ଝାରକ୍ରାଫ୍ଟରେ ୧୮.୪୧ କୋଟିର ଦୁର୍ନୀତି! ଧରିଲେ ଅଡିଟର ଜେନେରାଲ

ରାଞ୍ଚି: ଝାଡ଼ଖଣ୍ଡ ରେଶମ ବୟନଶିଳ୍ପ ଏବଂ ହସ୍ତଶିଳ୍ପ ଉନ୍ନୟନ ନିଗମ, ଝାରକ୍ରାଫ୍ଟ (ସିଲ୍କ ଟେକ୍ସଟାଇଲ ଆଣ୍ଡ ହାଣ୍ଡିକ୍ରାଫ୍ଟ ଡେଭଲପ୍‌ମେଣ୍ଟ କର୍ପୋରେସନ୍‌)ରେ ହୋଇଥିବା ଏକ ବଡ଼ ଧରଣର ଦୁର୍ନୀତି ଏବେ ସାମନାକୁ ଆସିଛି। ଝାଡ଼ଖଣ୍ଡ ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅଡିଟର ଜେନେରାଲଙ୍କ ଦ୍ୱାରା ପ୍ରସ୍ତୁତ ବାର୍ଷିକ ରିପୋର୍ଟରେ ଏହି ଦୁର୍ନୀତି ସଂପର୍କରେ ଉଲ୍ଲେଖ ରହିଛି। ଏଥିରେ ହୋଇଥିବା ଦୁର୍ନୀତିର ପରିମାଣ ୧୮.୪୧ କୋଟି ଥିବା ଅଡିଟର ଜେନେରାଲ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଆଦିବାସୀ ହସ୍ତକଳା ଓ ହସ୍ତଶିଳ୍ପକୁ ପରିବହନ କରିବା ବାବଦରେ ନିଗମ ପକ୍ଷରୁ ଯେଉଁ ଅର୍ଥ ରାଶି ବ୍ୟୟ ହୋଇଛି ବୋଲି ଦର୍ଶା ଯାଇଛି ସେଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନିଜ ରିପୋର୍ଟରେ ଦର୍ଶାଇଛନ୍ତି ଅଡିଟର ଜେନେରାଲ।

ଏଥିସହ ବୟନଶିଳ୍ପ ଅଧୀନରେ କମ୍ବଳ ପ୍ରସ୍ତୁତି ନିମନ୍ତେ ଯେଉଁ ସବୁ କଞ୍ଚାମାଲ ଯୋଗା ଯାଇଛି, ସେଥିରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଅଡିଟର ଜେନେରାଲ ଜାଣିବାକୁ ପାଇଛନ୍ତି। ଆଦିବାସୀ ହସ୍ତକଳା ଓ ହସ୍ତଶିଳ୍ପକୁ ପରିବହନ କରିବା ବାବଦରେ ନିଗମ ପକ୍ଷରୁ ପରିବହନ ବାବଦରେ ଯେଉଁ ସମସ୍ତ ଟ୍ରକକୁ ଭଡ଼ା ପ୍ରଦାନ କରାଯାଇଛି ବୋଲି ଦର୍ଶାଯାଇଛି, ପ୍ରକୃତ ପକ୍ଷେ ସେ ସମସ୍ତ ଟ୍ରକର ପରିବହନ ପରମିଟ ନଥିବା ଏବଂ ଏବାବଦରେ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଅଡିଟର ଜେନେରାଲ ତଦନ୍ତରୁ ଜାଣିବାକୁ ପାଇଛନ୍ତି। ଝାଡ଼ଖଣ୍ଡ ରେଶମ ବୟନଶିଳ୍ପ ଏବଂ ହସ୍ତଶିଳ୍ପ ଉନ୍ନୟନ ନିଗମରେ ହୋଇଥିବା ଏ ବ୍ୟାପକ ଦୁର୍ନୀତି ଏବେ ପଦାକୁ ଆସିବା ପରେ ଏହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର