ଶସ୍ତା ହେଲା ୨୧୩ ସାମଗ୍ରୀ

ଜିଏସ୍‌ଟି-୨୮ରୁ ହଟିଲା ୧୭୮ ସାମଗ୍ରୀ, ରେସ୍ତୋରାଁରେ ଖାଇବା ଏବେ ଶସ୍ତା

କମିଲା: ଚକଲେଟ, ଚୁଇଂଗମ୍‌, ଦାଢ଼ି କାଟିବାରେ ବ୍ୟବୃହତ ସାମଗ୍ରୀ, ସାମ୍ପୁ, ଡିଓ, ଜୋତା ପଲିସ୍‌, ପୁଷ୍ଟିକର ପାନୀୟ, ମହିଳାଙ୍କ ପ୍ରସାଧାନରେ ବ୍ୟବହୃତ ସାମଗ୍ରୀ, ଡିଟରଜେଣ୍ଟ, ଗ୍ରାନାଇଟ୍‌, ମାର୍ବଲ, ଅଗ୍ନି ନିର୍ବାପକ, ଘଣ୍ଟା, ବ୍ଲେଡ୍‌, ଷ୍ଟୋଭ୍‌, ମ୍ୟାଟ୍ରେସ୍‌, ଫ୍ଲାଏ ଆସ୍‌, ଫ୍ଲାଏ ଆସ୍‌ ଇଟା, ପାସ୍ତା, ଝୋଟ ଏବଂ କପଡ଼ାରେ ତିଆରି ହ୍ୟାଣ୍ଡ ବ୍ୟାଗ୍‌, ରେସ୍ତୋରାଁରେ ଖାଇବା

ଗୌହାଟି : ୨୧୩ଟି ସାମଗ୍ରୀ ଉପରୁ ଜିଏସ୍‌ଟି ହାର ହ୍ରାସ କରାଯାଇଛି। ଆଗାମୀ ଦିନରେ ଏହିସବୁ ସାମଗ୍ରୀ ଶସ୍ତା ହେବ। ପୂର୍ବରୁ ୨୮ ପ୍ରତିଶତ ସ୍ଲାବରେ ଥିବା ୧୭୮ଟି ସାମଗ୍ରୀକୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିପରି ଅନ୍ୟ କେତେକ ସାମଗ୍ରୀଗୁଡ଼ିକର ସ୍ଲାବକୁ ମଧ୍ୟ ହ୍ରାସ କରାଯାଇଛି। ପୂର୍ବରୁ ୨୮ ପ୍ରତିଶତ ସ୍ଳାବରେ ୨୨୮ଟି ସାମଗ୍ରୀ ଥିଲା। ଯାହା ଏବେ ୫୦କୁ ଖସି ଆସିଛି। ଟିକସ ହାରରେ ହୋଇଥିବା ହ୍ରାସ ଚଳିତ ମାସ ୧୫ରୁ ଲାଗୁ ହେବ।

ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଜିଏସ୍‌ଟି ପରିଷଦ ପ୍ରଥମ ଥର ଲାଗି ଏତେ ସଂଖ୍ୟକ ସାମଗ୍ରୀ ଉପରୁ ଟିକସ ହ୍ରାସ କରିଥିବାରୁ ଏଥିରୁ ନିର୍ବାଚନୀ ବାସ୍ନା ବାରି ହୋଇପଡ଼ୁଥିବା ଅଭିଯୋଗ ହୋଇଛି। କିନ୍ତୁ ଏହି ନିଷ୍ପତ୍ତି ସର୍ବସମ୍ମତି ଭାବେ ଜିଏସ୍‌ଟି ପରିଷଦ ନେଇଛି। ନିର୍ବାଚନର କୌଣସି ପ୍ରଭାବ ଉକ୍ତ ନିଷ୍ପତ୍ତି ଉପରେ ନାହିଁ ବୋଲି ହରିଆଣା ଅର୍ଥମନ୍ତ୍ରୀ କ୍ୟାପ୍‌ଟେନ୍‌ ଅଭିମନ୍ୟୁ କହିଛନ୍ତି।

୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ଟିକସ କମାଇ ଦିଆଯାଇଥିବା ସାମଗ୍ରୀ ମଧ୍ୟରେ ସାଧାରଣ ଲୋକ ବ୍ୟବହାର କରୁଥିବା ଅଧିକାଂଶ ସାମଗ୍ରୀ ରହିଛି। ସାଧାରଣ ଲୋକେ ବ୍ୟବହାର କରୁଥିବା ସାମଗ୍ରୀ ଗୁଡ଼ିକୁ ୨୮ ପ୍ରତିଶତ ଟିକସ ବର୍ଗରେ ରଖାଯାଇଥିବାରୁ ଏହାକୁ ବିରୋଧୀ ଦଳ ଶାସିତ ରାଜ୍ୟ ଗୁଡ଼ିକ ତୀବ୍ର ବିରୋଧ କରିଥିଲେ। ଫିଟ୍‌ମେଣ୍ଟ କମିଟି ୨୮ ପ୍ରତିଶତ ଟିକସ ବର୍ଗରେ ୬୨ଟି ସାମଗ୍ରୀ ରଖିବାକୁ ସୁପାରିସ କରିଥିଲା। କିନ୍ତୁ ଜିଏସ୍‌ଟି ପରିଷଦ ମାତ୍ର ୫୦ଟି ସାମଗ୍ରୀ ଉପରୁ ୨୮ ପ୍ରତିଶତ ଟିକସ ଆଦାୟ କରିବା ଲାଗି ନିଷ୍ପତ୍ତି ନେଇଛି।

ଟିକସ ହ୍ରାସ କରାଯାଇଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରେ ସମସ୍ତ ପ୍ରକାର ଚୁଇଂଗମ୍‌, ଚକଲେଟ୍‌, ଦାଢ଼ି କାଟିବା ଲାଗି ବ୍ୟବୃହତ ହେଉଥିବା ସାମଗ୍ରୀ, ସାମ୍ପୁ, ଡିଓ, , ଜୋତା ପଲିସ୍‌, ପୁଷ୍ଟିକର ପାନୀୟ, ମହିଳାଙ୍କ ପ୍ରସାଧାନ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ, ଡିଟରଜେଣ୍ଟ, ଗ୍ରାନାଇଟ୍‌ ଓ ମାର୍ବଲ ଆଦି ରହିଛି। ଅଗ୍ନି ନିର୍ବାପକ, ଘଣ୍ଟା, ବ୍ଲେଡ୍‌, ଷ୍ଟୋଭ୍‌, ମ୍ୟାଟ୍ରେସ୍‌ ଉପରେ ମଧ୍ୟ ଟିକସ ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି। ଫ୍ଲାଏ ଆସ୍‌ ଏବଂ ଫ୍ଲାଏ ଆସ୍‌ ଇଟା ଉପରେ ଜିଏସ୍‌ଟି ହାର ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇ ଥିବାବେଳେ ପାସ୍ତା, ଝୋଟ ଏବଂ କପଡ଼ାରେ ତିଆରି ହ୍ୟାଣ୍ଡ ବ୍ୟାଗ୍‌ ଟିକସ ହାର ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ କମାଇ ଦିଆଯାଇଛି। ଫଳରେ ଏସବୁ ସାମଗ୍ରୀର ଦର କମିଯିବ। ତେବେ ପେଣ୍ଟ୍‌ ଓ ସିମେଣ୍ଟକୁ ପୂର୍ବଭଳି ୨୮ ପ୍ରତିଶତ ଟିକସ ହାରରେ ରଖାଯାଇଛି।

ଏତଦ୍‌ବ୍ୟତୀତ ଓ୍ଵାସିଂ ମେସିନ୍‌ ଓ ଏୟାର କଣ୍ଡିସନର୍‌ର ଜିଏସ୍‌ଟିକୁ ମଧ୍ୟ ୨୮ ପ୍ରତିଶତରେ ରଖାଯାଇଛି। ଜିଏସ୍‌ଟି ପରିଷଦ ଦ୍ୱାରା ୧୭୮ଟି ସାମଗ୍ରୀର ଟିକସ ହାର ୧୮ ପ୍ରତିଶତକୁ ହ୍ରାସ କରାଯିବା ଦ୍ୱାରା ସରକାର ବର୍ଷକୁ ୨୦ ହଜାର କୋଟିର ଟିକସ ହରାଇବେ ବୋଲି ଜିଏସ୍‌ଟି ପରିଷଦ ବୈଠକ ଅବସରରେ ବିହାର ଅର୍ଥମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି। ୨୮ ପ୍ରତିଶତ ଟିକସ ବର୍ଗରେ ଥିବା ସାମଗ୍ରୀ ଗୁଡ଼ିକୁ ଧୀରେ ଧୀରେ ୧୮ ପ୍ରତିଶତ ଟିକସ ବର୍ଗକୁ ଆଣିବା ଲାଗି ପରିଷଦର ବୈଠକରେ ସହମତି ପ୍ରକାଶ ପାଇଛି। କିନ୍ତୁ ଏହାର ଏକ ବଡ଼ ପ୍ରଭାବ ରାଜସ୍ୱ ଉପରେ ପଡ଼ିିବାକୁ ଥିବାରୁ ଏଥିପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି।

