ସବରିମାଳାରେ ମହିଳାଙ୍କ ପ୍ରବେଶ ମାମଲା: ୭ ଜଣିଆ ପୀଠରେ ଶୁଣାଣି ହେବ

ନୂଆଦିଲ୍ଲୀ: ସବରିମାଳା ମନ୍ଦିରରେ ବୟସ ନିର୍ବିଶେଷରେ ମହିଳାମାନଙ୍କର ପ୍ରବେଶ ଅଧିକାର ରହିବ କି ନାହିଁ, ଏ ସଂକ୍ରାନ୍ତ ପୁନଃ ଆବେଦନ ମାମଲାକୁ ଆଜି ସୁପ୍ରିମ୍‌ କୋର୍ଟ ବଡ଼ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ଏହି ମାମଲାର ଶୁଣାଣି ଏବେ ୭ ଜଣି‌ଆ ଖଣ୍ଡପୀଠ କରିବେ। ଆଜି ପାଞ୍ଚ ଜଣିଆ ଖଣ୍ଡପୀଠରେ ସବରିମାଳା ପୁନଃ ଆବେଦନ ମାମଲାର ଶୁଣାଣି ଚାଲିଥିବା ବେଳେ ଏହା ବିରୋଧରେ ୨ ଜଣ ବିଚାରପତିଙ୍କ ମତ ଆସିବାରୁ ଏହାର ବିଚାର ପାଇଁ ବୃହତ୍ତର ଖଣ୍ଡପୀଠକୁ ସୁପାରିସ କରାଯାଇଛି। ୭ ଜଣିଆ ଖଣ୍ଡପୀଠ ଏହି ମାମଲାର ପୁନଃ ଶୁଣାଣି କରିବା ପରେ ଚୂଡ଼ାନ୍ତ ରାୟ ଶୁଣାଇବେ।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାକୁ ୭ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କୁ ସୁପାରିସ କରିଛନ୍ତି। ମାମଲାର ବିଚାର ସମୟରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଏ. ଏମ୍‌. ଖାନ୍‌ଓ୍ଵାଲିକର୍‌ ଏବଂ ଇନ୍ଦୁ ମାଲହୋତ୍ରା ସବରିମାଳା ମାମଲା ୭ ଜଣିଆ ଖଣ୍ଡପୀଠ ଦ୍ବାରା ବିଚାର ହେଉ ବୋଲି ମତ ରଖିଥିଲେ। ଏହି ତିନି ଜଣ ନିଜ ରାୟରେ କହିଛନ୍ତି ଯେ ଧାର୍ମିକ ବିଶ୍ୱାସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହା ବଡ଼ ଖଣ୍ଡପୀଠରେ ବିଚାର ଆବଶ୍ୟକ କରୁଛି। ପାଞ୍ଚଜଣିଆ ସମ୍ବିଧାନ ଖଣ୍ଡପୀଠର ଅନ୍ୟ ଦୁଇ ବିଚାରପତି ଆର୍‌ ଏଫ୍‌ ନରିମାନ୍‌ ଏବଂ ବିଚ‌ାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଭିନ୍ନ ମତ ପୋଷଣ କରିଥିଲେ। ସୂଚନାଯୋଗ୍ୟ, ୧୦ ରୁ ୫୦ ବର୍ଷ ବୟସର ମହିଳାମାନଙ୍କ ଲାଗି ସବରିମାଳା ମନ୍ଦିର ପ୍ରବେଶ ବାରଣ କରାଯାଇଛି। ମନ୍ଦିର ପ୍ରବେଶକୁ ନେଇ ଏହି ନିୟମକୁ ୨୦୧୮ ମସିହା ସେପ୍ଟେମ୍ବର ୧୮ ତାରିଖରେ ସୁପ୍ରିମ୍‌ କୋର୍ଟ ନିଷିଦ୍ଧ କରିଥିଲେ ଏବଂ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅନୁମତି ଦେଇଥିଲେ। ଏହାକୁ ବିରୋଧ କରି ପ୍ରାୟ ୬୫ଟି ପିଟିସନ୍‌ ସୁପ୍ରିମ୍‌ କୋର୍ଟରେ ଦାଏର ହୋଇଥିଲା।

ସମ୍ବନ୍ଧିତ ଖବର