ଓଠକୁ ଛୁଇଁବା ବା ଚୁମ୍ବନ ଦେବା ଅପ୍ରାକୃତିକ ଅପରାଧ ନୁହେଁ; ଏଭଳି କହି ଅଭିଯୁକ୍ତକୁ ଜାମିନ ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଚର୍ଚ୍ଚାରେ ବମ୍ବେ ହାଇକୋର୍ଟ ରାୟ। ଓଠକୁ ଛୁଇଁବା ବା ଚୁମ୍ବନ ଦେବା ଅପ୍ରାକୃତିକ ଅପରାଧ ନୁହେଁ ବୋଲି କହି ଜଣେ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବା ପରେ ଏବେ ହାଇକୋର୍ଟଙ୍କ ବିଚାରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଓଠରେ ଚୁମ୍ବନ ଦେବା ଏବଂ ଶରୀରର ଅଙ୍ଗକୁ ଛୁଇଁବା ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୭୭ ଅନୁଯାୟୀ ଅପ୍ରାକୃତିକ ବର୍ଗର ଅପରାଧ ନୁହେଁ। ନାବାଳକକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ‌ଅଭିଯୁକ୍ତକୁ ଜାମିନ ପ୍ରଦାନ ବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ ଅନୁଜା ପ୍ରଭୁଦେସାଇଙ୍କ ଏଭଳି ରାୟ ଏବେ ଚର୍ଚ୍ଚାର ରହିଛି।

ସୂଚନା ମୁତାବକ, ନାବାଳକର ବାପା ନିଜ ଆଲମାରିରୁ କିଛି ଟଙ୍କା ହଜିଯାଇଥିବାର ଦେଖିଥିଲେ। ଏନେଇ ସେ ନାବାଳକକୁ ପଚାରିବାରୁ ଗେମ୍ ଖେଳିବା ପାଇଁ ଆଲମାରିରୁ ଟଙ୍କା ନେଇ ସେ ଅଭିଯୁକ୍ତକୁ ଦେଇଥିବା କହିଥିଲେ। ଏହା ସହ ଟଙ୍କା ଦେବା ସମୟରେ ଅଭିଯୁକ୍ତ ଓଠକୁ ଚୁମ୍ବନ ଦେବା ସହ ଗୁପ୍ତାଙ୍ଗକୁ ଛୁଇଁଥିବା କଥା ନାବାଳକ ନିଜ ବାପାଙ୍କୁ ଜଣାଇଥିଲେ। ଏବିଷୟରେ ଜାଣିବା ପ‌ରେ ନାବାଳକର ବାପା ପୁଲିସରେ ପୋସ୍କୋ ଅଧିନିୟମ ଅନୁଯାୟୀ ଓ ଧାରା ୩୭୭ ଅନୁଯାୟୀ ଏତଲା ରୁଜୁ କରିଥିଲେ। ଧାରା ୩୭୭ ଶାରୀରିକ ସମ୍ପର୍କ କିମ୍ବା ଅନ୍ୟ କୌଣସି ଅପ୍ରାକୃତିକ କାର୍ଯ୍ୟକୁ ଏକ ଦଣ୍ଡନୀୟ ଅପରାଧ କରିଥାଏ।

ndtv

ଆଇପିସିର ଧାରା ୩୭୭ ଲାଗିଲେ ଦୋଷୀକୁ ଆଜୀବନ କାରାଦଣ୍ଡ ହେବା ସହ ଜାମିନ ପ୍ରଦାନ କରିବା କଷ୍ଟସାଧ୍ୟ ହୋଇଥାଏ। କିନ୍ତୁ ଜଷ୍ଟିସ ପ୍ରଭୁଦେସାଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାବେଳେ କହିଛନ୍ତି ଯେ, ନାବାଳକର ଡାକ୍ତରୀ ପରୀକ୍ଷା‌ ରିପୋର୍ଟରୁ ସେ ଯୌନ ନିର୍ଯାତନାର ଶିକ‌ାର ହୋଇଥିବା କଥା ଜଣାପଡ଼ିନାହିଁ। ପୀଡ଼ିତଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଦୋଷୀ ପୀଡ଼ିତଙ୍କ ଓଠକୁ ଚୁମ୍ବନ ଦେବା ସହ ଗୁପ୍ତାଙ୍ଗକୁ ଛୁଇଁଥିଲା, ଯାହା ଅପ୍ରାକୃତିକ ନୁହେଁ। ତେଣୁ ଧାରା ୩୭୭ ଅନୁଯାୟୀ ଅଭିଯୁକ୍ତକୁ ଦଣ୍ଡିତ କରାଯାଇପାରିବ ନାହିଁ।

ଜଷ୍ଟିସ ପ୍ରଭୁଦେସାଇ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ଏକ ବର୍ଷ ହେଲାଣି ଜେଲରେ ଅଛି ଏବଂ ମାମଲାର ଶୁଣାଣି ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ନାହିଁ। ସେଥିପାଇଁ ୩୦,୦୦୦ ଟଙ୍କା ଜରିମାନା ସହ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରୁଛି। ଉପରୋକ୍ତ ତଥ୍ୟ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବେଦନକାରୀ ଜାମିନ ପାଇବାକୁ ହକଦାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର