ନ୍ୟାୟାଳୟରେ ସରକାରୀ ହସ୍ତକ୍ଷେପ!

ପ୍ରଧାନ ବିଚାରପତିଙ୍କୁ ଜଷ୍ଟିସ୍‌ ଚେଲମେଶ୍ୱରଙ୍କ ପତ୍ର
ନ୍ୟାୟପାଳିକା-ସରକାର ମଧୁଚନ୍ଦ୍ରିକା ଗଣତନ୍ତ୍ର ପାଇଁ ମୃତ୍ୟୁଘଣ୍ଟି

ନୂଆଦିଲ୍ଲୀ : ନ୍ୟାୟପାଳିକାରେ ସରକାରୀ ହସ୍ତକ୍ଷେପ ବୃଦ୍ଧି ପାଉଛି। ଏହା ଗଣତନ୍ତ୍ର ପାଇଁ ବିପଦ। ସୁପ୍ରିମ୍‌ କୋର୍ଟର ବରିଷ୍ଠତମ ବିଚାରପତି ଜେ. ଚେଲମେଶ୍ୱର ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ପତ୍ର ଲେଖି ଏଭଳି ଅଭିଯୋଗ ଆଣିବା ସହିତ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଗତ ୨୧ ତାରିଖ ଦିନ ଜଷ୍ଟିସ ଚେଲମେଶ୍ୱର ଏହି ପତ୍ର ଲେଖିଛନ୍ତି। ଏହାର ନକଲ ସୁପ୍ରିମ କୋର୍ଟର ଅନ୍ୟ ୨୨ ଜଣ ବିଚାରପତିଙ୍କୁ ମଧ୍ୟ ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ନ୍ୟାୟପାଳିକାରେ କେନ୍ଦ୍ର ସରକାରଙ୍କର ହସ୍ତକ୍ଷେପ ବୃଦ୍ଧି ପାଉଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଏଭଳି ମଧୁର ଚନ୍ଦ୍ରିକା ଗଣତନ୍ତ୍ର ପାଇଁ ବଡ଼ ବିପଦ ସୃଷ୍ଟି କରିବ। ଏଭଳି ମଧୁଚନ୍ଦ୍ରିକା ଗଣତନ୍ତ୍ର ପାଇଁ ମୃତ୍ୟୁ ଘଣ୍ଟି। ଏହି ମାମଲା ଉପରେ ବିଚାର କରିବା ଲାଗି ସୁପ୍ରିମ୍‌ କୋର୍ଟଙ୍କ ପୂର୍ଣ୍ଣ ବେଞ୍ଚ ଡକାଇବାକୁ ସେ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି।

ଗତ ଜାନୁଆରୀ ୧୨ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ସୁପ୍ରିମ କୋର୍ଟର ଯେଉଁ ୪ ଜଣ ବିଚାରପତି ହଟଚମଟ ସୃଷ୍ଟି କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ଜଷ୍ଟିସ ଚେଲମେଶ୍ୱର। ସେହି ବିଚାରପତିଙ୍କ ପତ୍ର ଆଜି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଏହା ନ୍ୟାୟପାଳିକାର ନିରପେକ୍ଷତାକୁ ସନ୍ଦେହ ଘେରକୁ ଠେଲିଦେଇଛି।

