ବିଜେପିରେ ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରାଜନୀତିର ‘ମହାରାଜ’ ଭାବେ ପରିଚିତ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କଂଗ୍ରେସ ସହ ୧୮ ବର୍ଷର ରାଜନୈତିକ ସଂପର୍କ ତୁଟାଇ ବିଜେପିରେ ସାମିଲ ହୋଇଯାଇଛନ୍ତି। ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ଜ୍ୟୋତିରାଦିତ୍ୟ ଆଜି ଦଳ ମୁଖ୍ୟାଳୟରେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। କଂଗ୍ରେସରେ ଏକଦା ରାହୁଲ ଗାନ୍ଧିଙ୍କ ଅତି ଘନିଷ୍ଠ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨ ଦିନ ତଳେ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ମଧ୍ୟପ୍ରଦେଶ କଂଗ୍ରେସର ୨୨ ଜଣ ବିଧାୟକ ମଧ୍ୟ ଦଳ ଛାଡ଼ି ଦେଇଥିଲେ। ଆଜି ବିଜେପିରେ ଯୋଗଦେବା ପରେ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ବିଜେପିରେ ସାମିଲ ହେବାପରେ ସାମ୍ବାଦିକ ସମ୍ମିଳନୀରେ ସିନ୍ଧିଆ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ବିଜେପି ପରିବାରରେ ସାମିଲ କରିଥିବାରୁ ସେ କୃତଜ୍ଞ। କଂଗ୍ରେସ ଦଳ ଛାଡ଼ିବା ସଂପର୍କରେ ସେ କହିଥିଲେ ଯେ ଯେଉଁ କଂଗ୍ରେସ ପାର୍ଟି ପ୍ରଥମେ ଥିଲା ଏବେ ଆଉ ତାହା ନାହିଁ। ଏହି ଦଳରେ ଏବେ ବାସ୍ତବିକତାକୁ ଗ୍ରହଣ କରାଯାଉ ନାହିଁ କି ‌ନୂଆ ନେତୃତ୍ବ ଏବଂ ବିଚାରଧାରାକୁ କୌଣସି ମାନ୍ୟତା ମିଳୁନାହିଁ। ୨୦୧୮ରେ ଯେତେବେ‌ଳେ ମଧ୍ୟପ୍ରଦେଶରେ କଂଗ୍ରେସର ସରକାର ଗଠନ ହେଲା ତାହା ଏକ ସ୍ବପ୍ନ ଭଳି ଥିଲା, କିନ୍ତୁ ଏହି ସ୍ବପ୍ନ ଏବେ ଚୁର୍‌ମାର ହୋଇଯାଇଛି। ମଧ୍ୟପ୍ରଦେଶର କମଳନାଥ ସରକାର ଦୁର୍ନୀତିକୁ ଏକ ଉଦ୍ୟୋଗରେ ପରିଣତ କରିଛନ୍ତି। ସମଗ୍ର ଶାସନ ବ୍ୟବସ୍ଥା ଦୁର୍ନୀତିରେ ବୁଡ଼ି ରହିଛି ଏବଂ ଲୋକଙ୍କ ପାଇଁ କାମ କରିବାକୁ କୌଣସି ସୁଯୋଗ ନାହିଁ ବୋଲି ସେ ଦର୍ଶାଇଥିଲେ। ଏବେ ଦେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ସୁଦୃଢ଼ ଓ ସୁରକ୍ଷିତ ଭାବେ ଆଗକୁ ବଢ଼ୁଛି । ଅନ୍ୟପକ୍ଷରେ କଂଗ୍ରେସ ହତାଶା ଓ ନିରାଶା ମଧ୍ୟରେ ରହିଥିବାରୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସିନ୍ଧିଆ କହିଛନ୍ତି। ଏବେ ସେ ତାଙ୍କର ଅଧୁରା ସ୍ବପ୍ନ କୋଟି କୋଟି ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ପୂରଣ କରିବେ ବୋଲି କହିଛନ୍ତି।

ମୋ ଘର ସବୁବେଳେ ସିନ୍ଧିଆଙ୍କ ପାଇଁ ଖୋଲା ଥିଲା: ରାହୁଲ
ନୂଆଦିଲ୍ଲୀ : ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡ଼ିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଗୋଟିଏ ଦିନ ନିରବ ରହିବାପରେ ଶେଷରେ ମୁହଁ ଖୋଲିଛନ୍ତି। ରାହୁଲ କହିଛନ୍ତି, ଜ୍ୟୋତିରାଦିତ୍ୟ ଦଳରେ ଏକମାତ୍ର ନେତା ଥିଲେ ଯିଏ କି ଯେକୌଣସି ସମୟରେ ମୋ ଘରକୁ ଆସିପାରୁଥିଲେ। ମୋ ଘର ସବୁବେଳେ ଜ୍ୟୋତିରାଦିତ୍ୟଙ୍କ ପାଇଁ ଖୋଲା ଥିଲା ବୋଲି ରାହୁଲ କହିଛନ୍ତି। ମିଳିଥିବା ସୂଚନାନୁଯାୟୀ ସିନ୍ଧିଆ ପ୍ରାୟ ମାସେ ଧରି ରାହୁଲ ଏବଂ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବାରେ ବିଫଳ ହୋଇଥିଲେ। ରାହୁଲଙ୍କ ସହ ସାକ୍ଷାତ ପାଇଁ ସିନ୍ଧିଆଙ୍କୁ ସୁଯୋଗ ମିଳିନଥିଲା। ଶେଷରେ ସେ ନିରାଶ ହୋଇ ଇସ୍ତଫା ଦେଇଥିଲେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର