‘ଲଭ୍‌ ଜିହାଦ’ ମାମଲାରେ ନୂଆ ମୋଡ଼

ପିତାମାତାଙ୍କ କବଳରୁ ମୁକ୍ତ ହେଲେ ହାଦିଆ

ପାଠପଢ଼ା ପାଇଁ କଲେଜ ପଠାଇଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : କେରଳର ତଥାକଥିତ ’ଲଭ୍‌ ଜିହାଦ୍‌’ ମାମଲା ଆଜି ନୂଆମୋଡ଼ ନେଇଛି। ଏହାର ଶିକାର ହୋଇଥିବା ହାଦିଆ ଆଜି ସୁପ୍ରିମ କୋର୍ଟରେ ହାଜର ହୋଇ ତାଙ୍କର ମତାମତ ରଖିଛନ୍ତିି। ସେ କହିଛନ୍ତି, ‘ମୁଁ ମୋ ସ୍ୱାମୀଙ୍କୁ ସାକ୍ଷାତ କରିବାକୁ ଚାହୁଛି। ମୋର ପାଠପଢ଼ା ସଂପୂର୍ଣ୍ଣ କରିବାକୁ ଚାହୁଛି। ମୋର ଆସ୍ଥା ଅନୁସାରେ ଜୀବନ ବିତାଇବାକୁ ଚାହୁଛି।’ ତେଣୁ ତାଙ୍କୁ ତାଙ୍କ ପିତାମାତାଙ୍କ କବଳରୁ ମୁକ୍ତ କରି ସ୍ୱାଧୀନ ନାଗରିକ ହିସାବରେ ରହିବାକୁ ଦିଆଯାଉ ବୋଲି କହିଛନ୍ତି।

ତାଙ୍କର ମତାମତ ଶୁଣିବା ପରେ ସୁପ୍ରିମ କୋର୍ଟ ହାଦିଆଙ୍କୁ ତାଙ୍କ ପିତାମାତାଙ୍କ କବଳରୁ ମୁକ୍ତ କରି ତାମିଲନାଡୁର ସାଲେମ ସ୍ଥିତ ହୋମିଓପାଥି ମେଡିକାଲ କଲେଜ ପଠାଇ ଦେଇଛନ୍ତି। ହାଦିଆ ସେଠାରେ ପୁଣି ପାଠପଢ଼ା ଆରମ୍ଭ କରିବେ। କଲେଜକୁ ହାଦିଆଙ୍କ ଅଭିଭାବକ ରୂପେ ନିଯୁକ୍ତ କରାଯାଇଛି।

କେରଳର ସଫିନ ଜହାନ ନାମକ ଜଣେ ମୁସଲିମ ଯୁବକଙ୍କ ସହିତ ହାଦିଆ ଧର୍ମ ପରିବର୍ତନ କରି ବିବାହ କରିବା ପରେ ବିବାଦ ସୃଷ୍ଟି ହୋଇଛି। କେରଳ ହାଇକୋର୍ଟ ତାଙ୍କର ବିବାହକୁ ଲଭ୍‌ ଜିହାଦର ଆଖ୍ୟା ଦେଇ ଏହାକୁ ବାତିଲ କରିଦେଇଥିଲେ। ଏହା ସହିତ ହାଦିଆଙ୍କୁ ତାଙ୍କ ପିତାମାତାଙ୍କ ଘରକୁ ପଠାଇ ଦେଇଥିଲେ। ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ହାଦିଆ ଆଜି ସୁପ୍ରିମ କୋର୍ଟରେ କହିଛନ୍ତି ଯେ ଗତ ୧୧ ମାସ ହେଲା ତାଙ୍କୁ ବେଆଇନ ଭାବେ ବନ୍ଦୀ କରି ରଖାଯାଇଛି। ଏଥିରୁ ତାଙ୍କୁ ମୁକ୍ତି ଦେବାଲାଗି ସେ ଅନୁରୋଧ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ୨୪ ବର୍ଷୀୟା ହାଦିଆଙ୍କ ସହିତ ପ୍ରାୟ ଏକ ଘଣ୍ଟା ୪୫ ମିନିଟ୍‌ ଧରି କଥାବାର୍ତା ହୋଇଥିଲେ। କୋର୍ଟ ଅଧିବେଶନ ୫ଟା ବେଳେ ସରିବାକୁ ଥିବା ବେଳେ ଏହାଠାରୁ ଅଧିକ ସମୟ ପର୍ଯ୍ୟନ୍ତ କୋର୍ଟ ଚାଲିଥିଲା। ହାଦିଆଙ୍କୁ ଜଷ୍ଟିସ ମିଶ୍ର ପ୍ରଶ୍ନ କରିଥିଲେ, ‘ଆପଣ ରାଜ୍ୟ ସରକାରଙ୍କ ଖର୍ଚରେ ପାଠପଢ଼ା ସଂପନ୍ନ କରିବାକୁ ଚାହାନ୍ତି କି?’ ହାଦିଆ କିନ୍ତୁ ତାଙ୍କ ସ୍ୱାମୀଙ୍କ ଖର୍ଚରେ ପଢ଼ିବେ ବୋଲି କହିିଥିଲେ। ହାଦିଆଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେବା ଲାଗି ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି।

