କୁଳଭୂଷଣ ମାମଲା: ଆଇସିଜେରେ ପାକିସ୍ତାନର ମୁଖା ଖୋଲିଲା ଭାରତ

ଦ ହଗ୍‌: ପାକିସ୍ତାନ ସାମରିକ ଅଦାଲତ ଦ୍ବାରା ଫାଶୀ ଦଣ୍ଡାଦେଶ ପାଇଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ଆଜି ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)ରେ ଭାରତ ଦ୍ବିତୀୟ ପର୍ଯ୍ୟାୟରେ ନିଜ ପକ୍ଷ ରଖିଛି। ଗତକାଲି ପାକିସ୍ତାନର ଓକିଲ ଭାରତ ବିରୋଧରେ ଅଶାଳୀନ ଭାଷା ପ୍ରୟୋଗ କରିଥିବାରୁ ଆଜି ଭାରତର ପକ୍ଷ ରଖିଥିବା ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେ ପାକିସ୍ତାନର ବ୍ୟବହାରକୁ କଡ଼ା ନିନ୍ଦା କରିବା ସହ କୋର୍ଟ ଏହି ମାମଲାରେ ଲକ୍ଷ୍ମଣ ରେଖା ଟାଣିବା ଉଚିତ ବୋଲି କହିଥିଲେ। ସାଲ୍‌ଭେ କହିଥିଲେ- ପୁରୁଖା ଓକିଲମାନେ କୁହନ୍ତି ଯେତେବେ ଆପଣ ଆଇନରେ ପାରଙ୍ଗମ ସେତେବେଳେ ଆପଣ ଆଇନ ଉପରେ ଅଧିକ ଗୁରୁତ୍ବ ଦେବେ, ଯେତେବେଳେ ଆପଣ ତଥ୍ୟରେ ଶକ୍ତିଶାଳୀ, ସେତେବେଳେ ଆପଣ ତଥ୍ୟ ଉପରେ ଜୋର୍‌ ଦେବେ, କିନ୍ତୁ ଯେତେବେଳେ ଆପଣଙ୍କର କେଉଁଥିରେ ବି ସାମର୍ଥ୍ୟ ନାହିଁ, ସେତେବେଳେ ଆପଣ ଟେବୁଲ୍‌ ବାଡ଼େଇ ନିଜ ଶକ୍ତି ପ୍ରଦର୍ଶନ କରିବେ। ପାକିସ୍ତାନ ଏବେ କୁଳଭୂଷଣ ମାମଲାରେ ଏହା ହିଁ କରୁଛି ବୋଲି ସାଲ୍‌ଭେ କହିଥିଲେ। ଯାଦବଙ୍କୁ ନ୍ୟାୟ ନଦେବା ପାଇଁ ପାକିସ୍ତାନ ନାନା ଚାଲ୍‌ ଖେଳୁଛି ଏବଂ ଆଇସିଜେରେ ଏହାର ଅନେକ୍‌ ଚାଲ୍‌ ପଣ୍ଡ ହୋଇଯାଇଛି। ମାମଲାର ଚୂଡ଼ାନ୍ତ ରାୟ ଦେବାପାଇଁ ଆଇସିଜେର ସାମର୍ଥ୍ୟ ରହିଛି ଏବଂ ଏଥିରେ ଅନ୍ୟ ପକ୍ଷର ପରାମର୍ଶ ଆବଶ୍ୟକ ନାହିଁ ବୋଲି ସାଲ୍‌ଭେ ଭାରତର ଯୁକ୍ତି ରଖି କହିଛନ୍ତି। ପାକିସ୍ତାନ ମିଥ୍ୟା ପ୍ରମାଣ ଦେଇ କୋର୍ଟକୁ ବିଭ୍ରାନ୍ତ କରିଛି ଏବଂ ଯାଦବଙ୍କ ବିରୋଧରେ ଗୋଟିଏ ବି ଯୁକ୍ତିଯୁକ୍ତ ପ୍ରମାଣ ନଥିବାରୁ ଏହି ମାମଲାରେ ନ୍ୟୟ ପ୍ରଦାନରେ ବିଳମ୍ବ ହେବା ଅନୁଚିତ ବୋଲି ସାଲ୍‌ଭେ କହିଛନ୍ତି।

ସମ୍ବନ୍ଧିତ ଖବର