ଭାରତରେ ବିଗତ ଅନେକ ବର୍ଷ ଧରି ଗୁପ୍ତଚରବୃତ୍ତି କରିଚାଲିଛି ଚୀନ

ନୂଆଦିଲ୍ଲୀ : ସୀମାରେ ଚୀନ ଓ ଭାରତ ମଧ୍ୟରେ ଯୁଦ୍ଧଭଳି ପରିସ୍ଥିତି ଉପୁଜିଥିବାବେଳେ  ଚୀନକୁ  ଭାରତୀୟ ପ୍ରତିରକ୍ଷା ବିଭାଗ ସହ ସମ୍ପର୍କିତ ଅତି ସଂବେଦନଶୀଳ  ତଥ୍ୟ ଯୋଗାଉଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜଣେ ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କରିଛି ।

କିଛିଦିନ ତଳେ ଖବର ଆସିଥିଲା ଯେ ଚୀନ ପ୍ରାୟ ୧୦ ହଜାର ଭାରତୀୟଙ୍କ ସୂଚନା ସଂଗ୍ରହ କରୁଛି । ସେମାନଙ୍କ ମଧ୍ୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସେନାପ୍ରମୁଖ ଆଦି ରହିଛନ୍ତି । ଜଣେ ସାମ୍ବାଦିକଙ୍କୁ ଗିରଫ କରାଯିବା ପରେ ଏହାର ଚେର ଆହୁରି ଗଭୀର ଥିବା ପୁଲିସ ସଂଦେହ କରୁଛି ।  ଚୀନ ମଧ୍ୟ ନିଜର ଆପଗୁଡିକ ମାଧ୍ୟମରେ ଗୁପ୍ତସୂଚନା ସଂଗ୍ରହ କରୁଥିବା ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ବାରମ୍ବାର ସତର୍କ  କରାଇଚାଲିଛନ୍ତି ।

ଦିଲ୍ଲୀ ପୋଲିସ ଏକ ବିବୃତ୍ତିରେ କହିଛି ଯେ ସଂପ୍‌କ୍ତ ସାମ୍ବାଦିକ ଚୀନ୍ ଗୁପ୍ତଚରଙ୍କ ନିକଟକୁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ, ସେନା ସମ୍ପର୍କିତ  ସମ୍ବେଦନଶୀଳ ସୂଚନା ପଠାଉଥିଲେ ।  ଚୀନ ମହିଳା କିନ ଓ ନେପାଳି ନାଗରିକ ଶେର ସିଂ ଶର୍ମାଙ୍କୁ ସେଲ କମ୍ପାନିମାନଙ୍କ ମାଧ୍ୟମରେ ଆସିଥିବା ବିପୁଳ ପରିମାଣର ଟଙ୍କା ଯୋଗାଉଥିଲେ । ତାହାର ପ୍ରତିବଦଳରେ ଶର୍ମା ସଂବେଦନଶୀଳ ଓ ଗୋପନୀୟ ସୂଚନା ତାଙ୍କୁ ପ୍ରଦାନ କରୁଥିଲେ ବୋଲି ତଦନ୍ତକାରୀ ଅଧିକାରୀ ତଥା ଦିଲ୍ଲୀ ପୁଲିସର ଡେପୁଟୀ କମିଶନର (ସ୍ବତନ୍ତ୍ର ସେଲ) ସଂଜୀବ ଯାଦବ କହିଛନ୍ତି । ଗିରଫ ବ୍ୟକ୍ତିମାନଙ୍କଠାରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଫୋନ, ଲାପଟପ, ପେନ ଡ୍ରାଇଭ ଓ ଆହୁରି କେତେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଶର୍ମାଙ୍କୁ ଗତ ୧୪ ତାରିଖରୁ ଅଟକ ରଖାଯାଇ ପଚରାଉଚୁରା କରିବା ପରେ ତାଙ୍କୁ ସରକାରୀ ଗୋପନୀୟତା ଆଇନ ଅନୁସାରେ ଗିରଫ କରାଯାଇଥିଲା ।

 

ସମ୍ବନ୍ଧିତ ଖବର