ଜଷ୍ଟିସ ତାଙ୍କ ପତ୍ରରେ କର୍ଣ୍ଣାଟକ ମାମଲାର ଉଦାହରଣ ଦେଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଦୀନେଶ ମାହେଶ୍ୱରୀ କେନ୍ଦ୍ର ଆଇନ ମନ୍ତ୍ରାଳୟର ନିର୍ଦ୍ଦେଶରେ ଜିଲ୍ଲା ଜଜ୍‌୍‌ ପି. କ୍ରିଷ୍ଣା ଭଟ୍ଟଙ୍କ ବିରୋଧରେ ଆରମ୍ଭ କରିଥିବା ତଦନ୍ତ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ କଲେଜିୟମ କୃଷ୍ଣ ଭଟ୍ଟଙ୍କ ପଦୋନ୍ନତି ପାଇଁ ୨ ଥର ସୁପାରିସ କରିଥିଲେ। ଏହା ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। କିନ୍ତୁ ହାଇକୋର୍ଟର ମୁଖ୍ୟ ବିଚାରପତି ସରକାରଙ୍କ ଚାପରେ ଏଭଳି ତଦନ୍ତ କରିବା ଠିକ୍‌ ନୁହେଁ। ଯାହା ଲାଗୁଛି ମୁଖ୍ୟ ବିଚାରପତି ସରକାରଙ୍କ ନିର୍ଦେଶରେ କାମ କରିବାକୁ ବହୁତ ଆଗ୍ରହୀ ହୋଇପଡ଼ିଛନ୍ତି ବୋଲି ଜଷ୍ଟିସ୍‌ ଚେଲାମେଶ୍ୱର ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ବାବଦରେ ନ୍ୟାୟପାଳିକାର ସ୍ୱାଧୀନତା ପ୍ରସଙ୍ଗ ଉଠାଇ ସେ କହିଛନ୍ତି ‘ସୁପ୍ରିମ୍‌ କୋର୍ଟର ବିଚାରପତିଙ୍କ ଉପରେ କାର୍ଯ୍ୟପାଳିକାର ବଢ଼ିଚାଲିଥିବା ହସ୍ତକ୍ଷେପ ଯୋଗୁଁ ଆମେ ନିଜର ନିରପେକ୍ଷ ନୀତି ଏବଂ ସଂସ୍ଥାଗତ ସାଧୁତା ହରାଇଥିବା ଅଭିଯୋଗ ହେଉଛି।’

ସେ ଆହୁରି ଅଭିଯୋଗ କରିଛନ୍ତି, ‘ଆମ ସୁପାରିସକୁ ସରକାର କ୍ୱଚିତ ଗ୍ରହଣ କରନ୍ତି। କିନ୍ତୁ ଅଧିକାଂଶ ସୁପାରିସ ଉପରେ ବସି ରହିବା ସରକାରଙ୍କ ଅଭ୍ୟାସ ପାଲଟିଛି।’

ସୂଚନାଯୋଗ୍ୟ, ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଦ୍ୱାରା ମାମଲା ଆବଣ୍ଟନ ମାମଲାରେ ଅନ୍ୟ ୩ ଜଣ ବରିଷ୍ଠ ବିଚାରପତିଙ୍କ ସହିତ ବିଚାରପତି ଚେଲମେଶ୍ୱର ଅଭୂତପୂର୍ବ ସାମ୍ବାଦିକ ସମ୍ମିଳନୀ କରିଥିଲେ। ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ଦ୍ୱାରା ନାମ ସୁପାରିସ କରାଯିବା ପରେ ମଧ୍ୟ ସରକାର ଏ ବାବଦ ଫାଇଲ୍‌କୁ ଚପାଇ ରଖୁଛନ୍ତି ଏବଂ ଏହା ଦ୍ୱାରା ଅସନ୍ତୋଷ ଉପୁଜୁଥିବା ବିଚାରପତି କହିଛନ୍ତି। ପ୍ରଧାନ ବିଚାରପତି ଏହି ପ୍ରସଙ୍ଗରେ ପୂର୍ଣ୍ଣ ଖଣ୍ଡପୀଠ ଡକାଇ ନ୍ୟାୟପାଳିକାରେ ସରକାରଙ୍କ ହସ୍ତକ୍ଷେପ ମାମଲା ନେଇ ବିଚାର କରିବାକୁ କହିଛନ୍ତି। ସୁପ୍ରିମ୍‌ କୋର୍ଟ ସମ୍ବିଧାନର ନିୟମ ଅନ୍ତର୍ଗତ ଯେଭଳି ପ୍ରାସଙ୍ଗିକ ରହିବପାରିବ ତାହା ସୁନିଶ୍ଚିତ କରିବା ଜରୁରୀ ବୋଲି ଜଷ୍ଟିସ୍‌ ଚେଲମେଶ୍ୱର କହିଛନ୍ତି।

ସମ୍ବନ୍ଧିତ ଖବର