ମୃତ୍ୟୁର ପୂର୍ବାନୁମାନ କରିବ ମେସିନ୍‌

ଓ୍ଵାସିଂଟନ୍‌: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିସେନ୍ସର ଭିନ୍ନ ଭିନ୍ନ ପ୍ରୟୋଗ ଏବେ କରାଯାଉଛି। ଅଟୋମୋବାଇଲଠାରୁ ଆରମ୍ଭ କରି ମହାକାଶ ବିଜ୍ଞାନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ଦେଖିବାକୁ ମିଳୁଛି। ତେବେ ଏହି ବିଶ୍ୱର ପ୍ରମୁଖ ଇଣ୍ଟରନେଟ୍‌ ସର୍ଚ୍ଚ ଇଞ୍ଜିନ କମ୍ପାନି ଗୁଗୁଲ୍‌ ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଆଧାର କରି ଏଭଳି ଏକ ମେସିନ୍‌ର ବିକାଶ ଉପରେ କାର୍ଯ୍ୟ ଚାଲିଛି ଯାହା ରୋଗୀର ମୃତ୍ୟୁ ସମ୍ପର୍କରେ ପୂର୍ବାନୁମାନ କରିପାରିବାର କ୍ଷମତା ରଖିବ। କେଉଁ ପ୍ରକାର ରୋଗ ଠିକ୍‌ ହେବାକୁ କେତେଦିନ ଲାଗିବ।
ଏହି ପ୍ରଯୁକ୍ତିର ପରୀକ୍ଷଣ ପାଇଁ ସ୍ତନ କର୍କଟ ହୋଇଥିବା ଜଣେ ମହିଳାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରୋଗୀଙ୍କ ଅବସ୍ଥା ସଙ୍ଗିନ ସ୍ଥିତିରେ ପହଞ୍ଚି ଯାଇଥିଲା। ଦୁଇଜଣ ଡାକ୍ତର ତାଙ୍କୁ ଦେଖିବା ସହିତ ରେଡିଓଲୋଜି ସ୍କାନ ମଧ୍ୟ ତାଙ୍କର କରାଯାଇଥିଲା। ଏହାପରେ ଡାକ୍ତରଖାନାର କମ୍ପ୍ୟୁଟର ସଂପୃକ୍ତ ରୋଗୀଙ୍କର ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଗୁଡ଼ିକ ଅନୁଧ୍ୟାନ କରିଥିଲେ। ଏହାପରେ କମ୍ପ୍ୟୁଟର ଆକଳନ କରିଥିଲା ଯେ ଡାକ୍ତରଖାନାରେ ରହିବା ସମୟରେ ତାଙ୍କର ମୃତ୍ୟୁ ହୋଇଯିବାର ୯.୩ ପ୍ରତିଶତ ଆଶଙ୍କା ରହିଛି। ଏହାପରେ ଗୁଗୁଲ୍‌ ପାଳି ପଡ଼ିଥିଲା। ଗୁଗୁଲ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ନୂଆ ପ୍ରକାର ଆଲଗରିଦିମ୍‌ରେ ସେହି ମହିଳା ରୋଗୀଙ୍କର ଡାଟା ପଏଣ୍ଟ ୧୭୫୬୩୯ ରହିଥିଲା। ଫଳରେ ସଂପୃକ୍ତ ମହିଳା ରୋଗୀଙ୍କର ମୃତ୍ୟୁ ଆଶଙ୍କା ୧୯.୯ ପ୍ରତିଶତ ବୋଲି ଗୁଗୁଲ୍‌ ଆକଳନ କରିଥିଲା। ଏହାର କିଛିଦିନ ପରେ ସଂପୃକ୍ତ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା।
ଉକ୍ତ ମହିଳାଙ୍କର ସମସ୍ତ ପ୍ରକାର ଗବେଷଣା ରିପୋର୍ଟ ଗୁଗୁଲ୍‌ ଏହାର ନିକଟରେ ରଖିଛି। ଏହାପରେ କୁହାଯାଇଥିଲା ଗୁଗୁଲ ଏଭଳି ଏକ ପ୍ରଯୁକ୍ତିର ବିକାଶ କରୁଛି ଯାହାଦ୍ୱାରା ଲୋକଙ୍କ ମୃତ୍ୟୁ ସଂପର୍କିତ ଆକଳନ କରିପାରିବ। ଲୋକ ନିକଟରେ ବଞ୍ଚିବାର ସମ୍ଭାବନା କେତେ ରହିଛି ତାହା ଏହାଦ୍ୱାରା ଜଣାପଡ଼ିଯିବ। ସେହିଭଳି ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ବ୍ୟକ୍ତି କେତେଦିନ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପଡ଼ିବ ସେ ସମ୍ପର୍କରେ ମଧ୍ୟ ଜଣାପଡ଼ିଯିବ। ଏହି ଗବେଷଣା ରିପୋର୍ଟ ଗୁଗୁଲ୍‌ ପକ୍ଷରୁ ମେ’ ମାସରେ ପ୍ରକାଶ କରାଯାଇଛି। ଗବେଷଣାର ସହ ଲେଖକ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ନିଗମ ଶାହ କୁହନ୍ତି, ଏହା ଏକ ଆନୁମାନିକ ମଡେଲ। ଏହାକୁ ସଠିକ୍‌ କରାଯିବା ଉପରେ କାର୍ଯ୍ୟ କରାଯାଉଛି। ଗୁଗୁଲ୍‌ର ଜଣେ ଅଧିକାରୀ କୁହନ୍ତି ଯେ, କମ୍ପାନି ମଧ୍ୟରେ ଏହାକୁ ନେଇ ପ୍ରବଳ ଉତ୍ସାହ ଦେଖାଦେଇଛି। କୃତ୍ରିମ ବୁଦ୍ଧିମତା ପାଇଁ କମ୍ପାନିକୁ ଏକ ଆପ୍ଲିକେସନ ବା ପ୍ରୟୋଗ ମିଳିଯାଇଛି।

ସମ୍ବନ୍ଧିତ ଖବର