ଲକ୍‌ଡାଉନ୍‌ ୪: ରାଜ୍ୟକୁ ଲୋଡ଼ା ଅଧିକ ସ୍ୱାଧୀନତା

ନୂଆଦିଲ୍ଲୀ: ଭାରତରେ ଆର୍ଥନୀତିକ କାର୍ଯ୍ୟକଳାପ ନିଶ୍ଚଳ ହୋଇପଡ଼ିଥିବା ବେଳେ ରାଜ୍ୟମାନେ ଏକ ଅତ୍ୟନ୍ତ ସକ୍ରିୟ ଶୈଳୀରେ ସେମାନଙ୍କର ଅର୍ଥନୀତିକୁ ପୁନଃଆରମ୍ଭ କରିବାକୁ ଚାହୁଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ସହ ପଞ୍ଚମ ବୈଠକରେ ମୋଦୀ ଚାହିଛନ୍ତି ରାଜ୍ୟମାନେ ନୀଳନକ୍ସା କରି ଦିଅନ୍ତୁ ଯେ ଲକ୍‌ଡାଉନ୍‌ ପ୍ରତ୍ୟାହାର ଯୋଜନା କେମିତି ହେବ। ଦଳମତ ନିର୍ବିଶେଷରେ ସବୁ ରାଜ୍ୟ ସରକାରମାନେ ଚାହୁଛନ୍ତି ଜୀବନ ଜୀବିକାର ପୁନରୁଦ୍ଧାର ପାଇଁ ଅଗ୍ରାଧିକାର ଦେବାକୁ। ମେ ୧୮ ତାରିଖରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳକୁ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସବୁ ଗ୍ରୀଷ୍ମଛୁଟି ଘୋଷଣା କରିସାରିଲେଣି। ଉତ୍ତରପ୍ରଦେଶ ସରକାର ଆର୍ଥନୀତିକ କାର୍ଯ୍ୟାବଳୀ ପାଇଁ ଅଧିକ ସ୍ୱାଧୀନତା ଦାବି କରିଛି। ବିହାର ସରକାର କହିଛି ଯେ ବିହାର ଏକ ମାନୁଫାକ୍‌ଚରିଂ ରାଜ୍ୟ ନୁହେଁ, କୃଷି ହିଁ ବିହାରର ଜୀବନ ଜୀବିକା। ଏବେ ସବୁ ଦାଦନ ଶ୍ରମିକ ଘରକୁ ବାହୁଡ଼ି ଆସିଥିବାରୁ ଗ୍ରାମାଞ୍ଚଳ ଓ କୃଷି ଉପରେ ହିଁ ଅଧିକ ଧ୍ୟାନ ଦେବାକୁ ହେବ। ପଂଜାବ ସରକାର ଦାବି କରିଛି ଯେ ବିଭିନ୍ନ ରଙ୍ଗର ଜୋନ୍‌ ଘୋଷଣା ପାଇଁ ରାଜ୍ୟକୁ କ୍ଷମତା ଦିଆଯାଉ। ଯାହା ଫଳରେ ଆର୍ଥନୀତିକ କାର୍ଯ୍ୟକଳାପକୁ ମଧ୍ୟ ସମତାଳରେ ଚଳାଇହେବ। ପତିଆଲା ଜିଲ୍ଲାର ୧୦୦୦ କିମି ପରିସୀମା ଲାଲ୍‌ ଜୋନ୍‌ରେ ରହିବା ଦ୍ୱାରା ବିସ୍ତୃତ ଅଞ୍ଚଳରେ ଜୀବନଯାତ୍ରା ବନ୍ଦ ହୋଇଯାଉଛି।

ଦିଲ୍ଲୀ ସରକାର କହିଛି ଯେ ଅଦଳବଦଳ ଦିନରେ ବିଭିନ୍ନ ମାର୍କେଟ ଓ ପାର୍କ ଖୋଲିବାକୁ ଅନୁମତି ମିଳୁ। କେରଳ ସରକାର ଦାବି କରିଛି ଯେ ସର୍ବସାଧାରଣ ଜଳପ୍ରଚଳ ଓ ଗଣପରିବହନ ପାଇଁ ଆଂଶିକ ଅନୁମତି ମିଳୁ। ତେବେ ରାଜ୍ୟ-ରାଜ୍ୟ ମଧ୍ୟରେ ଏବଂ ଅନ୍ତର୍ଜାତୀୟ ଯାତ୍ରୀ ପରିବହନ ସେମିତି କଟକଣା ଅଧୀନରେ ରହୁ। ଉପସାଗରୀୟ ଦେଶରୁ ନାଗରିକମାନଙ୍କୁ ଉଦ୍ଧାର କରିବା ଦ୍ୱାରା ଏବେ ତୃତୀୟ ପର୍ଯ୍ୟାୟ ସଂକ୍ରମଣର ଧାରା ଆରମ୍ଭ ହୋଇଛି। ୧ ବର୍ଗ କିଲୋମିଟର ଅବରୋଧ ଅଞ୍ଚଳ ସପକ୍ଷରେ ଆନ୍ଧ୍ରପ୍ରଦେଶ ସରକାର ରହିଥିବା ବେଳେ କର୍ଣାଟକ ସରକାର ଜିମ୍‌, ଗଲ୍‌ଫ ରିସୋର୍ଟ ଖୋଲିବା ଏବଂ ୩୦% ବସିବା ସାମର୍ଥ୍ୟ ସହ ରୋସ୍ତୋରାଁ ଖୋଲିବାକୁ ପ୍ରସ୍ତାବ ଦେଇଛି। ତେଣୁ ବିବିଧ ପ୍ରସ୍ତାବକୁ ସମନ୍ୱୟ କରିବା ଅପକ୍ଷା ରାଜ୍ୟମାନଙ୍କୁ ସ୍ୱାଧୀନତା ଦେବା ହିଁ ଶ୍ରେଷ୍ଠ ମାର୍ଗ ବିବେଚନା କରାଯାଉଛି।

ସମ୍ବନ୍ଧିତ ଖବର