୧୯ ତାରିଖରେ ହେବ ବିଗତ ୫୮୧ ବର୍ଷରେ ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ

ପରବର୍ତ୍ତୀ ଲମ୍ବା ଚନ୍ଦ୍ରଗ୍ରହଣ ପାଇଁ ୪୬୮ ବର୍ଷ ଅପେକ୍ଷା କରିବାକୁ ପଡ଼ିବ

ଭୁବନେଶ୍ବର : ଆସନ୍ତା ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବ । ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବେଶ ଗୁରୁତ୍ବ ଦିଆଯାଉଛି । କାରଣ ଏହି ଚନ୍ଦ୍ର ଗ୍ରହଣ ବିଗତ ପ୍ରାୟ ୫୮୧ ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ସମୟ ଧରି ହେବାକୁ ଥିବା ଚନ୍ଦ୍ରଗ୍ରହଣ । ଏହା ପ୍ରାୟ ୬ ଘଣ୍ଟା ଧରି ଚାଲିବ । ଶେଷ ଥର ପାଇଁ ଏତେ ଲମ୍ବା ଚନ୍ଦ୍ରଗ୍ରହଣ ଫେବ୍ରୁଆରି ୧୮, ୧୪୪୦ରେ ହୋଇଥିଲା ।

ସେହିପରି ଏପରି ଏକ ଲମ୍ବା ଚନ୍ଦ୍ରଗ୍ରହଣ ଦେଖିବାକୁ ଆଉ ୪୬୮ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । କାରଣ ପରବର୍ତ୍ତୀ ଲମ୍ବା ସମୟଧରି ଚାଲିବାକୁ ଥିବା ଚନ୍ଦ୍ରଗ୍ରହଣ ଅକ୍ଟୋବର ୯, ୨୪୮୯ରେ ହେବ । ଏହି କାରଣରୁ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିବାକୁ ବିଶ୍ବର ଜ୍ୟୋତିର୍ବିଜ୍ଞାନିମାନେ ଅପେକ୍ଷା କରି ରହିଛନ୍ତି ।

ଏହି ବିରଳ ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ ଓ ଏସିଆର କେତେକ ଅଞ୍ଚଳରେ ଦେଖାଯିବ । ଭାରତରେ ବି ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଏହା ନଭେମ୍ବର ୧୯ ତାରିଖ ପୂର୍ବାହ୍ଣ ୧୧ଟା ୩୨ ମିନିଟରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ୩୩ ମିନିଟ ପର୍ଯ୍ୟନ୍ତ ଚାଲିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଆସେ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ ।

ସମ୍ବନ୍ଧିତ ଖବର