ପ୍ରଥମ ସାହି ସ୍ନାନ ସଂପନ୍ନ:ମହାକୁମ୍ଭ ଆରମ୍ଭ

ପ୍ରୟାଗରାଜ: ସୂର୍ଯ୍ୟ ଦେବତା ଆଜି ମକର ରାଶିରେ ପ୍ରବେଶ କରିବା ସହ ପ୍ରୟାଗରାଜରେ ମହାକୁମ୍ଭ-୨୦୧୯ ଆରମ୍ଭ ହୋଇଛି। ହିନ୍ଦୁ ଆସ୍ଥାର ଏହି ସର୍ବବୃହତ୍ତ ଆଧ୍ୟାତ୍ମ ମେଳାରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆଜି ୧୩ଟି ପ୍ରମୁଖ ଆଖଡ଼ାର ସାହି ସ୍ନାନ ସୁରୁଖୁରୁରେ ସଂପନ୍ନ ହୋଇଥିବା ବେଳେ ଔପଚାରିକ ଭାବେ ମହାକୁମ୍ଭର ଭବ୍ୟ ଶୁଭାରମ୍ଭ ହୋଇଛି। ସଂଗମ ତଟରେ ସାହି ସ୍ନାନ ପାଇଁ ପ୍ରଥମେ ପଂଚୟତ ଆଖଡ଼ା ମହାନିର୍ବାଣୀ ପହଞ୍ଚିଥିଲା। ଏହାପରେ ଅନ୍ୟ ଆଖଡ଼ାର ସାଧୁସନ୍ଥ ଏବଂ ନାଗା ସାଧୁମାନେ ଆଚାର୍ଯ୍ୟ ମହାମଣ୍ଡଳେଶ୍ବରଙ୍କ ସହିତ ସ୍ନାନ କରିଥିଲେ। କୁମ୍ଭର ପାବନ ପର୍ବରେ ସାମିଲ ହେବାପାଇଁ ଲକ୍ଷାଧିକ ବିଦେଶ ନାଗରିକଙ୍କ ମଧ୍ୟ ଆଗମନ ହୋଇଛି। ପବିତ୍ର ମୁହୂର୍ତ୍ତରେ ଗଂଗା, ଯମୁନା ଏବଂ ସରସ୍ବତୀର ସଂଗମ ସ୍ଥଳରେ ମୋକ୍ଷ କାମନା କରି ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ। ଉତ୍ତରପ୍ରଦେଶ ସରକାର ଏହି ଅତି ବିଶାଳ ମେଳାକୁ ସୁନିୟୋଜିତ କରିବା ପାଇଁ ଅଭୂତପୂର୍ବ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆଜି ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍‌ଟରରୁ ଫୁଲ ବର୍ଷା କରାଯାଇଥିଲା। କୁମ୍ଭ ପାଇଁ ସରକାରଙ୍କ ଖର୍ଚ୍ଚ ଅଟକଳ ୪୨୦୦ କୋଟି ଟଙ୍କା ରହିଛି।

ସମ୍ବନ୍ଧିତ ଖବର