ସିନ୍ଦେଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବଢ଼ିଲା ସୁରକ୍ଷା। ଜୀବନ ପ୍ରତି ବିପଦ ଥିବାରୁ ସିନ୍ଦେଙ୍କ ସୁରକ୍ଷା ବଢ଼ାଇଲା ମୁମ୍ବାଇ ପୁଲିସ। ବିପଦ ଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଶନିବାର ସନ୍ଧ୍ୟାରେ ରାଜ୍ୟ ଗୁଇନ୍ଦା ବିଭାଗକୁ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ମିଳିବା ପରେ ପୁଲିସ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ତଥା ଘରୋଇ ଆବାସରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିବା ସାମ୍ନାକୁ ଆସିଛି।

ରାଜ୍ୟ ଗୁଇନ୍ଦା କମିଶନର ଆଶୁତୋଷ ଡୁମ୍ବ୍ରେ ମୁଖ୍ୟମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ସୂଚନାକୁ ନିଶ୍ଚିତ କରିଛନ୍ତି। ଡୁମ୍ବ୍ରେ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଆମେ ଆବଶ୍ୟକ ପଦକ୍ଷେପ ନେଇଛୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି। ସେ କହିଛନ୍ତି ଯେ, ‘ଜେଡ୍ +’ ବର୍ଗର ସୁରକ୍ଷା ମିଳିଥିବା ମୁଖ୍ୟମନ୍ତ୍ରୀଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି। ଥାଣେରେ ଥିବା ସିନ୍ଦେଙ୍କ ବ୍ୟକ୍ତିଗତ ବାସଭବନ ଏବଂ ମୁମ୍ବାଇରେ ଥିବା ବର୍ଷାଙ୍କ ସରକାରୀ ବାସଭବନରେ ସୁରକ୍ଷାକୁ ଆହୁରି ବଢ଼ାଇ ଦିଆଯାଇଛି। ଅକ୍ଟୋବର ୫ରେ ମୁମ୍ବାଇର ଏମଏମଆରଡିଏ ଗ୍ରାଉଣ୍ଡରେ ପ୍ରଥମ ଥର ପାଇଁ ସିନ୍ଦେ ଦଶହରା ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନଜରରେ ରଖି ତାଙ୍କ ଉପରେ ଆକ୍ରମଣ ହୋଇପାରେ ବୋଲି ସୂଚନା ମିଳିଛି। ପୁଲିସ ଆଲର୍ଟ ହେବା ସହ ସିନ୍ଦେଙ୍କୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର