କର୍ମଚାରୀ ରାଜ୍ୟ ବୀମା ନିଗମର ପାଣ୍ଠିରୁ ହେବ ଶ୍ରମିକମାନଙ୍କର ସହାୟତା

ନୂଆଦିଲ୍ଲୀ : କରୋନା ଭୂତାଣୁ ପ୍ରକୋପରୁ ଉପୁଜିଥିବା ଲକ୍‌ଡାଉନ୍‌ ସ୍ଥିତିରୁ ସରକାର ବର୍ତ୍ତମାନ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପାଣ୍ଠିରୁ ଶିଳ୍ପୋଦ୍ୟୋଗୀ ଓ ଶ୍ରମିକମାନଙ୍କର ସହାୟତା କରିବେ। ସୂତ୍ର ଅନୁସାରେ ଉଦ୍ୟୋଗ ସଂଗଠନମାନଙ୍କର ଦାବି ତଥା ଶିଳ୍ପ୍ୟୋଦ୍ୟୋଗୀମାନଙ୍କ ସାମ୍‌ନାରେ ଉତ୍ପନ୍ନ ଶ୍ରମିକମାନଙ୍କ ସଙ୍କଟକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ବାରା ରାଜ୍ୟ ବୀମା ନିଗମ ପାଣ୍ଠିରୁ ଏକକାଳୀନ ସହାୟତା ପ୍ରଦାନ କରିବାର ନୀତିଗତ ନିଷ୍ପତ୍ତି ନିଆଯାଇଛି। ଯାହାଦ୍ବାରା ଶିଳ୍ପେ‌ାଦ୍ୟୋଗୀମାନଙ୍କୁ ଶ୍ରମିକମାନଙ୍କୁ ବେତନ ଦେବାର ଚାପ କମ ହୋଇପାରିବ। ଲକ୍‌ଡାଉନ୍‌ କାରଣରୁ ଯେଉଁ ଉଦ୍ୟୋଗଗୁଡ଼ିକ ନିଜର ଶ୍ରମିକମାନଙ୍କୁ ବେତନ ଦେବାର ସ୍ଥିତିରେ ନାହାନ୍ତି, ଏମିତିରେ ଇଏସ୍‌ଆଇସି ପାଣ୍ଠି ସେମାନଙ୍କର ସହାୟତାରେ ଲାଗିପାରିବ। ଶ୍ରମିକମାନଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଇଏସ୍‌ଆଇସି ପାଣ୍ଠିର ବିନିଯୋଗ ନେଇ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ରୋଡମ୍ୟାପ୍‌ର ଘୋଷଣା ଖୁବ୍‌ ଶୀଘ୍ର କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଫିକି ସହିତ ଦେଶର କିଛି ପ୍ରମୁଖ ଉଦ୍ୟୋଗ ସଂଗଠନମାନଙ୍କ ଦ୍ବାରା ଉଦ୍ୟୋଗଗୁଡ଼ିକର ସହାୟତା ପାଇଁ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର