ଭାଇରସ୍‌କୁ ନେଇ ଆତଙ୍କର କୌଣସି କାରଣ ନାହିଁ

ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ସୋସିଆଲ୍‌ ମିଡିଆରେ ବ୍ୟାପକ ମିଥ୍ୟା ପ୍ରଚାର ଚାଲିଛି। କରୋନା ଭାଇରସ ଅପେକ୍ଷା ସୋସିଆଲ୍‌ ମିଡ଼ିଆରେ ଏଭଳି ଗୁଜବ ଖୁବ୍‌ ଦ୍ରୁତ ଗତି‌ରେ ପ୍ରଚାର ହେଉଛି। କରୋନା ଭାଇରସଜନିତ ମୃତ୍ୟୁହାର ମାତ୍ର ୩.୪ ପ୍ରତିଶତ। ଏଣୁ କରୋନା ଭାଇରସକୁ ନେଇ ଏତେ ଆତଙ୍କିତ ହେବାର କାରଣ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଉହାନ୍‌ରେ ପ୍ରାଥମିକ ଅବସ୍ଥାରେ କରୋନା ମୃତ୍ୟୁ ହାର ସର୍ବାଧିକ ୧୭.୩ ପ୍ରତିଶତ ଥିଲା। ମାତ୍ର ଉହାନ୍‌ରେ ଆଜିର ଦିନରେ ଏହି ହାର ହ୍ରାସ ପାଇ ୫.୮ ପ୍ରତିଶତରେ ପହଞ୍ଚିଛି। ତେବେ ସୋସିଆଲ୍‌ ମିଡିଆରେ କରୋନା ଭାଇରସକୁ ନେଇ ଅଯଥା ବିଭ୍ରାନ୍ତି କରାଯାଉଛି। ଉହାନ୍‌କୁ ବାଦ୍‌ ଦେଲେ ଚୀନ୍‌ର ଅନ୍ୟ ଅଞ୍ଚଳରେ କରୋନା ଭାଇରସ ସଂକ୍ରମଣ ହାର ସର୍ବନିମ୍ନ। ଭାରତରେ ମଧ୍ୟ ଆତଙ୍କିତ ହେବାର କୌଣସି କାରଣ ନାହିଁ। କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମୁହଁରେ ମାସ୍କ ବ୍ୟବହାର ଜରୁରୀ ନୁହେଁ। ଏଣୁ ମାସ୍କ୍‌ ପାଇଁ ଅଯଥା‌ରେ କଳାବଜାର ସୃଷ୍ଟି କରିବା ଉଚିତ ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। କାଶ ଓ ଜ୍ଜର ନଥାଇ ଲୋକେ ମାସ୍କ ପିନ୍ଧିବା ଆଦୌ ଆବଶ୍ୟକ ନାହିଁ। କରୋନା ଭାଇରସ ଯେ କୌଣସି ଚଟାଣ ମାଧ୍ୟମରେ ବ୍ୟାପିଥାଏ। ଜଣେ କମ୍ପ୍ୟୁଟର କିମ୍ବା ଟେବୁଲ୍‌ରେ ହାତ ଲଗାଇ ମୁହଁରେ ବୋଳିଲେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ମାତ୍ର, ମାସ୍କ୍‌ ଦ୍ବାରା କରୋନା ରୋକାଯିବା ସମ୍ଭବ ନୁହେଁ। ଏଣୁ ମାସ୍କ ବ୍ୟବହାର ପାଇଁ ଅଯଥା ବିବ୍ରତ ହେବା ଉଚିତ ନୁହେଁ।

ଜର୍ମାନୀରେ ୭୦% ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇପାରନ୍ତି: ମ‌ର୍କେଲ୍‌
ନୂଆଦିଲ୍ଲୀ : ଜର୍ମାନୀରେ ପ୍ରାୟ ୭୦ ପ୍ରତିଶତ ଲୋକ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇପାରନ୍ତି। ବିଶେଷଜ୍ଞମାନେ ଏହା ଆକଳନ କରିଛନ୍ତି ବୋଲି ଜର୍ମାନୀ ଚାନ୍ସେଲର ଏଂଜେଲା ମର୍କେଲ କହିଛନ୍ତି। ଜର୍ମାନୀରେ ପ୍ରାୟ ୧,୩୦୦ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି ଏବଂ ୨ ଜଣଙ୍କ ଭାଇରସ୍‌ ଯୋଗୁଁ ମୃତ୍ୟୁ ହୋଇଛି। ତେଣୁ ‌ଭାଇରସ୍‌ ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ମର୍କେଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର