ନିଜେ ଗାଇଥିବା ଗୀତ କାହିଁକି ଶୁଣୁ ନ ଥିଲେ ଲତା ମଙ୍ଗେସ୍‌କର୍‌!

ମୁମ୍ବାଇ: ସଙ୍ଗୀତ ରସିକମାନେ ଲତା ମଙ୍ଗେସ୍‌କର୍‌ଙ୍କ ଗୀତଗୁଡ଼ିକୁ ବାର ବାର ଶୁଣୁଥିଲେ ମଧ୍ୟ ନିଜେ ଗାଇଥିବା ଗୀତଗୁଡ଼ିକୁ ଲତା କଦାପି ଶୁଣୁ ନ ଥିଲେ ବୋଲି ଥରେ କହିଥିଲେ। କାରଣ, ସେ ଗାଇ ସାରିଥିବା ଗୀତଗୁଡ଼ିକରେ ଅସଂଖ୍ୟ ତ୍ରୁଟି ଥିବା ଜାଣି ପାରୁଥିଲେ।

୨୦୨୦ରେ ‘ବଲିଉଡ୍‌ ହଙ୍ଗାମା’ ସହ ସାକ୍ଷାତ୍‌କାର ବେଳେ ସେ କହିଥିଲେ, କଦାପି ନୁହେଁ! ମୁଁ ମୋ ଗୀତ ସବୁ ଶୁଣେ ନାହିଁ। ଯଦି ଶୁଣିବି, ମୋ ଗାୟନରେ ଅସଂଖ୍ୟ ତ୍ରୁଟି ପାଇବି। ଅତୀତରେ ବି ମୁଁ ଗୀତଟିଏ ରେକର୍ଡିଙ୍ଗ୍‌ କରି ସାରିଲେ, ତାହାକୁ ପୁନର୍ବାର ଶୁଣୁ ନ ଥିଲି।

ତାଙ୍କ ପରି ଆଉ କେହି ଗାଇ ପାରିବେ ନାହିଁ ବୋଲି ଉକ୍ତ ସାକ୍ଷାତ୍‌କାରରେ ପଚରା ଯିବାରୁ ଲତା ତାହାକୁ ଅଗ୍ରାହ୍ୟ କରି କହିଥିଲେ, ସେ ଅଳକା ୟାଗ୍ନିକ୍‌, ଶ୍ରେୟା ଘୋଷାଲ୍‌ ଏବଂ ସୁନିଧି ଚୌହାନଙ୍କ କଣ୍ଠସ୍ବର ପସନ୍ଦ କରନ୍ତି। ସେ କହିଥିଲେ, ମୁଁ ଆପଣଙ୍କ କଥାରେ ଏକମତ ନୁହେଁ। ମୋ ପୂର୍ବରୁ ଓ ପରେ ଅନେକ ପ୍ରତିଭାବାନ୍‌ ଗାୟିକା ଥିଲେ ଓ ଅଛନ୍ତି। ସେମାନେ ମୋ ସହ ତୁଳନୀୟ ନ ହେବେ କାହିଁକି? ମୋ ପୂର୍ବରୁ ଗାୟିକା ନୂର ଜହାଁ, ଶମ୍‌ଶାଦ୍‌ ବେଗମ୍, ଗୀତା ଦତ୍ତ ଏବଂ ମୋ ଭଉଣୀ ଆଶା ମଧ୍ୟ ଅତ୍ୟନ୍ତ ପ୍ରତିଭାବାନ। ଏବେ ଗାଉଥିବା ଅଳକା ୟାଗ୍ନିକ୍‌, ଶ୍ରେୟା ଘୋଷାଲ୍‌ ଏବଂ ସୁନିଧି ଚୌହାନ୍‌ ମଧ୍ୟ ଭଲ ଗାଉଛନ୍ତି।

Image Courtesy of India Today

ଲତା ମଙ୍ଗେସ୍କର୍‌ ଥିଲେ ଅତ୍ୟନ୍ତ ବିନୟୀ। ପ୍ରଶଂସକମାନଙ୍କ ଅସୀମ ଶ୍ରଦ୍ଧା ନିମନ୍ତେ ମଧ୍ୟ ସେ ଥିଲେ ଅତ୍ୟନ୍ତ କୃତଜ୍ଞ। ତାଙ୍କ ଭାଷାରେ, ମୋର ବିଶ୍ବାସ ହେଉନାହିଁ, ୭୫ ବର୍ଷ ହେବ ସଙ୍ଗୀତପ୍ରେମୀମାନେ ମତେ ସହ୍ୟ କରିଆସୁଛନ୍ତି। ସେମାନଙ୍କ ସ୍ନେହ ଓ ଆନୁଗତ୍ୟ ବିନା ମୋର କୌଣସି ମୂଲ୍ୟ ନ ଥାନ୍ତା। ସଫଳତାକୁ ମୁଁ ଅହଙ୍କାର ମନେକରି ନାହିଁ। ଅହଙ୍କାର ଯୋଗୁଁ ମୁଁ ଅନେକ ଶିଳ୍ପୀଙ୍କର ପତନ ଦେଖିଛି। ମୋ ଉପରେ ଈଶ୍ବରଙ୍କର ଅପାର କରୁଣା। ମୋ ନିମ୍ନମାନର ଗୀତଗୁଡ଼ିକୁ ମଧ୍ୟ  ଶ୍ରୋତାମାନେ ଗ୍ରହଣ କରିଛନ୍ତି। ମୋ ପିତାମାତାଙ୍କର ଆଶୀର୍ବାଦ ଏବଂ ଶ୍ରୋତାମାନଙ୍କର ସ୍ନେହ ହିଁ ମତେ ତିଷ୍ଠି ରହିବାରେ ସହାୟକ ହୋଇଛି।

ସମ୍ବନ୍ଧିତ ଖବର