କେରଳ ସାଂସଦଙ୍କ ପତ୍ନୀ ନିଶା ଜୋସ୍‌ ଆଣିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ; ବିବାଦରେ ବିଧାୟକଙ୍କ ପୁଅ

କେରଳ କଂଗ୍ରେସର ମୁଖ୍ୟ କେଏମ୍‌ ମଣିଙ୍କ ବୋହୂ ନିଶା ଜୋସ୍‌ଙ୍କ ସ୍ମୃତିଲିପି ପୁସ୍ତକ ‘ଦି ଅଦର୍‌ ସାଇଡ୍‌ ଅଫ୍‌ ଦିସ୍‌ ଲାଇଫ୍‌- ସ୍ନିପେଟ୍‌ସ୍‌ ଅଫ୍‌ ମାଇଁ ଲାଇଫ୍‌ ଆଜ୍‌ ପଲିଟିସିଆନ୍‌ସ୍‌ ଓ୍ଵାଇଫ୍‌’ର ମୁକ୍ତିଲାଭ କରିବା ସହ ବିବାଦ ସୃଷ୍ଟି କରିଛି। ସେଥିରେ ନିଶା ଥରେ ଟ୍ରେନ୍‌ ଯାତ୍ରା ସମୟରେ ସମ୍ମୁଖୀନ ହୋଇଥିବା ଯୌନଉତ୍ପୀଡ଼ନ ଘଟଣା ଏବେ ବିତର୍କର ବିଷୟ ପାଲଟିଛି।

କାହାର ନାମ ଉଲ୍ଲେଖ ନ କରି ସାଂସଦ ଜୋସ୍‌ ମଣିଙ୍କ ପତ୍ନୀ ନିଶା ଅଭିଯୋଗ କରିଛନ୍ତି ଯେ କେରଳର ଅନ୍ୟ ଜଣେ ରାଜନେତା ୨୦୧୨ରେ ତାଙ୍କ ସହ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଲକ୍ଷ୍ମଣ ରେଖା ଟପି ଯାଇଥିଲେ। ସେ ଅଭିଯୋଗ କରିଛନ୍ତି ସେ ପୁରୁଷ ଜଣକ ବିଭିନ୍ନ ସମୟରେ ଭୁଲ୍‌ କ୍ରମେ ତାଙ୍କ ପାଦ ସ୍ପର୍ଶ କରିଥିଲେ।

ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଏ ବାବଦରେ ସେ ଟିଟିଆଇଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେ ତାଙ୍କୁ ସହାୟତା କରିବାକୁ ମନା କରି ଦେଇଥିଲେ। ଟିଟିଆଇ କୁଆଡ଼େ ନିଶାଙ୍କୁ କହିଥିଲେ କି, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେ ନିଜେ ବିପଦ୍‌ରେ ପଡ଼ି ଯାଇ ପାରନ୍ତି। ରାଜନୈତିକ ମେଣ୍ଟରେ ଥିବାରୁ ମାମଲାକୁ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ରେଳବାଇ ଅଧିକାରୀ ପରାମର୍ଶ ଦେଇଥିଲେ ବୋଲି ନିଶା ଲେଖିଛନ୍ତି।

ନିଶାଙ୍କ ସ୍ମୃତିଲିପିକୁ କେରଳ ବିଧାୟକ ପି ସି ଜର୍ଜଙ୍କ ପୁଅ ଶୋନ୍‌ ଜର୍ଜ ଭାରି ତାରିଫ କରିଛନ୍ତି। ସେ ଦାବି କରିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯିବା ଆବଶ୍ୟକ। ନିଶା ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରି ନ ଥିବାରୁ ଲୋକେ ତାଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି କହି ସେ ପୁଲିସରେ ଅଭିଯୋଗ କରିଛନ୍ତି।

ରିପୋର୍ଟ ଅନୁସାରେ, ନିଶା ଏବଂ ଜର୍ଜ କେରଳ କଂଗ୍ରେସ ୟୁନିଟ୍‌ ପାଇଁ କାମ କରିବା ବେଳେ ଘଟଣାଟି ଘଟିଥିଲା। ସୋନ୍‌ ଜର୍ଜ ଏବଂ ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସ୍ମୃତିଲିପିର ପ୍ରସାର ପାଇଁ ନିଶା ଉକ୍ତ ଘଟଣା ଉପରେ ଗୁରୁତ୍ୱ ଦେଇଛନ୍ତି।

ଘଟଣାକୁ ସ୍ମରଣ କରି ନିଶା ଲେଖିଛନ୍ତି ଯେ, ସେ ରେଳ ଷ୍ଟେସନ୍‌ରେ ଅପେକ୍ଷା କରିଥିବାବେଳେ ଜଣେ ରାଜନେତାଙ୍କର ପୁଅ ବୋଲି ପରିଚୟ ଦେଇ ଲୋକଟି ତାଙ୍କ ସହ ଆଳାପ କରିଥିଲେ। ଟ୍ରେନ୍‌ରେ ଚଢ଼ିବା ପରେ ମଧ୍ୟ ସେ ତାଙ୍କ ସହ ଆଳାପ ଜାରି ରଖି ଥିଲା। ପରେ ସେ ଲକ୍ଷ୍ମଣ ରେଖା ଟପିବାରୁ ନିଶା ତାଙ୍କୁ କଠୋର ଜବାବ ଦେବା ସହ ନିଜ ସ୍ୱାମୀଙ୍କୁ ଏ କଥା ଜଣାଇ ଥିଲେ।

ସମ୍ବନ୍ଧିତ ଖବର