ଦୁଇ ପୃଥକ ଧର୍ମାବଲମ୍ବୀଙ୍କ ମଧ୍ୟରେ ବିବାହ ଏବଂ ଜୀବନ ସାଥୀ ଚୟନରେ ମହିଳାଙ୍କ ଅଧିକାରର ପ୍ରଶ୍ନ ଜଡ଼ିତ ଥିବାରୁ ସୁପ୍ରିମ କୋର୍ଟରେ ଏହି ମାମଲା ବିଶେଷ ଗୁରୁତ୍ୱ ବହନ କରୁଛି। ମାମଲାର ପରବର୍ତୀ ଶୁଣାଣି ଆସନ୍ତା ଜାନୁଆରୀ ମାସରେ ହେବ।

ଆଜି ଶୁଣାଣି ଆରମ୍ଭରେ ଏନ୍‌ଆଇଏ ପକ୍ଷରୁ ଏକ ଶହେ-ପୃଷ୍ଠା ବିଶିଷ୍ଟ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା। ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆରବି ରବୀନ୍ଦ୍ରନ ଏହି ତଦନ୍ତର ତଦାରଖ କରୁଛନ୍ତି।

ସୂଚନାଯୋଗ୍ୟ, ୨୦୧୬ରେ ସଂପନ୍ନ ଏହି ବିବାହକୁ କେରଳ ହାଇକୋର୍ଟ ବାତିଲ କରିଦେଇଥିଲେ। ହାଦିଆଙ୍କ ପିତା ଅଭିଯୋଗ କରିଥିଲେ ଯେ କେତେକ ମୌଳବାଦୀ ତାଙ୍କ ଝିଅ ଅଖୀଳା ଓରଫ ହାଦିଆଙ୍କ ଉପରେ ଚାପ ପକାଇ ଧର୍ମ ପରିବର୍ତନ କରାଇଛନ୍ତି। ଏଥିରେ ଆଇଏସ୍‌ ଷଡ଼ଯନ୍ତ୍ର ନେଇ ସନ୍ଦେହ ପ୍ରକଟ କରାଯାଇଥିଲା। ତେବେ ହାଦିଆଙ୍କ ପତି ସଫିନ ହାଇକୋର୍ଟ ରାୟକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଥିଲେ। ସୁପ୍ରିମ କୋର୍ଟ ସମଗ୍ର ମାମଲାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା ‘ଏନ୍‌ଆଇଏ’କୁ ଦେଇଥିଲେ। ଏନ୍‌ଆଇଏ ତଦନ୍ତରେ ହାଦିଆ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଏ ସଂପର୍କରେ କୋର୍ଟରେ ହାଜର ହୋଇ ବୟାନ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। କୋର୍ଟ ମଧ୍ୟ ପୂର୍ବରୁ ହାଦିଆ ନିଜ ଇଚ୍ଛାରେ ଧର୍ମ ପରିବର୍ତନ କରିଥିଲେ କି ନାହିଁ ତାହାର ଅନୁଧ୍ୟାନ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର