ସାରଥି ଆଶ୍ରମରେ ନୋଟିସ୍‌ ମାରିଲା ‘ଇଡି’ : ସଂପତ୍ତିର ବିକ୍ରି-ଖରିଦ୍‌ ଉପରେ ନିଷେଧାଦେଶ, କୋଲକାତା ଗଲେ ସାରଥି

କେନ୍ଦ୍ରାପଡା : ଆଜି ସାରଥିଙ୍କ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ୍‌ ଲଗାଯାଇଛି। ଏଥିରେ ଆଶ୍ରମ ମାଲିକାନାରେ ଥିବା ସଂପତ୍ତିର ବିକ୍ରି-ଖରିଦ ଉପରେ ନିଷେଧାଦେଶ ଜାରି କରାଯାଇଛି। ସାରଥି ଆଶ୍ରମ ମାଲିକାନାରେ ଥିବା ପ୍ରାୟ ୩ ଏକର ୪୨ ଡେସିମିଲ୍‌ର ୨୬ଟି ପ୍ଲଟ୍‌କୁ ଜବତ କରାଯାଇଥିବା ନୋଟିସରେ ଉଲ୍ଲେଖ ରହିଛି। ଏଥିସହ ଆଶ୍ରମରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅନ୍ୟପକ୍ଷରେ ସାରଥି ଆଜି କୋଲକାତା ଯାଇଥିବା ସୂଚନା ମିଳିଛି। ସେ ସେଠାକୁ ଯିବା ନେଇ ସାରଥିଙ୍କ ଓକିଲ ଗତ ୨୫ ତାରିଖରେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟଙ୍କୁ ଅବଗତ କରାଇଥିଲେ। ଏଥିସହ ସାରଥିଙ୍କ ସହ ଯୋଗାଯୋଗ ପାଇଁ ମୋବାଇଲ୍‌ ନମ୍ବର ମଧ୍ୟ କୋର୍ଟରେ ଦାଖଲ କରାଯାଇଥିଲା।

ସାରଥି ରାଜ୍ୟ ବାହାରକୁ ଯାଇଥିବା ବେଳେ ଆଜି ପୂର୍ବାହ୍ନରେ ‘ଇଡି’ର ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ର, ଅଧିକାରୀ ରବି କୁମାର ଏବଂ ସହଯୋଗୀ ବିଜୟ କୁମାର ସାହୁ ବାରିମୂଳସ୍ଥିତ ସାରଥି ଆଶ୍ରମରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ସାରଥି ମାମଲାରେ ସାକ୍ଷୀ ଥିବା ସୁଶାନ୍ତ ଜେନା ଓ ଗିରିଧାରୀ ବାରିକ ‘ଆଶ୍ରମ ଭିତରକୁ କାହିଁକି ଅନଧିକାର ପ୍ରବେଶ କରୁଛନ୍ତି ଓ ଆପଣମାନେ କିଏ’ ବୋଲି ଅଧିକାରୀମାନଙ୍କୁ ପଚାରିଥିଲେ। ଅଧିକାରୀମାନେ ପରିଚୟପତ୍ର ଦେଖାଇ ଆଶ୍ରମ ଭିତରେ ପଶିଥିଲେ। ଆର୍ଥିକ ନେଣଦେଣ ଅଧିନିୟମ ୨୦୦୨ର ସେକ୍ସନ ୮, ନିର୍ଦ୍ଦେଶନାମା ୧.୯.୧୭/ ଓସି ନଂ. ୭୨୮/୨୦୧୭ ଅନୁଯାୟୀ ସେମାନେ ସେଠାରେ ଏକ ନୋଟିସ୍‌ ବୋର୍ଡ ଲଗାଇଥିଲେ। ଏହି ନୋଟିସ୍‌ରେ ଇଡି ଜବତ କରିଥିବା ସମସ୍ତ ସ୍ଥାବର ସମ୍ପତ୍ତିର ତାଲିକା ଉଲ୍ଲେଖ କରାଯାଇଛି। ସେହିପରି ଆଶ୍ରମ ମାଲିକାନାରେ ଥିବା ପ୍ରାୟ ୩ ଏକର ୪୨ ଡେସିମିଲ ଜମିରେ କୌଣସି ପ୍ରକାର ନେଣଦେଣ କରାଯାଇ ପାରିବ ନାହିଁ। ଆଶ୍ରମକୁ ଅନଧିକୃତ ପ୍ରବେଶ ଉପରେ ବାରଣ କରାଯାଇଛି। ତାଲିକାନୁଯାୟୀ ବାରିମୂଳ ମୌଜାର ସର୍ବମୋଟ୍ ୨୬ଟି ପ୍ଲଟ୍‌କୁ ଇଡି କବ୍‌ଜାକୁ ନେଇଛି। ସେଥିମଧ୍ୟରୁ ସାରଥି ନାମରେ ୨ଟି ଓ ସତ୍ୟମ ଚାରିଟେବଲ ଟ୍ରଷ୍ଟ ନାମରେ ୧୪ଟି ପ୍ଲଟ୍ ରହିଛି । ସେହିପରି ସାରଥିଙ୍କ ପୁଅ ସତ୍ୟମ ଶେଖର ରାଉଳ, ପ୍ରଦୀପ କୁମାର ରାଉଳ, ବିଚିତ୍ରାନନ୍ଦ ଭୂୟାଁ, ସୁରେନ୍ଦ୍ର ମଲ୍ଲିକ ଓ ଟ୍ରଷ୍ଟିଙ୍କର ୨ଟି ଲେଖାଏଁ ପ୍ଲଟ୍ ରହିଛି। କୌଣସି ବ୍ୟକ୍ତି ଜବତ ହୋଇଥିବା ଜମିରେ ଅନଧିକାର ପ୍ରବେଶ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନୋଟିସରେ ଉଲ୍ଲେଖ ରହିଛି। ଇଡି କେବଳ ଏହିସବୁ ସମ୍ପତ୍ତିର ରକ୍ଷଣାବେକ୍ଷଣ ଏବଂ ବ୍ୟବହାର ସମ୍ପର୍କିତ ନିଷ୍ପତ୍ତି ନେଇପାରିବ। ଅଧିକାରୀମାନେ ଆଶ୍ରମରେ ପହଞ୍ଚିବା ପରେ ସେଠାରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା। ‌କିଛି ଲୋକ ଆଶ୍ରମ ବାହାରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ ଗତ ଗୁରୁବାର ସଂଧ୍ୟାରେ ସାରଥି ଓରଫ ସନ୍ତୋଷ ରାଉଳ ଚୌଦ୍ବାର ଜେଲରୁ ଜାମିନରେ ମୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର