ପବିତ୍ର କ୍ଷେତ୍ର ଘୋଷଣା ପରେ ଦୁଇଟି ସହ‌ରରେ ମଦ ଓ ମାଂସ ବିକ୍ରି ହେବ ବନ୍ଦ!

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଜୈନ ତୀର୍ଥସ୍ଥାନ କୁଣ୍ଡଲପୁର ସମେତ ଦୁଇଟି ସହରକୁ ‘ପବିତ୍ର କ୍ଷେତ୍ର’ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଦୁଇଟି ସହରରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି କହିଛନ୍ତି ଶିବରାଜ ସିଂ ଚୌହ୍ବାନ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ୨୮୫ କିଲୋମିଟର ଦୂରରେ ଥିବା ଦମୋହ ଜିଲ୍ଲାର କୁଣ୍ଡଲପୁରରେ ଜୈନ ସମ୍ପ୍ରଦାୟର ପଞ୍ଚକଲ୍ୟାଣକ ମହୋତ୍ସବରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏହି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କହିଛନ୍ତି, ‘ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ପ୍ରେରଣାରେ ମୁଁ କୁଣ୍ଡଲପୁର ଏବଂ ବନ୍ଦକପୁରକୁ ପବିତ୍ର କ୍ଷେତ୍ର ବୋଲି ଘୋଷଣା କରୁଛି, ଯେଉଁଠାରେ ଆଗାମୀ ଦିନରେ ମାଂସ ଓ ମଦ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିବ।’ ବନ୍ଦକପୁର ସହର ପ୍ରଭୁ ଶିବଙ୍କ ପାଇଁ ପ୍ରସିଦ୍ଧ।

ଶିବରାଜ ସିଂ ଚୌହ୍ବାନ କହିଛନ୍ତି ଯେ ବିଦ୍ୟାସାଗର ମହାରାଜଙ୍କ ଇଚ୍ଛା ଅନୁଯାୟୀ ରାଜ୍ୟ ସରକାର ଏକ ବର୍ଷ ମଧ୍ୟରେ ମେଡିକାଲ ଏବଂ ଇଞ୍ଜିନିୟରିଂ ସିଲାବସ ହିନ୍ଦୀରେ ଆରମ୍ଭ କରିବେ। ଏଥିସହିତ ସେ ଗାଈମାନଙ୍କୁ ସୁରକ୍ଷା ଦେବା ଏବଂ ବୃକ୍ଷ ରୋପଣ କାର୍ଯ୍ୟରେ ଆଗକୁ ଆସିବାକୁ ନାଗରିକମାନଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର