‘ୟୁପିଏସ୍‌ସି’ ପରୀକ୍ଷାରେ ପାସ୍‌ କରି ବିଭିନ୍ନ ପ୍ରତିଷ୍ଠାନରୁ ସମ୍ମାନିତା ହେଲେ ଝାଡ଼ଖଣ୍ଡ ଝିଅ ଦିବ୍ୟା; ପରେ ଜଣାପଡ଼ିଲା ଇଏ ସେ ଦିବ୍ୟା ନୁହନ୍ତି

ରାମଗଡ଼: ଝିଅ ପ୍ରଥମ ଉଦ୍ୟମରେ ‘ସିଭିଲ୍‌ ସର୍ଭିସ୍‌ ପରୀକ୍ଷା’ରେ ପାସ୍‌ କରିଛି ବୋଲି ଘୋଷଣା କରିଥିବା ୨୪ ବର୍ଷୀୟ ଦିବ୍ୟା ପାଣ୍ଡେଙ୍କ ପରିବାର ଲୋକେ ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ, ‘ସେଣ୍ଟ୍ରାଲ୍‌ କୋଲ୍‌ଫିଲ୍‌ଡ୍‌ ଲିମିଟେଡ୍‌’ ଏବଂ ବିଭିନ୍ନ ଗଣମାଧ୍ୟମ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି। ସେମାନେ ସୂଚନା ଦେଇଥିଲେ ପାସ୍‌ କରିଥିବା ଦିବ୍ୟା ନାମକ ଝିଅଟି ତାଙ୍କ ଝିଅ ନୁହେଁ।

ଜିଲ୍ଲା ପ୍ରଶାସନ ଓ ‘ସେଣ୍ଟ୍ରାଲ୍‌ କୋଲ୍‌ଫିଲଡ୍‌ ଲିମିଟେଡ୍‌’ ଦିବ୍ୟାଙ୍କୁ ସମ୍ମାନିତ କରିଥିବା ବେଳେ ଗଣମାଧ୍ୟମ ସବୁ ତାଙ୍କ ସଫଳତା ସଂକ୍ରାନ୍ତ ଆଲେଖ୍ୟ ଛାପିଥିଲେ। ଦିବ୍ୟା ପାଣ୍ଡେଙ୍କ ତରଫରୁ କ୍ଷମାଯାଚନା କରିଥିବା ତାଙ୍କ ପରିବାର ଲୋକେ ଓ ପଡ଼ୋଶୀମାନେ କହିଛନ୍ତି, ୩୨୩ ସ୍ଥାନରେ ରହି ‘ୟୁପିଏସ୍‌ସି’ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଝିଅଟି ପ୍ରକୃତରେ ଦକ୍ଷିଣ ଭାରତର ଦିବ୍ୟା ପି, ଦିବ୍ୟା ପାଣ୍ଡେ ନୁହନ୍ତି।

Image Courtesy of Oneindia

ଦିବ୍ୟା ପାଣ୍ଡେଙ୍କ ବଡ଼ଭଉଣୀ ପ୍ରିୟଦର୍ଶନୀ ପାଣ୍ଡେ କହିଛନ୍ତି, ଦିବ୍ୟା ସର୍ବଭାରତୀୟସ୍ତରରେ ୩୨୩ ସ୍ଥାନରେ ରହି ‘ୟୁପିଏସ୍‌ସି’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ବୋଲି ଉତ୍ତର ପ୍ରଦେଶରେ ଥିବା ତା’ର ଜଣେ ସାଙ୍ଗ ସୂଚନା ଦେଇଥିଲା। ଆମେ ‘ୟୁପିଏସ୍‌ସି’‌ର ୱେବ୍‌ସାଇଟ୍‌ରେ ଫଳାଫଳ ଯାଞ୍ଚ କରିବାକୁ ଚେଷ୍ଟା କଲୁ କିନ୍ତୁ, ଇଣ୍ଟର୍‌ନେଟ୍‌ କାମ କରୁ ନ ଥିବାରୁ ଯାଞ୍ଚ ସମ୍ଭବ ହେଲାନାହିଁ।

Image Courtesy of NDTV

କୌଣସି ପ୍ରଫେସ୍‌ନାଲ୍‌ କୋଚିଙ୍ଗ୍‌ ନ ନେଇ କେବଳ ସ୍ମାର୍ଟଫୋନ୍‌ ଏବଂ ଇଣ୍ଟର୍‌ନେଟ୍‌ ସାହାଯ୍ୟରେ ପ୍ରଥମ ଉଦ୍ୟମରେ ହିଁ ଦିବ୍ୟା ପାଣ୍ଡେ ‘ୟୁପିଏସ୍‌ସି’ରେ ସଫଳତା ହାସଲ କରିଛି ବୋଲି ପରିବାର ଲୋକେ ଦାବି କରିଥିଲେ। ଦିବ୍ୟାଙ୍କ ବାପା ‘ସିସିଏଲ୍‌’ର ଜଣେ ଅବସରପ୍ରାପ୍ତ କ୍ରେନ୍‌ ଅପରେଟର୍‌ ହୋଇଥିବାରୁ ତା’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ପି.ଏମ୍‌. ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ (ଦିବ୍ୟା) ସମ୍ମାନିତା କରିଥିଲେ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିବ୍ୟା ପାଣ୍ଡେଙ୍କୁ ସମ୍ମାନିତା କରିଥିବା ରାମଗଡ଼ର ଡେପୁଟି କମିସନର୍‌ ମାଧବୀ ମିଶ୍ରା ଏହି ଘଟଣାକୁ ‘ମାନବୀୟ ପ୍ରମାଦ’ ବୋଲି କହିଛନ୍ତି। ଏଥିପାଇଁ ଦିବ୍ୟା ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର