍ଟ୍ରର କେବଳ ମହିଳା ଉଦ୍ୟୋଗୀମାନେ ଯୋଗଦେଇ ବିଭିନ୍ନ ଅଧିବେଶନ ଏବଂ କର୍ମଶାଳାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀ ଉଦ୍‌ଘାଟନ କରି ପ୍ରଥମେ ଅଭିଭାଷଣ ରଖିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଇଭାଙ୍କା ଟ୍ରମ୍ପ୍‌ ଉଦ୍‌ବୋଧନ ଦେବେ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଇଭାଙ୍କାଙ୍କ ପାଇଁ ହାଇଦ୍ରାବାଦରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରରୁ ଭିକାରୀମାନଙ୍କୁ ତଡ଼ି ଦିଆଯାଇଛି। ଇଭାଙ୍କାଙ୍କ ପାଇଁ ୧୦ ହଜାର ନିରାପତ୍ତା ଯବାନଙ୍କୁ ମୁତୟନ କରାଯାଇଛି। ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଇଭାଙ୍କାର ଏହା ହେବ ପ୍ରଥମ ବଡ଼ ଧରଣର ବିଦେଶ ଗସ୍ତ। ଟ୍ରମ୍ପଙ୍କ ବଡ଼ ଝିଅ ୩୬ ବର୍ଷୀୟା ଇଭାନା ହେଉଛନ୍ତି ହ୍ଵାଇଟ୍‌ ହାଉସର ଅନ୍ୟତମ ଉପଦେଷ୍ଟା।

ସମ୍ବନ୍ଧିତ ଖବର