ଦେଶର ୨୪ଟି ହାଇକୋର୍ଟରେ ଲାଗିବ ‘ଜଷ୍ଟିସ୍‌ କ୍ଲକ୍‌’

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ଦେଶରେ ଥିବା ୨୪ଟି ହାଇକୋର୍ଟରେ ‘ଜଷ୍ଟିସ୍‌ କ୍ଲକ୍‌’ ବା ‘ଏଲ୍‌ଇଡି ମେସେଜ୍‌ ଡିସ୍‌ପ୍ଲେ ବୋର୍ଡ’ ଲଗାଇବେ। ଏଥିରେ ସମ୍ପୃକ୍ତ ହାଇକୋର୍ଟରେ ଦୈନିକ କେତେ ମାମଲା ଫଏସଲା ହେଉଛି, ପଡ଼ି ରହିଥିବା ମାମଲା ଏବଂ ଏହି କୋର୍ଟମାନଙ୍କର ଏକକ ସ୍ଥାନ ଆଦି ଏହି ବୋର୍ଡରେ ପ୍ରଦର୍ଶୀତ ହେବ।

ବିଚାରବିଭାଗୀୟ ମାମଲାରେ ଜନସଚେତନତା ସୃଷ୍ଟି କରିବାକୁ ଏହା ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଣ୍ଡକୁ ଜୁଟିଥିଲା। ପରେ ଏହା ଦେଶର ସମସ୍ତ ନିମ୍ନ ଅଦାଲତମାନଙ୍କରେ ପ୍ରଚଳନ କରାଯିବ।

କନିଷ୍ଠ ଆଇନ ମନ୍ତ୍ରୀ ପି ପି ଚୌଧୁରୀ କହନ୍ତି: ଏହାର ଉଦ୍ଦେଶ୍ୟ ହେଉଛି ମାମଲା ଫଏସଲା କରିବା ପାଇଁ ଅଦାଲତମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା। ଦକ୍ଷତା ଅନୁସାରେ ସେମାନଙ୍କୁ ର‍୍ୟାଙ୍କ୍‌ରେ ତାଲିକାଭୁକ୍ତ କରିବା।

ଏହି ‘କ୍ଲକ୍‌’ର ଏକ ନମୁନା ଗତବର୍ଷ ପ୍ରଥମେ ଆଇନ୍‌ ମନ୍ତ୍ରାଳୟ ଅଧୀନରେ ଥିବା ବିଚାର ବିଭାଗର ଦିଲ୍ଲୀ ଅଫିସ୍‌ରେ ଲାଗିଥିଲା।
ନାଗରିକ କେନ୍ଦ୍ରିକ ସେବା ଉପରେ ଆଲୋକପାତ କରିବା ଛଡ଼ା ରାଜଧାନୀର ଜୈସାଲେମର୍‌ ହାଉସ୍‌ରେ ଲାଗିଥିବା ଘଣ୍ଟା ଜିଲ୍ଲା ଏବଂ ନିମ୍ନ ଅଦାଲତମାନଙ୍କ ବିଷୟକ ସୂଚନା ଦେଉଛି।

ସମ୍ବନ୍ଧିତ ଖବର