୨୩ତମ ଜିଏସ୍‌ଟି ପରିଷଦର ଅନ୍ତିମ ଦିନ ବୈଠକରେ ୧୭୮ଟି ସାମଗ୍ରୀର ଟିକସ ହ୍ରାସ ନିଷ୍ପତ୍ତି ନିଆଯାଇ ଥିଲେ ମଧ୍ୟ ବିଳାସପୂର୍ଣ୍ଣ ସାମଗ୍ରୀ ସହିତ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ମୋଟ ୫୦ଟି ସାମଗ୍ରୀ ଉପରେ ସରକାର ୨୮ ପ୍ରତିଶତ ହାରରେ ଟିକସ ଆଦାୟ କରିବେ।

ଇନ୍‌ପୁଟ୍‌ ଟିକସ ଦାବି କରୁ ନଥିବା ରେସ୍ତୋରାଁ ଗୁଡ଼ିକରେ ଖାଇବା ଏବେ ଶସ୍ତା ହୋଇଯିବ। ଆଜି ଗୌହାଟିଠାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଏ ପ୍ରକାର ରେସ୍ତୋରାଁରେ ଜିଏସଟି ହାରକୁ ୫ ପ୍ରତିଶତକୁ କମାଇ ଦିଆଯାଇଛି। ନୂଆ ଟିକସ ହାର ଉପରେ ଏସି ଏବଂ ଅଣ ଏସି ରେସ୍ତୋରାଁ ଗୁଡ଼ିକ ପାଇଁ ଲାଗୁ ହେବ। ତେବେ ଏଥିରେ ପାଞ୍ଚ ତାରକୁ ହୋଟେଲ ଗୁଡ଼ିକୁ ସାମିଲ କରାଯିବ ନାହିଁ।

ପୂର୍ବର ୩ଟି ଯାକ ବୈଠକରେ ଜିଏସ୍‌ଟି ହାର ୨୮ ପ୍ରତିଶତ ଟିକସ ବର୍ଗରୁ ୩୦ରୁ ୪୦ଟି ସାମଗ୍ରୀକୁ ବାଦ୍‌ ଦିଆଯାଇ ଥିବାବେଳେ ଆଜି ୧୭୮ଟି ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ଏତଦ୍‌ବ୍ୟତୀତ ଅଟା ପେସା ଗ୍ରାଇଣ୍ଡର ଏବଂ ଯୁଦ୍ଧ ଯାନର ଜିଏସ୍‌ଟିକୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି। ୧୩ଟି ସାମଗ୍ରୀକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତ ଜିଏସ୍‌ଟି ବର୍ଗକୁ ଅଣାଯାଇଛି। ୬ଟି ସାମଗ୍ରୀକୁ ୧୮ ପ୍ରତିଶତରୁ ୫ ପ୍ରତିଶତ ଜିଏସ୍‌ଟି ବର୍ଗରକୁ ଅଣାଯାଇଥିବାବେଳେ ୬ଟି ସାମଗ୍ରୀକୁ ୫ ପ୍ରତିଶତରୁ ଶୂନ ପ୍ରତିଶତ ଜିଏସ୍‌ଟି ବର୍ଗକୁ ଅଣାଯାଇଛି। ଅର୍ଥାତ୍‌ ୬ଟି ସାମଗ୍ରୀକୁ ଜିଏସ୍‌ଟି ମୁକ୍ତ କରାଯାଇଛି।

ଏତଦ୍‌ବ୍ୟତୀତ କମ୍ପୋଜିସନ୍‌ ସ୍କିମ୍‌ର ସୀମାକୁ ୧.୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅସୀମ ମିତ୍ରା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଜୁଲାଇରେ ଜିଏସ୍‌ଟି ଲାଗୁ ହେବାପରଠାରୁ ଗତ ୩ ମାସ ମଧ୍ୟରେ କେନ୍ଦ୍ର ସରକାର ପ୍ରାୟ ୬୦ ହଜାର କୋଟି ଏବଂ ରାଜ୍ୟ ସରକାର ୩୦ ହଜାର କୋଟି ଟଙ୍କା ହରାଇଛନ୍ତି।

ସମ୍ବନ୍ଧିତ ଖବର