ଲକ୍‌ଡାଉନ୍‌ ସମସ୍ୟାର ସମାଧାନ ନୁହେଁ: ରାହୁଲ

ସରକାର ଲୋକଙ୍କ ମନରୁ ଭୟ ଦୂର କରନ୍ତୁ, ଦେଶର ୫୦% ପରିବାରକୁ ୭,୫୦୦ ଟଙ୍କା ଆର୍ଥିକ ସହାୟତା ଦିଅନ୍ତୁ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସମୟରେ ଦେଶର ଅର୍ଥନୀତି ଓ ମାନବ ସମ୍ବଳ ଧ୍ବଂସ ପାଇଯିବାକୁ ବସିଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ରାହୁଲ କହିଛନ୍ତି, ଲକ୍‌ଡାଉନ କୋଭିଡ-୧୯ ସମସ୍ୟାର ସମାଧାନ ନୁହେଁ। ମେ ୧୭ରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ସମୟସୀମା ଶେଷ ହେବା ପରେ ଲୋକମାନଙ୍କ ପାଇଁ ସରକାରଙ୍କ ଯୋଜନା କ’ଣ ରହିବ ସେ ନେଇ ଜନସାଧାରଣଙ୍କୁ ଅବଗତ କରାଇବା ଜରୁରୀ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଲକ୍‌ଡାଉନ୍‌ ଏକ ସୁଇଚ୍‌ ନୁହେଁ, ଯାହାକୁ ଯେତେବେଳେ ଇଛା ଅନ୍‌ କରିପାରିବ ଏବଂ ଯେତେବେଳେ ଅଫ୍‌ କରିଦେବ। ଦେଶର ମାତ୍ର ୧ ପ୍ରତିଶତ ଲୋକଙ୍କ ପାଇଁ କରୋନାଭୂତାଣୁ ବିପଦ ରହିଛି। ବୃଦ୍ଧ, ମଧୁମେହ ‌ଓ ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ବିପଦ ଥିଲା ବେଳେ ଅନ୍ୟ ୯୯ ପ୍ରତିଶତ ଲୋକେ କାହିଁକି ଏଥିପାଇଁ ଅସୁବିଧା ଭୋଗିବେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ଏଣୁ ଅଯଥାରେ ଭୟ ସୃଷ୍ଟି ନ କରି ଜନସାଧାରଣଙ୍କୁ ମନସ୍ତାତ୍ତ୍ବିକ ସହାୟତା ଯୋଗାଇ ଦେବା ସହ ଭୟକୁ ଦୃଢ ଆତ୍ମବିଶ୍ବାସରେ ବଦଳାଇବା ସରକାରଙ୍କ କାମ ବୋଲି ସେ କହିଛନ୍ତି। ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ରାହୁଲ ଗାନ୍ଧୀ, ବୁଦ୍ଧିଜୀବୀମାନଙ୍କ ସହ କଥା ହୋଇ ଲୋକଙ୍କ ମନରୁ ଭୟ ଦୂର କରିବା ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି। ସେହିଭଳି ସରକାର, ଗଣମାଧ୍ୟମ ଓ ସ୍ବୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ମନରୁ ଭୟ ଦୂର କରିବାକୁ ସେ ଆହ୍ବାନ ଜଣାଇଛନ୍ତି। ଲୋକମାନଙ୍କ ମନରୁ ଭୟ ଦୂର ନ ହେଲେ ଏ ଲକ୍‌ଡାଉନ୍‌ର ଶେଷ ନାହିଁ ବୋଲି ରାହୁଲ ଚେତାଇ ଦେଇଛନ୍ତି। ସେହିଭଳି କରୋନାଭୂତାଣୁ ଯୋଗୁଁ ଦେଶର ଅର୍ଥନୀତି ଭୁଶୁଡ଼ିଗଲାଣି। ଏଣୁ ଦେଶର ୫୦ ପ୍ରତିଶତ ପରିବାରକୁ ତତ୍‌କାଳ ଆର୍ଥିକ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡିଛି। ସରକାର ପରିବାର ପିଛା ୭,୫୦୦ ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ରାହୁଲ ଆହ୍ବାନ କରିଛନ୍ତି। ସେହିଭଳି ଦେଶର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ପାଇଁ ସରକାର ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିବା ସହ ଉଦ୍ୟୋଗୀମାନଙ୍କୁ ୬ ମାସର ସୁଧହାର କମାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର