ଲୋକସଭା ସମାଚାର

ଓଡ଼ିଶା ସଂପର୍କରେ ମୁତଲବୀ ଆଲୋଚନାକୁ ‌ବାଚସ୍ପତିଙ୍କ ଅଗ୍ରାହ୍ୟ
ନୁଆଦିଲ୍ଲୀ : ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ ଲୋକସଭାରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକାଙ୍କ ଦେଇଥିବା ମୁଲତବି ନୋଟିସକୁ ଆଜି ଲୋକସଭାର ବାଚସ୍ପତି ଓମ ବିର୍ଲା ଅଗ୍ରାହ୍ୟ କରିଦେଇଛନ୍ତି। ମମିତା ମେହେର ହତ୍ୟାକାଣ୍ଡ ସମେତ ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ସଂପର୍କରେ ଉଲ୍ଲେଖ କରାଯାଇ ଲୋକସଭାର ନିୟମିତ କାର୍ଯ୍ୟଗୁଡିକୁ ସ୍ଥଗିତ କରାଯାଇ ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଆଲୋଚନା ପାଇଁ  ଗତକାଲି ସାଂସଦ ଶ୍ରୀ ଉଲ୍ଲାକାଙ୍କ ଦ୍ବାରା ମୁଲତବି ‌ ନୋଟିସ ଦିଆଯାଇଥିଲା।

ଅଙ୍ଗନବାଡି କର୍ମଚାରୀଙ୍କ  ପାରିଶ୍ରମିକ ବୃଦ୍ଧି ପାଇଁ ସୁବାସ ସିଂହଙ୍କ ଦାବି 
ନୂଆଦିଲ୍ଲୀ : ଦେଶରେ ଅଙ୍ଗନବାଡି କର୍ମଚାରୀମାନଙ୍କ ପାରିଶ୍ରମିକ ବୃଦ୍ଧି କରିବ‌ା ପାଇଁ ଆଜି ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ସୁବାସ ଚନ୍ଦ୍ର ସିଂହ ଦାବି କରିଛନ୍ତି। ବିଶେଷ କରି କରୋନା ମହାମାରୀ ସମୟରେ ସେମାନଙ୍କର କାର୍ଯ୍ୟଭାର ତଥା ଦାୟିତ୍ବ ବଢିଯାଇଥିବା ନେଇ ଶ୍ରୀ ସିଂହ ଆଲୋକପାତ କରିଥିଲେ। ସେମାନଙ୍କର କାର୍ଯ୍ୟ ବୋଝ ସତ୍ତ୍ବେ ସେମାନଙ୍କୁ ଉଚିତ ପାରିଶ୍ରମିକ ମିଳୁନାହିଁ ଯାହା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ  ବୋଲି ଶ୍ରୀ ସିଂହ କହିଥିଲେ। ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ମାସିକ ଦରମା ୧୮ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଶ୍ରୀ ସିଂହ ଅନୁରୋଧ କରିଥିଲେ।

‘ମ‌ନରେଗା ଶ୍ରମ ଦିବସକୁ  ୨୫  ଲକ୍ଷ କୋଟିକୁ ବୃଦ୍ଧି କରାଯାଉ’
ନୂଆଦିଲ୍ଲୀ : ଗ୍ରାମାଂଚଳରେ ଅର୍ଥନୀତିର ପୁନରୁଦ୍ଧାର ପାଇଁ ଗ୍ରାମୀଣ ରୋଜଗାରର ଆବଶ୍ୟକତା ଅନୁସାରେ ଦେଶରେ ଏମଜିଏନଆରଇଜିଏସ ଯୋଜନା ଅନ୍ତର୍ଗତ ରୋଜଗାରର ଆବଶ୍ୟକତା ଓ ଚାହିଦା ବହୁ ପରିମାଣରେ ବୃଦ୍ଧି ହୋଇଛି। ଓଡ଼ିଶାରେ ଏମଜିଏନଆରଇଜିଏସ ଅନ୍ତର୍ଗତ ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ୮୧ ପ୍ରତିଶତ ‌ରୋଜଗାର ବୃଦ୍ଧି ହେବା ସହିତ  ୨୦ ଲକ୍ଷ କୋଟି ଶ୍ରମ ଦିବସ ସୃଷ୍ଟି ହୋଇପାରିଛି। ତେଣୁ ଏମଜିଏନଆରଇଜିଏସ ଅଧିନରେ ଓଡ଼ିଶାର ୨୦୨୧-୨୨ ଶ୍ରମ ବଜେଟରେ ଶ୍ରମ ଦିବସ ସଂଖ୍ୟାକୁ  ୨୫ ଲକ୍ଷ କୋଟିକୁ ବୃଦ୍ଧି କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି। ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ପାଇଁ ତଥା ରାଜ୍ୟର ଦାବିକୁ ବିଚାର କରିବା ପାଇଁ  ଆଜି ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଅମର ପଟ୍ଟନାୟକ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର