କେସିଆରଙ୍କ ଝିଅ କବିତାଙ୍କୁ ୯ ଘଣ୍ଟା ଧରି ଇଡିର ପଚରାଉଚୁରା, ମାର୍ଚ୍ଚ ୧୬ରେ ପୁଣି ଡକରା

ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିପିଏସ୍ ସମିତି)ର ନେତା କେ. କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମଦ ନୀତି ମାମଲାରେ ୯ ଘଣ୍ଟା ଧରି ପଚରାଉଚରା କରିଛି । ତାଙ୍କୁ ଆସନ୍ତା ୧୬ତାରିଖରେ ତାଙ୍କୁ ପୁଣି ହାଜର ହେବାକୁ ସମନ କରାଯାଇଛି ।

ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ମାମଲାରେ ଇଡି ହେପାଜତରେ ଅଛନ୍ତି । ଦିଲ୍ଲୀର ନୂଆ ମଦ ନୀତି ପ୍ରସ୍ତୁତିରେ ଦୁର୍ନୀତି ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା। ପରେ ଏହି ନୀତିକୁ ପ୍ରତ୍ୟାହାର କରି ନିଆଯାଇଥିଲା ।

ଦିଲ୍ଲୀ ମଦ ନୀତି ମାମଲା ତଦନ୍ତ କରୁଥିବା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ମୁଖ୍ୟ ଫୋକସ୍ ମଧ୍ୟସ୍ଥି, ବ୍ୟବସାୟୀ ଏବଂ ରାଜନେତାଙ୍କ ଏକ କଥିତ ନେଟୱାର୍କ ଉପରେ ରହିଛି, ଯାହାକୁ କେନ୍ଦ୍ରୀୟ ଏଜେନ୍ସିମାନେ “ସାଉଥ୍ ଗ୍ରୁପ୍” ବୋଲି କହୁଛନ୍ତି । ‘ସାଉଥ୍ ଗ୍ରୁପ୍’ କମ୍ପାନିଗୁଡ଼ିକୁ ସାହାଯ୍ୟ କରିବା ପାଇଁ ମଦ ନୀତିରେ ପରିବର୍ତ୍ତନ କରାଯାଇଥିଲା ଏବଂ ମନୀଷ ସିସୋଦିଆ ବେଆଇନଭାବେ ଏହି ଗ୍ରୁପକୁ ସୁହାଇଲା ଭଳି ନୀତି ପରିବର୍ତ୍ତନ କରିଥିଲେ ବୋଲି ଇଡି ଅଭିଯୋଗ କରିଛି । ‘ସାଉଥ୍ ଗ୍ରୁପ୍’ର ଲୋକଙ୍କ ମଧ୍ୟରେ କେ. କବିତା ମଧ୍ୟ ଏଜେନ୍ସିଗୁଡ଼ିକର ଟାର୍ଗେଟରେ ଅଛନ୍ତି। ତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ କେନ୍ଦ୍ରରେ ଜଣେ ପ୍ରମୁଖ ବିରୋଧୀ ଦଳ ନେତା। ସେଥିପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ମିଥ୍ୟା ମାମଲାରେ ବିରୋଧୀ ନେତାମାନଙ୍କୁ ହଇରାଣ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଥିବା ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି ।

ସମ୍ବନ୍ଧିତ ଖବର