କେରଳ ଲଭ୍‌ ଜିହାଦ ମାମଲା, ହାଇକୋର୍ଟ ରାୟକୁ ରଦ୍ଦ କଲେ ସୁପ୍ରିମ୍‌ କୋର୍ଟ

ହାଦିୟା ସ୍ୱାଧୀନ, ସ୍ୱାମୀଙ୍କ ସହ ରହିପାରିବେ, ଏନ୍‌ଆଇଏ ତଦନ୍ତ ଜାରି ରହିବ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କେରଳ ଲଭ୍‌ ଜିହାଦ ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଦିୟା ଓରଫ୍‌ ଅଖିଳାଙ୍କ ବିବାହକୁ ରଦ୍ଦ କରିବା ସଂକ୍ରାନ୍ତ କେରଳ ହାଇକୋର୍ଟଙ୍କ ରାୟକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଗତବର୍ଷ ମେ ୨୪ ତାରିଖରେ ହାଇକୋର୍ଟ ଏହି ମାମଲାରେ ରାୟ ଦେି ସାଫିନ୍‌ ଜେହାନ୍‌ଙ୍କ ସହିତ ହାଦିୟାଙ୍କ ବିବାହକୁ ରଦ୍ଦ କରିଥିଲେ। ତେବେ ଆଜିର ରାୟରେ ସର୍ବୋଚ୍ଚ ଅଦାଲତ ହାଦିୟାଙ୍କ ବିବାହକୁ ସମର୍ଥନ କରିଛନ୍ତି। କୋର୍ଟ କହିଛନ୍ତି ହାଦିୟା ସ୍ୱାଧୀନ। ନିଜ ଜୀବନସାଥୀ ବାଛିବାର ଅଧିକାର ତାଙ୍କର ରହିଛି। ହାଦିୟା ନିଜ ଇଚ୍ଛା ମୁତାବକ ନିଜ ସ୍ୱାମୀଙ୍କ ପାଖରେ ରହିପାରିବେ ଏବଂ ସେ ଏବେ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ତାଙ୍କ ନିଷ୍ପତ୍ତି ନେଇପାରିବେ। ତାଙ୍କ ବୈବାହିକ ଜୀବନରେ ଆଉ ଏଣିକି କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ କେରଳ ଲଭ୍‌ ଜିହାଦ୍‌ ମାମଲାରେ ଧର୍ମାନ୍ତରୀକରଣ ପ୍ରସଙ୍ଗ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା- ଏନ୍‌୍‌ଆଇଏ ଚଳାଇଥିବା ତଦନ୍ତ ଜାରି ରହିବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଏ ଏମ୍‌ ଖାନ୍‌ଓ୍ଵିଲକର ଏବଂ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଦିୟାଙ୍କ ସ୍ୱାମୀ ଜେହାନ୍‌ଙ୍କର ଏକ ଆବଦେନର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଦିୟା ଏବଂ ଜେହାନ୍‌ଙ୍କ ବିବାହକୁ କେରଳ ହାଇକୋର୍ଟ ରଦ୍ଦ କରିଦେବାପରେ ଜାହାନ୍‌ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଜେହାନ୍‌ଙ୍କ ଆବେଦନର ଶୁଣାଣି ସମୟରେ ହିଁ କୋର୍ଟ ରାୟ ପ୍ରଦାନ କରି କହିଛନ୍ତି କେରଳ ହାଇକୋର୍ଟ ହାଦିୟା ଏବଂ ଜାହାନ୍‌ଙ୍କ ବିବାହକୁ ରଦ୍ଦ କରିପାରିବେ ନାହିଁ। ଅନ୍ୟପକ୍ଷରେ ଏନ୍‌ଆଇଏ ଅପରାଧିକ ଦୃଷ୍ଟିକୋଣରୁ ଆଇନ ମୁତାବକ ତଦନ୍ତ ଜାରି ରଖିବେ ବୋଲି କୋର୍ଟ କହିଛନ୍ତି। ହାଦିୟାଙ୍କ ବାପା କୋର୍ଟଙ୍କର ଏହି ରାୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଝିଅ ଜଣେ ଆତଙ୍କବାଦୀ ସହ ରହିବା ତାଙ୍କୁ ବହୁତତ କଷ୍ଟ ଦେଇଛି। ତେବେ ସେ ନିଜର ନ୍ୟାୟିକ ଯୁଦ୍ଧ ଜାରି ରଖିବେ ଏବଂ ଏନଆଇଏ ମଧ୍ୟ ସେଫିନ୍‌କୁ ଆତଙ୍କବାଦୀ ଭାବେ ଗ୍ରହଣ କରି ତଦନ୍ତ ପ୍ରକ୍ରିୟା ଜାରି ରଖିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଜେହାନ ହାଦିୟାଙ୍କୁ ମତାଇବାରେ ସକ୍ଷମ ହୋଇଥିଲେ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ କେରଳ ୨୬ ବର୍ଷୀୟା ଝିଅ ଅଖିଳା ଓରଫ ହାଦିୟା ୨୦୧୬ ମସିହା ଜାନୁଆରି ମାସରେ ହିନ୍ଦୁ ଧର୍ମ ପରିତ୍ୟାଗ କରି ମୁସ୍‌୍‌ଲିମ ଧର୍ମକୁ ଗ୍ରହଣ କରିଥିଲେ ଏବଂ ସେହିବର୍ଷ ଡିସେମ୍ବର ମାସରେ ସେ ସେଫିନ୍‌ ଜାହାନଙ୍କୁ ବିବାହ କରିଥିଲେ। ତେବେ ଝିଅକୁ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇଛି ଏବଂ ତାଙ୍କ ସ୍ୱାମୀ ଜଣେ ଆତଙ୍କବାଦୀ କହି ହାଦିୟାଙ୍କ ବାପା କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କେରଳ ହାଇକୋର୍ଟ ଏହି ମାମଲାର ବିଚାର କରି ହାଦିୟାଙ୍କ ବିବାହ ରଦ୍ଦ କରିଦେଇଥିଲେ। ଚଳିତବର୍ଷ ଜାନୁଆରି ୨୩ ତାରିଖରେ ମଧ୍ୟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ ହାଦିୟାଙ୍କ ବିବାହ ବୈଧତା ନେଇ ତଦନ୍ତ କରିବାକୁ ମନା କରିଦେବା ସହ ବିବାହ ବିଷୟକୁ ଅପରାଧିକ ମାମଲାଠାରୁ ଭିନ୍ନ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର