କାର୍ଗିଲ ବିଜୟ ଦିବସ ସମାରୋହ, ଯୁଦ୍ଧ ସରକାର ଲଢ଼ି ନଥାଏ ପୂରା ଦେଶ ଲଢ଼ିଥାଏ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ କାର୍ଗିଲ ବିଜୟ ଦିବସ ସମାରୋହରେ ଉଦ୍‌ବୋଧନ ଦେଇଛନ୍ତି। କାର୍‌ଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ହେବା ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁଦ୍ଧ ସରକାର ଲଢ଼ି ନଥାଏ, ପୂରା ଦେଶ ଯୁଦ୍ଧ ଲଢ଼ିଥାଏ। ସରକାର ଆସେ ଏବଂ ଚାଲିଯାଏ। କିନ୍ତୁ ଦେଶ ପାଇଁ ଯେଉଁମାନେ ଜୀବନ ଓ ମୃତ୍ୟୁକୁ ଖାତିର୍‌ ନକରି ଲଢ଼ନ୍ତି ସେମାନେ ଅଜୟ, ଅମର ହୋଇଯାଆନ୍ତି। ଦେଶର ଆଗମୀ ଭବିଷ୍ୟତ ପାଇଁ ବୀର ଯବାନ ନିଜକୁ ଆହୁତି ଦେଇଥାନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ସେ କାର୍‌ଗିଲ ଗସ୍ତ କରିଥିଲେ। ତେବେ ଏହାପୂର୍ବରୁ କାରଗିଲ ବିଜୟ ସମୟରେ ମଧ୍ୟ ସେ ସେଠାକୁ ଗସ୍ତ କରିଥିଲେ। କାର୍‌ଗିଲରେ ବିଜୟ ଭାରତର ମର୍ଯ୍ୟାଦା‌ ଏବଂ ଅନୁଶାସନର ବିଜୟ ଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାକିସ୍ତାନ ଆରମ୍ଭରୁ କଶ୍ମୀରକୁ ନେଇ ଛଳନା କରି ଆସିଛି। ୧୯୪୮, ୧୯୬୫ ଏବଂ ୧୯୭୧ରେ ପାକିସ୍ତାନ ବଡ଼ ଷଡ଼ଯନ୍ତ୍ର କରିଥିଲା। ୧୯୯୯ରେ ମଧ୍ୟ ଏହା ପୁଣି ଷଡ଼ଯନ୍ତ୍ର ରଚିଥିଲା। ତେବେ ପାକିସ୍ତାନର ସବୁ ଷଡ଼ଯନ୍ତ୍ରକୁ ଭାରତ ପଣ୍ଡ କରିଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିଜୟ ଦିବସ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର