ହିମାଚଳ ପ୍ରଦେଶ ବିଧାନସଭା ଫାଟକରେ ଖଲିସ୍ତାନ ପତାକା ; ମାମଲା ରୁଜୁ

ଚଣ୍ଡୀଗଡ଼: ଧରମଶାଳାସ୍ଥିତ ହିମାଚଳ ପ୍ରଦେଶ ବିଧାନସଭାର ମୁଖ୍ୟ ଫାଟକ ଏବଂ ପାଚେରିରେ କେତୋଟି ଖଲିସ୍ତାନ ପତାକା ବନ୍ଧା ହୋଇଥିବା  ଓ ଖଲିସ୍ତାନୀ ସପକ୍ଷରେ କିଛି ସ୍ଲୋଗାନ୍‌ ଲେଖାଯାଇଥିବା ଆଜି ବଡ଼ି ସକାଳେ ଦେଖିବାକୁ ମିଳିଛି।

ଏ ବିଷୟରେ କଙ୍ଗ୍‌ରା ପୁଲିସକୁ ସୂଚନା ଦିଆଯିବା ପରେ ଡେପୁଟି କମିସନର୍‌ ଡକ୍ଟର୍‌ ନିପୁନ ଜିନ୍ଦଲ୍‌ ଘଟଣାଟି ସତ୍ୟ ବୋଲି ସୁନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଅପରାଧୀମାନଙ୍କୁ ଧରିବା ଲାଗି ପୁଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

ଗଣମାଧ୍ୟମକୁ ସେ କହିଛନ୍ତି, ତପିବନସ୍ଥିତ ରାଜ୍ୟ ବିଧାନସଭାର ବାହାର ଫାଟକରେ ଦୁର୍ବୃତ୍ତମାନେ ୫/୬ଟି ଖଲିସ୍ତାନୀ ପତାକା ବାନ୍ଧି ଛନ୍ତି ଏବଂ ପାଚେରିରେ ‘ଖଲିସ୍ତାନ ଜିନ୍ଦାବାଦ୍‌’ ବୋଲି ଲେଖିଛନ୍ତି। ପତାକାଗୁଡ଼ିକୁ ହଟାଇ ଦିଆଯିବା ସହ ଲେଖାକୁ ଲିଭାଇ ଦିଆଯାଇଛି। ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

Image Courtesy of Zee News

ଏହା ପଞ୍ଜାବରୁ ଆସିଥିବା କେତେକ ପର୍ଯ୍ୟଟକଙ୍କ କାର୍ଯ୍ୟ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏ ବିଷୟରେ ମାମଲା ରୁଜୁ କରାଯିବ ବୋଲି ମଧ୍ୟ ପୁଲିସ କହିଛି।

ଉକ୍ତ ଅଜ୍ଞାତ ଦୁର୍ବୃତ୍ତମାନଙ୍କ ବିରୋଧ ମାମଲା ରୁଜୁ ହୋଇସାରିଛି ବୋଲି ସଦ୍ୟତମ ସୂଚନାରୁ ଜଣାପଡ଼ିଛି। ଏଭଳି ଗୋଟାଏ କାଣ୍ଡ ଘଟିପାରେ ବୋଲି ଏପ୍ରିଲ୍‌ ୨୬ରେ ଗୁଇନ୍ଦା ସତର୍କ କରାଇ ଦେଇଥିଲା।

ଶିମ୍‌ଲାରେ ଭିନ୍ଦ୍ରେନ୍‌ୱାଲା ଏବଂ ଖଲିସ୍ତାନୀ ପତାକା ଉତ୍ତୋଳନ କରାଯିବ ବୋଲି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ‘ଶିଖ୍‌ ଫର୍‌ ଜଷ୍ଟିସ୍‌’ର ମୁଖ୍ୟ ଗୁରୁପତୱନ୍ତ ପାନ୍ନୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଥିବା କଥା ଉକ୍ତ ସତର୍କସୂଚନାରେ କୁହାଯାଇଥିଲା।

ଭିନ୍ଦ୍ରେନ୍‌ୱାଲା ଏବଂ ଖଲିସ୍ତାନୀ ପତାକା ଲାଗିଥିବା ଯାନବାହାନ ଉପରେ ପୂର୍ବରୁ ହିମାଚଳ ପ୍ରଦେଶ ସରକାର ନିଷେଧାଜ୍ଞା ଜାରି କରିଥିଲେ। ଏହା ‘ଏସ୍‌ଏଫ୍‌ ଜେ’କୁ ଉତ୍ତ୍ୟକ୍ତ କରିଥିଲା। ମାର୍ଚ ୨୯ରେ ଖଲିସ୍ତାନୀ ପତାକା ଉତ୍ତୋଳନ କରିବ ବୋଲି ଉକ୍ତ ସଙ୍ଗଠନ ଘୋଷଣା କରିଥିଲା। କିନ୍ତୁ, ବ୍ୟାପକ ନିରାପତ୍ତା ଯୋଗୁଁ ତାହା ସମ୍ଭବ ହୋଇ ନ ଥିଲା।

ସମ୍ବନ୍ଧିତ ଖବର