ଜିଏମ୍‌ଆର୍‌ କମଳାଙ୍ଗ ଉପରେ ୪୧୦୦ କୋଟି ଋଣ ବାକି

ନୂଆଦିଲ୍ଲୀ: ଋଣ ନେଇ ଚାପରେ ଥିବା ପାଓ୍ଵାର ପ୍ଲାଣ୍ଟ୍‌ଗୁଡ଼ିକର ଯେଉଁ ତାଲିକା ଜାରି ହୋଇଛି ସେଥିରେ ଜିଏମ୍‌ଆର୍‌ ଏନର୍ଜିର କମଳାଙ୍ଗ ପ୍ରକଳ୍ପର ନାମ ରହିଛି। ଜିଏମ୍‌ଆର୍‌ କମଳାଙ୍ଗ ଉପରେ ୪୧୦୦ କୋଟି ଟଙ୍କାର ଋଣ ରାଶି ବାକି ପଡ଼ିଛି। ଏକ ସଂସଦୀୟ କମିଟିର ରିପୋର୍ଟରେ ଏହି ସୂଚନା ରହିଛି। କଂପାନିର ଓ୍ଵାରୋରା ଏବଂ ରାଇଖେଡ଼ା ପ୍ରକଳ୍ପ ଉପରେ ଯଥାକ୍ରମେ ୨୯୦୫ କୋଟ ଟଙ୍କା ଏବଂ ୮୧୩୭ କୋଟି ଟଙ୍କା ବାକି ପଡ଼ିଛି। ଶକ୍ତି ଷ୍ଟାଣ୍ଡିଂ କମିଟି ପକ୍ଷରୁ ସଂସଦରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ଋଣ ଶୁଝିବାକୁ ସଂଘର୍ଷ କରୁଥିବା ୩୪ଟି ବିଦ୍ୟୁତ ପ୍ରକଳ୍ପର ନାମ ରହିଛି। ଏହି ତାଲିକାରେ ଆଦାନି, ଜେପି, ଏସାର୍‌, ଲାଙ୍କୋ, ଜିଏମ୍‌ଆର୍‌ ଏନର୍ଜିଂ ଭଳି କଂପାନିଗୁଡ଼ିକର ନାମ ରହିଛି। ଏହି ସବୁ ପ୍ରକଳ୍ପଗୁଡ଼ିକ ଉପରେ ମୋଟ ଏକ ଲକ୍ଷ ୭୪ ହଜାର କୋଟି ଟଙ୍କାର ଋଣ ବାକି ପଡ଼ିଛି। ଆଦାନିର ଦୁଇଟି ପ୍ରକଳ୍ପ ଉପରେ ଯଥାକ୍ରମେ ୩୦୯୯ କୋଟି ଟଙ୍କା ଏବଂ ୧୧,୬୫୫ କୋଟି ଟଙ୍କା ବାକି ପଡ଼ିଛି। ସେହିପରି ଏସାରର ମହାନ ଏବଂ ତୋରି ପ୍ରକଳ୍ପ ଉପରେ ଯଥାକ୍ରମେ ୫୯୫୧ କୋଟି ଟଙ୍କା ଏବଂ ୩୧୧୨ କୋଟି ଟଙ୍କା ବାକି ପଡ଼ିଛି। ଜେପିର ତିନିଟି ପ୍ରକଳ୍ପ ଉପରେ ପାଖାପାଖି ୨୦ ହଜାର କୋଟି ଟଙ୍କାରୁ ଅଧିକ ଋଣ ରାଶି ବାକି ରହିଛି। ଏହି ତାଲିକାରେ ଲାଙ୍କୋର ଅମରକଣ୍ଟକ, ଅନପାରା, ବିଦର୍ଭ ଏବଂ ବାବନ୍ଧ ପ୍ରକଳ୍ପ ନାମ ରହିଛି। ଏହି ସବୁ ପ୍ରକଳ୍ପ ଉପରେ ୨୨ ହଜାର କୋଟି ଟଙ୍କାରୁ ଅଧିକ ଋଣ ରାଶି ଫସି ରହିଛି। ଏହି ତାଲିକାରେ ଜିଭିକେ ଇଣ୍ଡଷ୍ଟ୍ରିଜ୍‌, କେଏସ୍‌କେ ମହାନଦୀ ଏବଂ ଆର୍‌କେଏମ୍‌ ପାଓ୍ଵାରଜେନ୍‌ର ପ୍ରକଳ୍ପ ନାମ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର